ପାଣିପାଗରେ ହଠାତ୍ ପରିବର୍ତ୍ତନ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ,୩ ଦିନ ଯାଏଁ ଉପକୂଳରେ କୋହଲା ପାଗ

1,394

କନକ ବ୍ୟୁରୋ : ଦିନ ଗଡୁଛି । କିନ୍ତୁ ମୌସୁମୀର ଦେଖାନାହିଁ । ସେପଟେ ଆଜି ସକାଳୁ ହଠାତ୍ ପାଗରେ ପରିବର୍ତନ ହୋଇଛି । ଉତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡିଶାରେ କୋହଲା ପାଗ ରହିବା ସହ କିଛି ଅଂଚଳରେ ବର୍ଷା ହୋଇପାରେ । ସେହିଭଳି ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ପବନ ବୋହିବା ସମ୍ଭାବନା ରହିଛି । କେରଳରେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ଛୁଇଁବା ସମ୍ଭାବନା ରହିଛି ।

ଅନୁକୂଳ ପରିବେଶ ସୃଷ୍ଟି ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି । ତେବେ ମୌସୁମୀର ଏପରି ସ୍ଥିତି ରହିଲେ ସାରା ଭାରତରେ ବିଳମ୍ବରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ସ୍କାଏମେଟ ଏବଂ ଆଇଏମଡିର ରିପୋର୍ଟ ଅନୁସାରେ, ୧୦ ତାରିଖରେ ମୌସୁମୀ ଓଡିଶା ଛୁଇଁବାର ଆକଳନ କରାଯାଇଥିଲା । ତେବେ ମୌସୁମୀ ଆସିବା ପାଇଁ ସୃଷ୍ଟି ହୋଇନଥିଲା ଅନୁକୁଳ ପରିବେଶ ।

ଏବେ କେରଳରେ ଲଗାତାର ବର୍ଷା ହେବା ଏବଂ ଉପକୂଳ ଓଡିଶାରେ ସାମାନ୍ୟ ବର୍ଷା, ମୌସୁମୀ ଆଗମନର ସୂଚନା ଦେଉଛି ବୋଲି କହିଛି ସ୍କାଏମେଟ । ଆସନ୍ତା ୨୪ଘଂଟା ମଧ୍ୟରେ କେରଳ, କର୍ଣ୍ଣାଟକ, ପୂର୍ବ ଭାରତ ଏବଂ ଲାକ୍ଷାଦୀପର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବାର ଆକଳନ କରିଛି ସ୍କାଏମେଟ । ସେହିପରି ପଶ୍ଚିମବଙ୍ଗ, ଆନ୍ଧ୍ର ଉପକୂଳ, ଆଣ୍ଡାମାନ ନିକୋବର ଦ୍ୱିପ ସମୁହ, ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।