ଭାରତକୁ ତାଲିବାନର ଧମକ: ଆଫଗାନିସ୍ତାନରେ ଭାରତର ପ୍ରୋଜେକ୍ଟ ପ୍ରଶଂସନୀୟ, ହେଲେ ସେନା ପଠାଇଲେ ପରିଣତି ଭୟାବହ

5,167

କନକ ବ୍ୟୁରୋ: ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଗୋଟେପଟେ ଆଫଗାନିସ୍ତାନରେ ଭାରତର ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ତାଲିବାନ ପ୍ରଶଂସା କରୁଥିବାବେଳେ ସେନା ପଠାଇବା ଯୋଜନାକୁ ନେଇ ଧମକ ଦେଇଛି । ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ ହେବ ବୋଲି ତାଲିବାନର ମୁଖପାତ୍ର ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି । ଆତାଲିବାନ ବିରୋଧରେ ଛିଡା ହୋଇଥିବା ଦେଶ ମାନଙ୍କର ପରିଣତି ଭାରତ ଦେଖିସାରିଛି । ତେଣୁ ସେନା ପଠାଇବା ପୂର୍ବରୁ ଭଲ ଭାବେ ଚିନ୍ତା କରିବାକୁ ସେ ଚେତାଇ ଦେଇଛନ୍ତି ।


ଆଫଗାନିସ୍ତାନରେ ଭାରତୀୟ ଦୂତାବାସ କିମ୍ବା କୌଣସି ଦେଶର ସରକାରୀ ଅଧିକାରୀଙ୍କର ଯେପରି କୌଣସି ପ୍ରକାର କ୍ଷତି ନହୁଏ ସେନେଇ ତାଲିବାନ ପ୍ରତିଶ୍ରୁତିବଦ୍ଧ ବୋଲି ମହମ୍ମଦ ସୁହୈଲ ଏଏନଆଇ ଗଣମାଧ୍ୟମକୁ କହିଛନ୍ତି । ଏହାବ୍ୟତୀତ ପାକିସ୍ତାନ ତାଲିବାନକୁ ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।


ପକ୍ତିଆ ଇଲାକାରେ ଶିଖ୍ ମାନଙ୍କ ଗୁରୁଦ୍ୱାରାରୁ ନିଶାନା ସାହେବ ପତାକା ହଟାଇବାକୁ ମଧ୍ୟ ତାଲିବାନ ପ୍ରତ୍ୟାଖାନ କରିଛି । ତାଲିବାନର ଭୟରେ ଶିଖମାନେ ନିଜେ ଏହାକୁ ହଟାଇଥିଲେ ।ହେଲେ ସଙ୍ଗଠନ ପକ୍ଷରୁ ଶିଖ ସମ୍ପ୍ରଦାୟକୁ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ପୁନର୍ବାର ଗୁରୁଦ୍ୱାରରେ ପତାକା ଉଡିଥିଲା ବୋଲି ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ।