ଶତକ ପରେ ଆଉ ଏକ ଅର୍ଦ୍ଧଶତକ ଆଡକୁ ମୁହାଁଉଛି ପିଆଜ ଦର । ଦୋକାନୀ ବିକିବା ବନ୍ଦ କଲେଣି, ଗ୍ରାହକ ଦର ଶୁଣି ଛାନିଆ ।

462

କନକ ବ୍ୟୁରୋ : ପିଆଜ କିଲୋ ସେଞ୍ଚୁରୀ ମାରିସାରିଛି । ଅର୍ଥାତ୍ ଶହେ ପାର କରିସାରିଛି । ତେବେ ବଡ କଥା ହେଉଛି, ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କିଲେ ପିଆଜ ୧୨୦ ଟଙ୍କାରେ ପହଁଚି ଯାଇଛି । ଗ୍ରାହକ ମୁଣ୍ଡରେ ହାତ ଦେଇଦେଇଛି । ଆଉ ଦୋକାନୀ ପିଆଜ ବିକିିବା ବନ୍ଦ କରିଦେଇଛି । ମହଙ୍ଗା ମାଡରେ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ ପିଆଜର ବର୍ଦ୍ଧିତ ଦର, ଛାନିଆ କରିଦେଲାଣି । ଏସବୁ ଭିତରେ ସରକାର କହୁଛନ୍ତି, ଡିସେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ପିଆଜ ଦରରେ ନିୟନ୍ତ୍ରଣ ଆସିବ ।

କେଉଁଠି ଶହେ ତ ଆଉ କେଉଁଠି ୧୧୦ । କେଉଁଠିତ ୧୨୦ ଛୁଇଁଲାଣି । ଶତକ ମାରି ଆଉ ଏକ ଅର୍ଦ୍ଧଶତକ ଆଡକୁ ମୁହାଁଉଛି ପିଆଜ । ଦର ଉପରେ ଆଉ ନିୟନ୍ତ୍ରଣ ନାହିଁ । ରାତି ପାହିଲେ ଦର ବଢୁଛି । ସପ୍ତାହ ମଧ୍ୟରେ ଓଡିଶା ବଜାରରେ କିଲେ ପିଆଜ ପାଖାପାଖି ୪୦ ଟଙ୍କା ବଢିଗଲାଣି । ଗ୍ରାହକ, ଦୋକାନକୁ ଦୋକାନ ବୁଲି ମୂଲ୍ୟ ପଚାରୁଛନ୍ତି । ହେଲେ ସବୁଠି ଗୋଟିଏ ଦର ।

ବଜାରରେ ଆଉ ଶହେ ଟଙ୍କା ତଳକୁ ପିଆଜ ନାହିଁ । ରାଉରକେଲାରେ ୧୨୦, ଯାଜପୁରରେ ୧୨୦, ଜଗତସିଂହପୁରରେ ୧୦୦, ଦେବଗଡରେ ୧୨୦, ପାରଳାଖେମୁଣ୍ଡିରେ ୧୨୦, ଅନୁଗୁଳରେ ୧୧୦, ନୟାଗଡରେ ୧୨୦, କଟକରେ ୧୨୦ ଏବଂ ବ୍ରହ୍ମପୁରରେ ୧୧୦ ଟଙ୍କାରେ କିଲେ ପିଆଜ ବିକ୍ରି ହେଉଛି । ଅନେକ ଦୋକାନରେ ପିଆଜ ନାହିଁ । ଏପଟେ କଟକରେ ଥିବା ସରକାରୀ ଆଦର୍ଶ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ ନାହିଁ । ଦର ବୃଦ୍ଧି ହେବା ଦିନଠାରୁ ପିଆଜ କିଲୋ ପିଛା ୫୦ଟଙ୍କାରେ ବିକ୍ରି ହେଉଥିଲା । ପରେ ୮୦ ଟଙ୍କା ଥିଲା । ଏବେ ଖାଲି ହୋଇଯାଇଛି ସରକାରୀ ଦୋକାନ ।

ବାଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ ଏବଂ ଆନ୍ଧ୍ରରୁ ଓଡିଶାକୁ ପିଆଜ ଆସିଥାଏ । ହେଲେ ଏଥର ଅନିୟମିତ ବର୍ଷା ପିଆଜ ଉତ୍ପାଦକୁ ବେଶ୍ କମାଇ ଦେଇଛି । ଏପଟେ ସରକାରଙ୍କ କହିବା କଥା, ଆସନ୍ତା ୧୨ ତାରିଖରେ ମୁମ୍ବାଇରେ ପହଁଚିଯିବ ଇଜିପ୍ଟ ପିଆଜ । ତାପରେ ମୁମ୍ବାଇରୁ ଓଡିଶା ଆସିବ । ଏଥିସହ ଡିସେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ନୂଆ ପିଆଜ ଉତ୍ପାଦନ ହୋଇଯିବ । ଫଳରେ ପିଆଜ ଦର ନିୟନ୍ତ୍ରଣକୁ ଆସିଯିବ ।