Pahalgam 33 Photograph: (google)
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଅର୍ଥାତ୍ TRF ଏହି ଆକ୍ରମଣର ଦାୟିତ୍ବ ନେଇଛି ।
ପର୍ଯ୍ୟଟକ ଘାଟିରେ ଅଶ୍ବାରୋହଣ କରିବା ସମୟରେ ଆତଙ୍କବାଦୀ ସେଠାରେ ପହଁଞ୍ଚିଥିଲେ ଏବଂ ପଞ୍ଜାବୀ ଭାଷାରେ ସେମାନଙ୍କୁ ଧର୍ମ ପଚାରିଥିଲେ । ସମସ୍ତଙ୍କ ପରିଚୟ ଜାଣିବା ପରେ ନର ରାକ୍ଷସ ଆରମ୍ଭ କରିଥିଲେ ଗୁଳିବର୍ଷା । ପାଖାପାଖି ୫୦ ରାଉଣ୍ଡ ଫାୟାରିଂ କରି ନିରୀହଙ୍କୁ ମାରି ପକାଇଲେ ଆତଙ୍କବାଦୀ । ସୂତ୍ର ଅନୁସାରେ , ମୃତକଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ରହିଛନ୍ତି । ଏମିତିକି ନାଁ ପଚାରି ପଚାରି ଗୁଳି ମାରିଥିବା ଖବର ମଧ୍ୟ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।
ମୃତକମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ , ଗୁଜରାଟ, ମହାରାଷ୍ଟ୍ର , କର୍ଣ୍ଣାଟକ , ତାମିଲନାଡୁ ଏବଂ ଓଡ଼ିଶାର ପର୍ଯ୍ୟଟକ ଅଛନ୍ତି । ଏହା ସହିତ ନେପାଳ ଏବଂ ୟୁଏଇର ଜଣେ ଲେଖାଏଁ ପର୍ଯ୍ୟଟକ ଏବଂ ୨ ଜଣ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପରେ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।
ଆତଙ୍କୀ ପ୍ରଥମେ ପର୍ଯ୍ୟଟକଙ୍କ ନାଁ ପଚାରିଲେ , ପରେ ଜଣ ଜଣ କରି ପୁରୁଷମାନଙ୍କୁ ଗୁଳି ମାରିଲେ । ସମସ୍ତଙ୍କୁ ଗୁଳି କରି ଦୌଡ଼ି ପଳାଇଲେ ଆତଙ୍କବାଦୀ ।
କର୍ଣ୍ଣାଟକର ମଞ୍ଜୁନାଥ ନିଜ ଧର୍ମପତ୍ନୀଙ୍କ ସହ କାଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପତ୍ନୀ ଆତଙ୍କୀଙ୍କ ଗୋଡ଼ ଧରି କହିଥିଲେ ଯେ ‘ମୋ ସ୍ବାମୀକୁ ମାରିଲ ମତେ ବି ମାରିଦିଅ ।’ କିନ୍ତୁ ନରରାକ୍ଷସ କହିଲେ ‘ମୋଦୀକୁ କହିବା ପାଇଁ ତୁମକୁ ଛାଡୁଛୁ ।’
ପହଲଗାମ୍ ଆତଙ୍କୀ ଆକ୍ରମଣରେ ହରିଆଣାର ନୌସେନା ଅଧିକାରୀ ଲେଫ୍ଟନାଣ୍ଟ୍ ବିନୟ ନରୱାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଦୁଃଖର ବିଷୟ ହେଉଛି ୭ ଦିନ ପୂର୍ବରୁ ହିଁ ତାଙ୍କ ବିବାହ ହୋଇଥିଲା ଏବଂ ସେ ହନିମୁନ୍ ପାଇଁ କାଶ୍ମୀର ଆସିଥିଲେ ।
ଏହି ଆକ୍ରମଣରେ କାନପୁରର ଶୁଭମ୍ ଦ୍ବିବେଦୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ୨ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ସେ ନିଜ ପତ୍ନୀ ଏବଂ ପରିବାରର ୧୧ ଜଣ ସଦସ୍ୟଙ୍କ ସହ କାଶ୍ମୀର ବୁଲିବାକୁ ଆସିଥିଲେ ।
ବିହାରର ମନୀଷ ରଞ୍ଜନଙ୍କୁ ତାଙ୍କ ପତ୍ନୀ ଏବଂ ୨ ସନ୍ତାନଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲେ ନର ରାକ୍ଷସ ଆତଙ୍କବାଦୀ । ରଞ୍ଜନଙ୍କ ପତ୍ନୀ ଏବଂ ୨ ସନ୍ତାନ ସୁରକ୍ଷିତ ଅଛନ୍ତି ।
ବୃଦ୍ଧଙ୍କୁ ମଧ୍ୟ ଛାଡ଼ିଲେନି ଆତଙ୍କବାଦୀ । ଆହତ ଅବସ୍ଥାରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୃଦ୍ଧ ବ୍ୟକ୍ତି ।
Follow Us