କିଏ କୌରବ, କିଏ ପାଣ୍ଡବ ! ରାହୁଲଙ୍କ ମହାଭାରତ ଥିଓରି

94

ମୋଦିଙ୍କ ସେନାକୁ କୌରବ ଓ କଂଗ୍ରେସକୁ ପାଣ୍ଡବ ବୋଲି ତୁଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ଦଳର ୮୪ତମ ମହାଅଧିବେଶନରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ମହାଘୋଟାଲ କରି ଫେରାର ହୋଇଯାଇଥିବା ନୀରବ ମୋଦିଙ୍କ ମଧ୍ୟରେ ସଂପର୍କ ରହିଛି । ୨୦୧୯ ଲଢ଼େଇ ପାଇଁ ବିଗୁଲ୍ ବଜାଇ, କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି-ଏଥର ନିର୍ବାଚନରେ କଂଗ୍ରେସ ଜିତିବ ଏବଂ ବିଜେପି ହାରିବ ।

କଂଗ୍ରେସ ୮୪ତମ ମହାଅଧିବେଶନରେ ଖଚାଖଚ ଭରା ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳକୁ ନୂଆ ଦିଶା ଦେଇପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୋଦିଙ୍କ ବିଜେପି ଓ କଂଗ୍ରେସର ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ, ମହାଭାରତର ପୌରାଣିକ କଥାର ଉଦାହାରଣ ରଖିଛନ୍ତି । ଏପରିକି କଂଗ୍ରେସ ହେଉଛି ପାଣ୍ଡବ ଓ ବିଜେପି କୌରବ ସହ ତୁଳନା କରିବାକୁ ପଛାଇନାହାନ୍ତି ରାହୁଲ ।
୨୦୧୪ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ବିଜେପି ସହ ଲଢ଼େଇ କରି, ସବୁଠାରୁ ଶୋଚନୀୟ ପରାଜୟ ଭୋଗିଥିବା କଂଗ୍ରେସ ପାଇଁ ମୋଦି ହିଁ ସବୁଠାରୁ ବଡ ଚ୍ୟାଲେଂଜ୍ ।ଆଉ ଅଧିବେଶନରେ ରାହୁଲଙ୍କ ସବୁ କଥାର ଟାର୍ଗେଟ୍ ଥିଲେ ନରେନ୍ଦ୍ର ମୋଦି ।ଗୋଟିଏ ପଟେ ରାହୁଲଙ୍କ ନେତୃତ୍ୱ ଅନ୍ୟପଟେ ମୋଦିଙ୍କ ନେତୃତ୍ୱ, ଯାହା ସାଧାରଣ ଚର୍ଚ୍ଚାରେ କୁହାଯାଏ-ରାହୁଲଙ୍କ ଆଗରେ ରହିଛି ପାହାଡ଼ ଭଳି ଚ୍ୟାଲେଂଜ୍ । କିନ୍ତୁ ମଧ୍ୟପ୍ରଦେଶ ଏବଂ ରାଜସ୍ତାନର ଉପ-ନିର୍ବାଚନ ଫଳାଫଳ ରାହୁଲଙ୍କୁ ବେଶ ଆଶ୍ୱସ୍ତ କରିଛି ।

ନିଜ ଅଭିଭାଷଣରେ ରାହୁଲ-କର୍ମୀଙ୍କ କଥାକୁ ବେଶ ଜୋର ଦେଇ କହିବାକୁ ଭୁଲି ନଥିଲେ । ବଡ ପାଟିରେ କହିଥିଲେ-ପାରାସୁଟରେ ଆକାଶରୁ ଖସୁଥିବା ନେତାଙ୍କୁ ଆଉ ଟିକେଟ୍ ମିଳିବ ନାହିଁ । ମହାଅଧିବେଶନର ଶେଷ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି- ଅର୍ଥନୀତିର ତ୍ରୁଟିପୂର୍ଣ୍ଣ ପରିଚାଳନା କରିଛନ୍ତି ମୋଦି ସରକାର । ଏଥିସହ ଜମ୍ମୁକାଶ୍ମୀର ଉପରେ ମତ ଦେଇ ମନମୋହନ କହିଛନ୍ତି-ମୋଦି ସରକାର, ଗମ୍ଭୀରତାର ସହ ପରିଚାଳନା କରିବାରେ ବିଫଳ ହୋଇଛନ୍ତି ।

ଋାହୁଲଙ୍କୁ ଟାର୍ଗେଟ କରି ବିଜେପି କହିଛି, ରାହୁଲଙ୍କ ମୁହଁରେ ପରାଜୟ ଓ ହତାଶାର ଭାଷା ବୋଲି ସେ କହିଛନ୍ତି । ଏପରିକି ଶ୍ରୀରାମଙ୍କ ଅସ୍ଥିତ୍ୱକୁ ଗ୍ରହଣ କରୁନଥିବା କଂଗ୍ରେସ ମୁହଁରେ ପାଣ୍ଡବ ବାଣୀ ଶୋଭାପାଉନି ବୋଲି ବିଜେପି କହିଛି ।