କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଏହି ଆକ୍ରମଣର ଦାୟିତ୍ବ ନେଇଛି । ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଗୁଇନ୍ଦା ସୂତ୍ରରୁ ଜଣାପଡିଛି , ପହଲଗାମ ଆକ୍ରମଣରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ଏହି ସମୟରେ ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ଜଣ ଆତଙ୍କୀଙ୍କୁ ସେନା ଯବାନ ଗୁଳି କରି ହତ୍ୟା କରିଛନ୍ତି । 

Advertisment
pahalgam case
pahalgam case Photograph: (google)

ମିଡିଆ ରିପୋର୍ଟ ଅନୁସାରେ , ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି ମାରିବା ପୂର୍ବରୁ ସେମାନଙ୍କର ନାଁ ପଚାରିଥିଲେ ଏବଂ କଲମା ପଢ଼ିବାକୁ କହିଥିଲେ । ପର୍ଯ୍ୟଟକଙ୍କ ଭିତରେ ଉତ୍ତରପ୍ରଦେଶର ଶୁଭମ୍ ଦ୍ବିବେଦୀ ମଧ୍ୟ ଥିଲେ , ଯାହାଙ୍କ ନାଁ ପଚାରିବା ପରେ ଆତଙ୍କବାଦୀମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ । ମୃତକମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ , ଗୁଜରାଟ, ମହାରାଷ୍ଟ୍ର , କର୍ଣ୍ଣାଟକ , ତାମିଲନାଡୁ ଏବଂ ଓଡ଼ିଶାର ପର୍ଯ୍ୟଟକ ଅଛନ୍ତି । ଏହା ସହିତ ନେପାଳ ଏବଂ ୟୁଏଇର ଜଣେ ଲେଖାଏଁ ପର୍ଯ୍ୟଟକ ଏବଂ ୨ ଜଣ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପରେ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । 

pahalgam case 1
pahalgam case 1 Photograph: (google)

ତେବେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ ଖବର ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବର ୨ ଦିନିଆ ଗସ୍ତ ବାତିଲ୍ କରି ବୁଧବାର ସକାଳେ ଭାରତ ଫେରି ଆସିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶ୍ରୀନଗରରେ ପହଞ୍ଚିଛନ୍ତି ଏବଂ ଶ୍ରୀନଗରରୁ ସେ ପହଲଗାମ ଯିବେ । ବିରୋଧୀ ଦଳର ନେତା ରାହୁଲ୍ ଗାନ୍ଧୀ ମଧ୍ୟ ଶାହଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଆମେରିକା , ଇରାନ୍ , ଋଷ , ଇଟାଲୀ , ୟୁଏଇ ସମେତ ଅନେକ ଦେଶ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି । ଜମ୍ମୁ-କାଶ୍ମୀରରେ ୧୪ ଫେବ୍ରୁଆରୀ ୨୦୧୯ ରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଏହା ସବୁଠାରୁ ବଡ଼ ଆକ୍ରମଣ । ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା , ଯେଉଁଥିରେ ୪୦ ଜଣ ଯବାନ ସହିଦ୍ ହୋଇଥିଲେ । ଏହି ଆକ୍ରମଣର ଦାୟିତ୍ବ ଜୈଶ-ଏ-ମହମ୍ମଦ ନେଇଥିଲା । 

pahalgam case 2
pahalgam case 2 Photograph: (google)

ପହଲଗାମ ଆକ୍ରମଣ ପରେ ଯେତେବେଳେ ଭାରତୀୟ ସେନାର ଯବାନମାନେ ବୈସରନ ଘାଟିରେ ପହଞ୍ଚିଥିଲେ । ସେତେବେଳେ ପର୍ଯ୍ୟଟକମାନେ ତାଙ୍କୁ ଆତଙ୍କବାଦୀ ବୋଲି ଭାବିଥିଲେ କାରଣ ଯେଉଁ ଆତଙ୍କୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ , ସେମାନେ ମଧ୍ୟ ସେହି ପୋଷାକ ପିନ୍ଧିଥିଲେ । ଯବାନମାନଙ୍କୁ ଦେଖି ମହିଳା ଓ ଶିଶୁମାନେ ହାତ ଯୋଡ଼ି କାନ୍ଦିବାକୁ ଲାଗିଲେ । ଏହାପରେ ଯବାନମାନେ ଭୟଭୀତ ପର୍ଯ୍ୟଟକଙ୍କୁ ଭାରତୀୟ ସେନାର ଯବାନ ବୋଲି କହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ପୂରା ଦେଶର ଆତ୍ମାକୁ ଦୋହଲାଇ ଦେଇଛି ।