ଷୋଡ଼ଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟନାରାୟଣ : ବାଚନିକ ଭୋଟରେ ପ୍ରସ୍ତାବ ପାରିତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

142

କନକ ବ୍ୟୁରୋ : ସୂର୍ଯ୍ୟନାରାୟଣ ପାତ୍ର ହେଲେ ବାଚସ୍ପତି ।  ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ହେଲେ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ।  ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡଶ ବିଧାନସଭାର ବାଚସ୍ପତି ଭାବେ ବଛାହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଧାୟକ । ବାଚନିକ ଭୋଟରେ ପ୍ରସ୍ତାବ ପାରିତ ହୋଇଛି । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବାରୁ ଆଜି ସର୍ବସମ୍ମତକ୍ରମେ ସୂର୍ଯ୍ୟନାରାୟଣ ପାତ୍ର ଓଡିଶା ବିଧାନସଭାର ୨୨ତମ ବାଚସ୍ପତି ନିର୍ବାଚିତ ହୋଇଛନ୍ତି  । ଗଣତନ୍ତ୍ର ମନ୍ଦିରର ମର୍ଯ୍ୟାଦା ରଖିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର । ଏହା ସହ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି  ।

ସୂର୍ଯ୍ୟପାତ୍ର ରାଜ୍ୟ ରାଜନୀତିର ଏକ ତୁଙ୍ଗ ଚେହେରା । ବିଧାୟକ ଭାବେ ସୂର୍ଯ୍ୟ ପାତ୍ର ୭ ଥର ନିର୍ବାଚିତ ହୋଇଛନ୍ତି । ଦୁଇ ଥର ଜନତା ଦଳରୁ ଓ ଲଗାତାର ୫ଥର ବିଜେଡ଼ିରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ମୋହନା ଓ ଦିଗପହଣ୍ଡିରୁ ଲଗାତାର ବିଧାନସଭାକୁ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ଗଂଜାମ ବିଜେଡି ରାଜନୀତିର ଅନ୍ୟତମ ହେଭିୱେଟ୍ । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ, ସଂସ୍କୃତି ଓ ପର୍ଯ୍ୟଟନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଳାଇ ସାରିଛନ୍ତି । ଏଥର ବିଧାନସଭାରେ ବିଜେପି ଏକ ଶକ୍ତ ବିରୋଧୀ ଦଳ ଭାବେ ନିଜକୁ ଉପସ୍ଥାପିତ କରିଥିବାରୁ ଗୃହ ପରିଚାଳନା ପାଇଁ ସୂର୍ଯ୍ୟଙ୍କ ଅନୁଭୂତି ଅଭିଜ୍ଞତା ଉପରେ ଅଧିକ ଭରସା କରିଛନ୍ତି ନବୀନ ପଟ୍ଟନାୟକ । ରାଜନୀତରେ ବେଶ ଅଭିଜ୍ଞତା ଥିବା ଏହି ନେତା ସୂଚନାରୂପେ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଇଛି । ନୂଆ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏହାସହ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ନୂଆ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ନେଇ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୂର୍ଯ୍ୟ ପାତ୍ରଙ୍କ ନାମ ଉପରେ ବିକ୍ରମ କେଶରୀ ଆରୁଖ ଗୃହରେ ପ୍ରସ୍ତାବ ଆଣିବା ସହ ନିଜେ ସମର୍ଥନ ମଧ୍ୟ କରିଥିଲେ। ପରେ ଔପଚାରିକ ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ପାଖରେ ଆବେଦନ କରିଥିଲେ । ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇ ନଥିବାରୁ ନିଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।