ବାରବାଟୀ ମ୍ୟାଚ ପାଇଁ କାଉଂଟରରେ ଚାଲିଛି ଟିକେଟ ବିକ୍ରି : ଟିକେଟ୍ କିଣିବାକୁ ଧାଡି ଲଗାଇଛନ୍ତି କ୍ରିକେଟ ପ୍ରେମୀ

230

କନକ ବ୍ୟୁରୋ : ବାରବାଟୀ ମ୍ୟାଚ ପାଇଁ କାଉଂଟରରେ ଚାଲିଛି ଟିକେଟ୍ ବିକ୍ରି । ଟିକେଟ କିଣିବାକୁ ଭିଡ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ କାଉଂଟରରୁ ଟିକେଟ୍ କିଣୁଛନ୍ତି । ତେବେ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ କିଣିପାରିବ  । ଏଥର ବାରବାଟୀରେ ୧୨ଟି କାଉଁଟରରେ ପ୍ରାୟ ୧୦ ହଜାର ୩୯ ଟି ଟିକଟ ବିକ୍ରି କରାଯିବ । ଅସମ୍ଭବ ଭିଡ ଥିବାରୁ ଟିକେଟ୍ କାଉଁଟରରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ସେହିପରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଶାଖାପାଟଣା ଦିନିକିଆରେ ଟିମଇଣ୍ଡିଆର ଦମଦାର ବିଜୟ ପରେ ବଢିଯାଇଛି ବାରବାଟୀ ଦିନିକିଆ ମ୍ୟାଚର ଗୁରୁତ୍ୱ । ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁଦଳ ଏଠାରେ ମ୍ୟାଚ୍ ଜିତିବ , ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ହେବ ରୋମାଂଚକର ।

ବିଶାଖାପାଟଣା ଦିନିକିଆରେ ଭାରତ ହାସଲ କରିଥିଲା ଦମଦାର ବିଜୟ । ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ଶତକ ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ହାସଲ କରି ଭାରତକୁ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ବିଜୟ । ତେବେ ବିଶାଖାପାଟଣା ପରି ଆଉ ଏକ ରୋମାଂଚକର ମ୍ୟାଚ୍ ବାରବାଟିରେ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି ।