ଦକ୍ଷିଣ ଆଫ୍ରିକାର ଅଧିନାୟକ ହେଉଛନ୍ତି ‘ହନୁମାନ’ଙ୍କ ଭକ୍ତ । ପୂର୍ବରୁ ଟିମ୍ ଜିତିବା ପରେ ସୋସିଆଲ ମିଡ଼ିଆରେ ଲେଖିଥିଲେ ଜୟ ଶ୍ରୀରାମ ।

262

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ୨-୨ରେ ଶେଷ ହୋଇଛି । ଶେଷ ମ୍ୟାଚରେ ବର୍ଷା ବାଧକ ହେବା କାରଣରୁ ୨-୨ରେ ବରାବର ରହିଛି ସିରିଜ । ଶେଷ ମ୍ୟାଚରେ ମାତ୍ର ୩.୩ ଓଭର ଖେଳାଯାଇଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଆଉ ଏହାପରେ ସମ୍ଭବପର ହୋଇନଥିଲା ଖେଳ । ତେବେ ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇଥିଲା । ଆହତ କାରଣରୁ ଟେମ୍ବା ବାଭୁମା ଶେଷ ମ୍ୟାଚରୁ ବାଦ୍ ପଡିଥିବା ବେଳେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜଙ୍କ ହାତରେ ଅଧିନାୟକ ଭାର ଦେଇଥିଲା ଦକ୍ଷିଣ ଆଫ୍ରିକା ଦଳ । ଆଉ ସଂଯୋଗ ଦେଖନ୍ତୁ ଭାରତ ବିପକ୍ଷରେ ହିଁ କେଶବ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ତେବେ କେଶବ ଦକ୍ଷିଣ ଆଫ୍ରିକାରେ ରହୁଥିଲେ ତାଙ୍କର ଠାଣି ପୂରା ଭାରତୀୟ । ଆଉ ଏହାର ଝଲକ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଭାରତ ପରାଜିତ ହୋଇଥିଲା ସେତେବେଳେ କେଶବ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଥିଲେ ଜୟ ଶ୍ରୀରାମ । ଆଉ ଏହି ପୋଷ୍ଟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜୋରଦାର ଭାଇରାଲ ହୋଇଥିଲା ।

ଏହାଛଡା କେଶବ ହେଉଛନ୍ତି ପ୍ରଭୁ ହନୁମାନଙ୍କର ବଡ ଭକ୍ତ । ଭାରତୀୟ ବଂଶୋଦ୍ଭବ କେଶବ ଆଫ୍ରିକାରେ ରହୁଥିଲେ ମଧ୍ୟ ହିନ୍ଦୁ ରୀତିନୀତିରେ ହେଉଥିବା ସମସ୍ତ ପୂଜାପର୍ବାଣି ନିଜ ଘରେ ପାଳନ କରିଥାନ୍ତି । ଏହାବାଦ୍ ଉତ୍ତରପ୍ରଦେଶ ସୁଲତାନପୁର ସହ କେଶବ ମହାରାଜଙ୍କର ସମ୍ପର୍କ ଯୋଡି ହୋଇ ରହିଛି । କେଶବଙ୍କ ବାପାଙ୍କ କହିବା ଅନୁଯାୟୀ, ଆମର ପୂର୍ବଜ ମାନେ ସୁଲତାନପୁର ଅଞ୍ଚଳର । ତେବେ ୧୮୭୪ ମସିହାରେ ଭଲ ରୋଜଗାର ଆଶାରେ ଭାରତରୁ ଦକ୍ଷିଣ ଆଫ୍ରିକା ଚାଲି ଆସିଥିଲେ ତାଙ୍କ ପରିବାର । ସେତେବେଳେ ଦକ୍ଷିଣ ଆଫ୍ରିକାରେ ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ରହିଥିଲା । ତେଣୁ ତାଙ୍କ ପରିବାର ସେବେଠାରୁ ଆସି ଦକ୍ଷିଣ ଆଫ୍ରିକାରେ ବସବାସ କରୁଛନ୍ତି ।

କେଶବ ମହାରାଜଙ୍କ ପରିବାର କହିଲେ ମୋଟ ୪ ଜଣ । ବାପା-ମା’ଙ୍କ ସମେତ କେଶବଙ୍କର ଜଣେ ଭଉଣୀ ରହିଛନ୍ତି । ମହାରାଜ ଉପନାମ ପୂର୍ବଜ ମାନେ ଦେଇଥିବା କହିଛନ୍ତି କେଶବଙ୍କ ବାପା । ଆଉ ଏହି ଉପନାମର ମହତ୍ତ୍ୱ ଭାରତରେ କଣ ତାହା ବେଶ ଭଲ ଭାବେ ଜାଣିଛୁ । କେଶବଙ୍କ ବାପା ମଧ୍ୟ ଜଣେ କ୍ରିକେଟର ଭାବେ ଜଣାଶୁଣା । ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟରେ ୱିକେଟ କିପର ଭାବେ ଖେଳିଛନ୍ତି କେଶବଙ୍କ ବାପା । କିନ୍ତୁ ଜାତୀୟ ଟିମରେ ସୁଯୋଗ ପାଇନାହାନ୍ତି । କାରଣ ସେତେବେଳେ କ୍ରିକେଟକୁ ନେଇ ଦକ୍ଷିଣ ଆଫ୍ରିକାରେ ସେତେଟା କ୍ରେଜ ନଥିଲା ।