୫ ବର୍ଷ ସରକାରରେ ରହିବା ପରେ କାହିଁକି ହାରିଯାଉଛୁ ତାହା ଜଣାନାହିଁ । ରାଜସ୍ଥାନ ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ସଚିନ୍ ପାଇଲଟ ।

274

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପୂର୍ବ ପରମ୍ପରା ବଜାୟ ରହିବା ସହ ୫ ବର୍ଷ ପରେ ପୁଣିଥରେ ବଦଳିଛି ସରକାର । ବିଜେପି ଶାସନ କ୍ଷମତାକୁ ଆସିଥିବା ବେଳେ କଂଗ୍ରେସ ପୁଣିଥରେ ବିରୋଧୀ ଆସନକୁ ଫେରିଛି । ତେବେ କଂଗ୍ରେସର ପରାଜୟକୁ ବିଶ୍ୱାସ କରିପାରୁନାହାନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ । ନିର୍ବାଚନ ଫଳାଫଳକୁ ନେଇ ସଚିନ ପାଇଲଟ କହିଛନ୍ତି, ଆମେ ପ୍ରତିଥର କଠିନ ପରିଶ୍ରମ କରୁଛୁ କିନ୍ତୁ ୫ ବର୍ଷ ସରକାରରେ ରହିବା ପରେ ମଧ୍ୟ କାହିଁକି ହାରି ଯାଉଛୁ ତାହା ଜାଣିପାରୁନୁ ।

ନିଜ ନିର୍ବାଚନମଣ୍ଡଳୀରେ ଏକ ଜନସଭାରେ ଯୋଗ ଦେଇ ସଚିନ ପାଇଲଟ କହିଛନ୍ତି, ବିଧାନସଭା ଭିତରେ ଓ ବାହାରେ ଶକ୍ତିଶାଳୀ ବିରୋଧୀ ଭୂମିକା ଆମେ ତୁଲାଇବୁ । ନିର୍ବାଚନ ବେଳେ ଦିଲ୍ଲୀରୁ ବିଜେପିର ଅନେକ ନେତା ରାଜସ୍ଥାନ ଆସିବା ସହ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ପୂରା କରିବାକୁ ସରକାରଙ୍କ ଉପରେ ଆମେ ଚାପ ପକାଇବୁ । ବିଜେପି ସରକାର ଗଠନ କରିଛି, କିନ୍ତୁ ମନ୍ତ୍ରୀମଣ୍ଡଳ ଏଯାଏଁ ଗଠନ କରିପାରିନି । କିନ୍ତୁ ବିରୋଧୀ ଦଳ ଭାବେ ଜନତାଙ୍କ ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରିବୁ । ଗୃହ ଭିତରେ ଏଥର ଆମେ ଦୁର୍ବଳ ନୁହେଁ । କାରଣ ୭୦ ଆସନରେ କଂଗ୍ରେସ ରାଜସ୍ଥାନରେ ବିଜୟୀ ହୋଇଛି । ଏଥର ବିଜୟକୁ ନେଇ ଆମେ ଆଶାବାଦୀ ଥିଲୁ କିନ୍ତୁ ଫଳାଫଳ ଆମ ସପକ୍ଷରେ ଯାଇନଥିଲା ।