୨୦୨୪ ପାଇଁ ବିଜେପିର କସରତ, ମନମୋହନଙ୍କ ନୂଆ ଟିମକୁ ଶାହା ଦେବେ ମନ୍ତ୍ର । ଗୋଲକ କହିଲେ, ଶାସନ କ୍ଷମତାକୁ ଫେରିବାକୁ ନୂଆ ଟିମ କରିବ କାମ । 

205

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଘୋଷଣା ହୋଇଛି ମନମୋହନଙ୍କ ନୂଆ ଟିମ୍ । ୩୫ ଜଣିଆ ନୂଆ ଟିମକୁ ଆସନ୍ତାକାଲି ଗୁରୁମନ୍ତ୍ର ଦେବେ ଅମିତ ଶାହା । ଓଡ଼ିଶା ଗସ୍ତରେ ଅମିତ ଶାହା ଆସୁଥିବା ବେଳେ ଦଳର ନୂଆ ପଦାଧିକାରୀଙ୍କ କାନରେ ନିର୍ବାଚନ ପାଇଁ ମନ୍ତ୍ର ଫୁଙ୍କିବେ । ଯାହା ନୂଆ ଟିମର ମନୋବଳ ବଢାଇବ ବୋଲି କହିଛନ୍ତି ମନମୋହନଙ୍କ ଟିମରେ ଉପ-ସଭାପତି ଭାବେ ସ୍ଥାନ ପାଇଥିବା ଗୋଲକ ମହାପାତ୍ର । ବୁଥ ସ୍ତରରୁ ଦଳ କିଭଳି ମଜବୁତ ହୋଇଛି ସେ ବାବଦରେ ଆଲୋଚନା ହେବ । କାରଣ ଗତଥର ଶାହା ଓଡ଼ିଶା ଆସି ବୁଥ ସ୍ତରକୁ ମଜବୁତ କରିବାକୁ ମନ୍ତ୍ର ଦେଇଥିଲେ । ୨୦୨୪ ପାଇଁ କଣ ରଣନୀତି ରହିବ ସେ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍କ ଆଲୋଚନା ହେବ ବୋଲି କହିଛନ୍ତି ଗୋଲକ ।

ସେହିଭଳି ମନମୋହନଙ୍କ ନୂଆ ଟିମରୁ ବାଦ ପଡିଥିବା ନେତାଙ୍କୁ ନେଇ ଗୋଲକ କହିଛନ୍ତି, ସବୁ ବର୍ଗର ଓ ସବୁ ଅଞ୍ଚଳର ଲୋକଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଆସନ୍ତା ନିର୍ବାଚନରେ ଦଳକୁ କ୍ଷମତାରେ ବସାଇବାକୁ କାମ କରିବ । ଆମର ମୁଖ୍ୟ ଫୋକସରେ ରହିବ ଆଗାମୀ ନିର୍ବାଚନ । ଟିମରୁ ବାଦ୍ ପଡିଥିବା ନେତାଙ୍କୁ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବାକୁ ସମୟ ମିଳିବ । ଯେହେତୁ ନିର୍ବାଚନକୁ ଆଉ ଅଳ୍ପ କେଇ ମାସ ବାକି ଅଛି ତେଣୁ ଦଳ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଲଢୁଥିବା ନେତାଙ୍କୁ ନିର୍ବାଚନମଣ୍ଡଳୀରେ ଧ୍ୟାନ ଦେବାକୁ ସୁଯୋଗ ଦେଇଛି । କାରଣ ଆଗାମୀ ନିର୍ବାଚନରେ ବିଜୟୀ ହେବା ଦଳର ସବୁଠୁ ବଡ ପ୍ରାଥମିକତା ସାଜିଛି ।

ଓଡ଼ିଶାର ବିକାଶ କେମିତି ହେବ ତାହା କେନ୍ଦ୍ରର ବିଜେପି ସରକାର ଚିନ୍ତା କରୁଛି । କିନ୍ତୁ ବିଜେଡି ବିରୋଧରେ ଦଳ ତୃଣମୂଳସ୍ତରରେ ଯେମିତି ଲଢେଇ କରୁଥିଲା ତାହା ଜାରି ରହିବ ବୋଲି କହିଛନ୍ତି ଗୋଲକ ମହାପାତ୍ର । ଏହାଛଡା ଦିଲ୍ଲୀ ଅଧ୍ୟାଦେଶ ବିଲକୁ ବିଜେଡିର ସମର୍ଥନ ନେଇ ଗୋଲକ କହିଛନ୍ତି, ଏହି ବିଲକୁ ସମର୍ଥନ କରିବାକୁ ବିରୋଧୀଙ୍କୁ ମଧ୍ୟ ମୋଦୀ ଅପିଲ କରିଛନ୍ତି । ଦେଶର ହିତ ଦୃଷ୍ଟିରୁ ଅନେକ ଦଳ ଏହାକୁ ସମର୍ଥନ କରୁଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ।