କୋଣାର୍କ ବିରୋଧରେ ଷଡ଼ଯନ୍ତ୍ର! ବୈଠକ ହେଲା, ତନାଘନା ହେଲା, ଫୁସ୍; ଆପତ୍ତି ଉଠାଇଲା ଇନଟାକ୍, ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି

ପରସ୍ପର ବିରୋଧୀ ରିପୋର୍ଟ ଦେଲା ରୁରକି, ମନ୍ଦିର ଯଦି ସୁରକ୍ଷିତ, ବାଲି ଭର୍ତି ହେବ କାହିଁକି?

147

କନକ ବ୍ୟୁରୋ: ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର ଜଗମୋହନ ସବୁ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏହାର ମୂଳଦୁଆ ଓ କାନ୍ଥ ସବୁ ପ୍ରକାରର ଚାପ ସମ୍ଭାଳିବାର ଶକ୍ତି ରଖିଛି। ଦୁଇଟି ପର୍ଯ୍ୟାୟରେ ବିଶଦ ଭାବେ ଅନୁଧ୍ୟାନ କରିବା ପରେ ଏକଥା ଆଉ କେହି ନୁହେଁ, ରୁରକିସ୍ଥିତ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନ ଓ ଆନ୍ତର୍ଜାତିକ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ପରିଷଦ ଏଭଳି ରିପୋର୍ଟ ଦେଇଛନ୍ତି। ଏହି ବିଶେଷଜ୍ଞମାନେ କିନ୍ତୁ ଜଗମୋହନରୁ ବାଲି କାଢିବା ଲାଗି ରାଜି ହୋଇନାହାନ୍ତି। ବରଂ ଦବିଯାଇଥିବା ଅଂଶରେ ସାନି ବାଲି ଭର୍ତି କରିବା ଲାଗି ସୁପାରିସ କରିଛନ୍ତି।

ଗତ ଡିସେମ୍ବର ୧୦ରେ ଭୁବନେଶ୍ବରରେ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏଭଳି ପରସ୍ପର ବିରୋଧୀ ମତ ବିଳମ୍ବରେ ହେଲେ ବି ସାମ୍ନାକୁ ଆସିଛି। ଏହି ବୈଠକର ବିରରଣୀରେ ଏମିତି ସୁପାରିସ କରାଯାଇଛି, ଯାହାକୁ ଦେଖି ବିଶେଷଜ୍ଞମାନେ ଚିନ୍ତାପ୍ରକଟ କଲେଣି। ପ୍ରଶ୍ନ ଉଠିଛି, ଯଦି ଜଗମୋହନ ଏତେ ସଶକ୍ତ ରହିଛି, ତେବେ ବାଲି ଭର୍ତି ହୋଇ କାହିଁକି ରହିବ? ସର୍ବ ସାଧାରଣଙ୍କୁ ଏହି ଐତିହ୍ୟ କୀର୍ତିରାଜିକୁ ଭିତରୁ ଦେଖିବା ପାଇଁ କାହିଁକି ବଞ୍ଚିତ କରାଯିବ? ୧୦୦ ବର୍ଷ ଭିତରେ ଆମ .ଇଞ୍ଜିନିୟରିଂ ଜ୍ଞାନ କୌଶଳରେ କିଛି ଉନ୍ନତି ହୋଇନାହିଁ। ସେବେ ସୁରକ୍ଷା ଦେବା ପାଇଁ ବାଲି ଭର୍ତି କରାଯାଇଥିଲା। ଏବେ ବି ସେୟା?

ସବୁଠାରୁ ବଡ କଥା ହେଉଛି, ରୁରକିର ବିଶେଷଜ୍ଞମାନଙ୍କ ଏଭଳି ପରସ୍ପର ବିରୋଧୀ ସୁପାରିସ ସଂପର୍କରେ ଡିସେମ୍ବର ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ବୈଠକ ବିବରଣୀରେ ଉଲ୍ଲେଖ ରହିଛି। ଜାନୁଆରୀ ୭ ତାରିଖରୁ ଏଏସଆଇ କର୍ତୃପକ୍ଷ ଏହି ରିପୋର୍ଟ ପଠାଇଲେଣି। ୫ମାସ ବିତିଗଲାଣି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ କାହିଁକି ବସିଛି, ତାହା ବୁଝାପଡୁନାହିଁ। ବିଶ୍ବପ୍ରସିଦ୍ଧ କୋଣାର୍କ ବିରୋଧରେ ଏକ ବଡ଼ ଧରଣର ଷଡଯନ୍ତ୍ର ଚାଲିନି ତ?

ଏପଟେ ଇନଟାକ୍ ଓଡ଼ିଶା ଚାପ୍ଟର ଆବାହକ ଅମୀୟ ଭୂଷଣ ତ୍ରିପାଠୀ ଏ ନେଇ ରାଜ୍ୟ ସରକାରଙ୍କୁ ଆପତ୍ତି ଜଣାଇଛନ୍ତି। ନୂଆ କରି ଦାୟିତ୍ବ ନେଇଥିବା ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଚିଠି ଲେଖି ରୁରକି ବିଶେଷଜ୍ଞଙ୍କ ରିପୋର୍ଟକୁ ଗ୍ରହଣ ନ କରିବା ଲାଗି ପ୍ରବର୍ତାଇଛନ୍ତି। କେବଳ ସେତିକି ନୁହେଁ, ଇନଟାକ୍, ସଂରକ୍ଷଣ ପ୍ରକ୍ରିୟା ସହିତ ସଂପୃକ୍ତ ପୂର୍ବତନ ପୂର୍ତ ସଚିବ ଗୋପାଳ ମିତ୍ର ଓ ଅନୀଲ ଦେ ପ୍ରମୁଖଙ୍କ ସହିତ ଆେଲାଚନା ଲାଗି ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରୀ ତ୍ରିପାଠୀ କୋଣାର୍କ ସୁରକ୍ଷାକୁ ନେଇ ଘଟିଥିବା ସମୁଦାୟ ପ୍ରସଙ୍ଗ ସଂପର୍କରେ ସଂସ୍କୃତି ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।