ବିହାରରେ ଚାଲିଛି ଦାନବରାଜ୍ : ତେଜସ୍ୱୀଙ୍କ ଅଭିଯୋଗ, ନୀତିଶ କୁମାରଙ୍କ ଶାସନକାଳରେ ଅସୁରକ୍ଷିତ ମହିଳା

111

କନକ ବ୍ୟୁରୋ : ବିହାରରେ ଚାଲିଛି ଦାନବରାଜ । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ଦିନରେ ଘରୁ ପାଦ କାଢ଼ିବା ପାଇଁ ଡରୁଛନ୍ତି । ନୀତିଶ କୁମାରଙ୍କ ଶାସନରେ ଭୟରେ ଜୀବନ ବିତାଉଛନ୍ତି ମହିଳା । ଦେଶରେ ଦିନକୁ ଦିନ ଗଣଦୁଷ୍କର୍ମ ଘଟଣା ବଢ଼ୁଥିବା ସମୟରେ ଆରଜେଡ଼ି ନେତା ତଥା ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିହାର ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପ୍ରତିଦିନ ବିହାରରେ ୧୦୦ ହତ୍ୟା ଓ ୫୦ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି । ବିହାର ସରକାର ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ପୋଲିସ ହାତ ବାନ୍ଧି ବସିଛି ।

ନୀତିଶ ସରକାରଙ୍କୁ ଘେରିଲେ ତେଜସ୍ୱୀ । ବିହାରର ବକ୍ସରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଜଳାଇ ଦିଆଯାଇଥିଲା । ଏହି ଘଟଣାକୁ ନେଇ ନୀତିଶ ସରକାରଙ୍କୁ ସମାଲୋଚନା କରିଛନ୍ତି ତେଜସ୍ୱୀ । ହାଇଦ୍ରାବାଦ ଗଣଦୁଷ୍କର୍ମ ପରି ଏହି ଘଟଣା ମଧ୍ୟ ଅତି ଲଜ୍ଜାଜନକ ଓ ହୃଦୟବିଦାରକ । ସେପଟେ ହାଇଦ୍ରାବାଦରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା କିରଛନ୍ତି ତେଜସ୍ୱୀ । ଯେତେ ଶୀଘ୍ର ହୋଇପାରିବ ଦୋଷୀକୁ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି ।

ନୀତିଶ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ବିହାରରେ ଏବେ ଆଇନ ବ୍ୟବସ୍ଥା ଭୁଡ଼ୁଡ଼ି ପଡ଼ିଛି । ନୀତିଶ କୁମାର ଅହଙ୍କାରୀ ହୋଇଯାଇଛନ୍ତି । ଅପରାଧୀ ଖୋଲାରେ ବିଚରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେବଳ ନିଜର ଶାସନ ଗାଦି ଓ କ୍ଷମତା ଉପରେ ଗୁରୁତ୍ୱ ଦେଇ ବସି ରହିଛନ୍ତି । ଖୁବଶୀଘ୍ର ଅପରାଧ ଓ ଅପରାଧୀଙ୍କ ଉପରେ ଅଙ୍କୁଶ ନଲାଗିଲେ ଆଗାମୀ ସମୟରେ ସ୍ଥିତି ଅଣାୟତ ହେବ କହି ଚିନ୍ତା ପ୍ରକଟ କରିଛନ୍ତି ।