ଅମରନାଥ ଯାତ୍ରା ପୂର୍ବରୁ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଜମ୍ମୁ-କାଶ୍ମୀରର ପହଲଗାମ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁସାରେ ଏହି ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆକ୍ରମଣ ହୋଇଥିବା ସ୍ଥାନରେ ସେନା ଯବାନ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ପାହାଡ଼ିଆ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ କଭର୍ କରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ସେନା ଯବାନ । ସୂଚନା ଅନୁସାରେ, ଆହତ ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇ ଦିଆଯାଇଛି । 

Advertisment

ପୁଲିସର କହିବାନୁସାରେ, ମଙ୍ଗଳବାର ଅନନ୍ତନାଗ ଜିଲ୍ଲାର ପହଲଗାମରେ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ । ସମାଚାର ଏଜେନ୍ସି ପିଟିଆଇକୁ ଜଣେ ମହିଳା ଫୋନ୍ କରି ତାଙ୍କ ସ୍ବାମୀଙ୍କ ମୁଣ୍ଡରେ ଗୁଳି ବାଜିଥିବା କଥା କହିଥିଲେ । ଅନ୍ୟ ୭ ଜଣ ପର୍ଯ୍ୟଟକ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି । ଉକ୍ତ ମହିଳା ଜଣକ ନାଁ ନକହି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ନେହୁରା ହୋଇଥିଲେ । ତେବେ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି । ତେବେ ପୁଲିସ ଏବଂ ସେନାର ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳ ଏବେ ହାଇ ଆଲର୍ଟରେ ରହିଛି । କିନ୍ତୁ କେତେ ସଂଖ୍ୟକ ଆତଙ୍କବାଦୀ ଅଛନ୍ତି ଏବଂ କେମିତି ଆକ୍ରମଣ ହେଲା ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।