ହାଇଦ୍ରାବାଦ ସହରର କାଞ୍ଛା ଗାଛିବୌଲି ଜଙ୍ଗଲ ବର୍ତ୍ତମାନ ଜାତୀୟ ସ୍ତରରେ ବଡ଼ ପ୍ରସଙ୍ଗ ପାଲଟିଛି । HCU ବିଶ୍ବବିଦ୍ୟାଳୟ ନିକଟରେ ଥିବାରୁ ଏହାକୁ ହାଇଦ୍ରାବାଦର ‘ହାର୍ଟ’ ବୋଲି କୁହାଯାଏ । ୪୦୦ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲକୁ ‘ଗ୍ରୀନଲ୍ୟାଣ୍ଡ’ ବୋଲି ମଧ୍ୟ କୁହାଯାଏ । ଏହି ଜଙ୍ଗଲରେ ଅନେକ ବଡ଼ ବଡ଼ ଗଛ ଥିଲା ଯାହା ବନ୍ୟ ଜୀବଜନ୍ତୁଙ୍କ ଘର ପାଲଟିଥିଲା । କିନ୍ତୁ ସଭ୍ୟ ସମାଜର ସୌନ୍ଦର୍ଯ୍ୟକରଣ ଭିତରେ ବଳି ପଡ଼ିଗଲା ଅନେକ ଗଛ ଆଉ ବେସାହାରା ହୋଇଗଲେ ଅନେକ ଜୀବଜନ୍ତୁ । ସୋସିଆଲ୍ ମିଡ଼ିଆରେ ଏହି ଘଟଣାକୁ ନେଇ ସ୍ବର ଉତ୍ତୋଳନ କଲେ HCU ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ , ପରିବେଶବିତ୍ ଏବଂ ସ୍ଥାନୀୟ ଲୋକେ ।
/kanak/media/media_files/2025/04/20/EuMW3tbWGipBNeDe59Hh.jpg)
ଛୁଟି ଚାଲିଥିବା ସମୟରେ ସବୁଜିମାଭରା ଜଙ୍ଗଲକୁ କୃତ୍ରିମ ଶ୍ମଶାନରେ ପରିଣତ କରିଥିଲା ଜେସିବି , ବୁଲଡୋଜର୍ । ଘଟଣାଟି ସେତେବେଳେ ଜାତୀୟ ସ୍ତରରେ ମୁଣ୍ଡ ଟେକିଲା ଯେତେବେଳେ ସୋସିଆଲ୍ ମିଡ଼ିଆର ବିଭିନ୍ନ ସାଇଟରେ ଗୋଟିଏ ମୟୂର କାନ୍ଦିବାର ଭିଡ଼ିଓ ଘୂରି ବୁଲିଲା । ପ୍ରଶ୍ନ ଉଠିଲା , ବିକାଶ ନାଁରେ ୪୫୫ ରୁ ଅଧିକ ପ୍ରଜାତୀକୁ ନିଜ କୋଳରେ ସ୍ଥାନ ଦେଇଥିବା ଏହି ଜଙ୍ଗଲକୁ କାଟିବା କେତେ ଦୂର ଠିକ୍ ? ଛାତ୍ରଛାତ୍ରୀଙ୍କ ଘନ ଘନ ପ୍ରତିବାଦରେ ଚେତିଲା ପ୍ରଶାସନ ଆଉ ରୋକିଲା ଜଙ୍ଗଲ କାଟ୍ । ଗତ ସପ୍ତାହରେ ଏହି ଘଟଣାକୁ ନେଇ ତେଲେଙ୍ଗାନାର ଚିଫ୍ ସେକ୍ରେଟାରୀଙ୍କ ଉପରେ ଖୁବ୍ ବର୍ଷିଥିଲେ ସୁପ୍ରିମକୋର୍ଟ । ଜଙ୍ଗଲର ରିଷ୍ଟୋରେସନ୍ ନହେଲେ ଜେଲ୍ ଯିବାକୁ ରେଡ୍ଡି ରୁହ ବୋଲି ଚିଫ୍ ସେକ୍ରେଟାରୀଙ୍କୁ ସଫା ସଫା କହିଥିଲେ ସୁପ୍ରିମକୋର୍ଟ । ତେବେ ବୁଧବାର ପୁଣିଥରେ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ।
/kanak/media/media_files/2025/04/20/A4ancx6wNbnxPaqalMPc.jpg)
ଏପ୍ରିଲ୍ ୧୬ ତାରିଖ ବୁଧବାର ସୁପ୍ରିମକୋର୍ଟ ଏହି ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ଜଙ୍ଗଲକୁ ଯଥାଶୀଘ୍ର ପୂର୍ବସ୍ଥିତିକୁ ଅଣାଯାଉ । ତୁରନ୍ତ ଜଙ୍ଗଲ ରିଷ୍ଟୋରେସନ୍ ପାଇଁ ପ୍ଲାନ୍ ତିଆରି କର ନହେଲେ ଅଧିକାରୀ ଜେଲ୍ ଯିବାକୁ ପ୍ରସ୍ତୁତ ହୁଅ । ତେଲେଙ୍ଗାନାର ୱାଇଲ୍ଡ ଲାଇଫ୍ ୱାର୍ଡେନଙ୍କୁ ଜଙ୍ଗଲ କାଟରେ ପ୍ରଭାବିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଆଦେଶ ଦେଲେ ସୁପ୍ରିମକୋର୍ଟ । ତେଲେଙ୍ଗାନା ସରକାରଙ୍କୁ ଏହାର ଜବାବ୍ ଦେବା ପାଇଁ ୪ ସପ୍ତାହ ସମୟ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜଙ୍ଗଲରେ ଗୋଟିଏ ବି ଗଛ ନ କାଟିବା ପାଇଁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଯଦି ରାଜ୍ୟ ସରକାର ଏନେଇ ବିରୋଧ ପ୍ରଦର୍ଶନ କରନ୍ତି ତା’ହେଲେ ଅଧିକାରୀଙ୍କୁ ସେହି ଜଙ୍ଗଲରେ ଅସ୍ଥାୟୀ ଜେଲରେ ପଠାଇଦେବାକୁ ପ୍ରସ୍ତାବ ଦିଆଗଲା ।
/kanak/media/media_files/2025/04/20/p2FZGqOJnAi9UhZureCD.jpg)
ଏହି ମାମଲାରେ ଏମିକସ୍ କ୍ୟୁରି ସାଜିଥିବା ବରିଷ୍ଠ ଓକିଲ କେ.ପରମେଶ୍ବର ବେଞ୍ଚକୁ ସିଇସିର ଗୋଟିଏ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ କୁହାଯାଇଥିଲା ଯେ ତେଲେଙ୍ଗାନାର ଅଧିକାରୀ ଜଙ୍ଗଲରୁ ଗଛ କାଟିବା ପାଇଁ ବୁଲଡୋଜରକୁ ଡାକିବା ପୂର୍ବରୁ ହିଁ ଗୋଟିଏ ବେସରକାରୀ କମ୍ପାନିକୁ ୧୦ ,୦୦୦ କୋଟି ଟଙ୍କାରେ ବନ୍ଧା ପକାଇ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟର ଚିଫ୍ ସେକ୍ରେଟାରୀ ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ରଖିବାକୁ ଭୁଲି ଯାଇଥିଲେ । ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଏହି କମ୍ପାନୀ କେତେବେଳେ ବି ଉକ୍ତ ଜମିକୁ ନିଜର ବୋଲି କହିପାରେ । ତେବେ ସେ ଯାହା ହେଉନା କାହିଁକି ବର୍ତ୍ତମାନର ମୁଖ୍ୟ ମୁଦ୍ଦା ହେଉଛି କେମିତି ୧୦୦ ଏକରର ଜଙ୍ଗଲକୁ ରିଷ୍ଟୋର୍ କରିବା ।
ଆପଣଙ୍କୁ କହିରଖୁଛୁ ତେଲେଙ୍ଗାନାର କଂଗ୍ରେସ ସରକାର ଏହି ଜଙ୍ଗଲକୁ କାଟି ଏଠାରେ ଆଇଟି ପାର୍କ ତିଆରି କରି TGIC କୁ ନିଲାମ୍ କରିବାର ଯୋଜନା ରଖିଥିଲା । କିନ୍ତୁ ପ୍ରତିବାଦ,ହୋହଲ୍ଲା ଯୋଗୁଁ କାମ ଅଧାରେ ଅଟକିଲା । ଗୋଟିଏ ପଟେ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଘଟଣାରେ ପ୍ରତିବାଦ କରୁଥିବା ବେଳେ ଆଉ ଗୋଟିଏ ପଟେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ଶୁଣାଣି କରିଛନ୍ତି । ଏହି ଘଟଣା ସେତେବେଳେ ଅଧିକ ଚର୍ଚ୍ଚାରେ ଆସିଲା ଯେତେବେଳେ ବନ୍ୟଜନ୍ତୁ ଜଙ୍ଗଲ କାଟର ବିରୋଧ କରିଥିଲେ । ଗଛ କାଟିବାକୁ ଆସିଥିବା ବୁଲଡୋଜର୍ ସହ କେମିତି ହାତୀ ଲଢ଼େଇ କରୁଥିଲା ଏବଂ ହାତୀର ମୁଣ୍ଡରେ କେମିତି ଆଘାତ ଲାଗିଥିଲା ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।