କଥାରେ ଅଛି , ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ । ରେଳୱେ ଷ୍ଟେସନରୁ ଛୋଟ ଛୁଆଟିଏ ଚୋରି ହୁଏ , ଆଉ ଖଣ୍ଡିଆଖାବରା ଅବସ୍ଥାରେ ଗୋଟିଏ ପରିତ୍ୟକ୍ତ ଘରୁ ମିଳେ । ଛୋଟ ଛୁଆଟିର କାନ୍ଦ ଶୁଣି ଜଣେ ଯୁବତୀ ଉକ୍ତ ଘରକୁ ଆସନ୍ତି ଏବଂ ଛୁଆଟିକୁ ଉଦ୍ଧାର କରି ବାହାରକୁ ଆଣନ୍ତି । ଏ ବିଧାତାର ଖେଳ ନୁହେଁ ତ ଆଉ କ’ଣ । ବଲିଉଡର ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କୁ ତ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କ ଭଉଣୀ ଖୁସବୁ ପଟ୍ଟାନୀ ଏବେ ସୋସିଆଲ୍ ମିଡ଼ିଆରେ ପ୍ରଶଂସାର ପାତ୍ର ହୋଇଛନ୍ତି । ପୂର୍ବତନ ଆର୍ମି ଅଫିସର୍ ରହିଥିବା ଖୁସବୁ ଗତ ରବିବାର ଘରେ ଥିବା ବେଳେ ତାଙ୍କ ମା’ଙ୍କୁ ଛୁଆ କାନ୍ଦିବାର ସ୍ବର ଶୁଣାଗଲା । କାନ୍ଦର ସ୍ବର ଅଧିକ ସମୟ ଧରି ଶୁଭୁଥିବାରୁ ସେ ଝିଅକୁ ଏକଥା କହିଥିଲେ । ଖୁସବୁ ସଙ୍ଗେ ସଙ୍ଗେ ଘର ପଛପଟ ପରିତ୍ୟକ୍ତ ଘରକୁ ଯିବା ବେଳେ ଭୂମି ତଳେ ଛୁଆଟିଏ ଖଣ୍ଡିଆଖାବରା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ୍ କୁନି ଝିଅଟିକୁ ଉଠାଇ ଖୁସବୁ ବାହାରକୁ ଆଣିଲେ ଏବଂ କ୍ଷୀର ପିଇବାକୁ ଦେଲେ । ଛୁଆଟିର ଅବସ୍ଥା ଏତେ ଖରାପ ଥିଲା ଯେ ସେ ଭଲରେ କ୍ଷୀର ମଧ୍ୟ ପିଇ ପାରୁନଥିଲା । ଏହାର ଏକ ଭିଡ଼ିଓ ଖୁସବୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଥିଲେ । ଭିଡ଼ିଓରେ ସେ ଏମିତି ବାପା,ମା’ଙ୍କୁ ଧିକ୍କାର କରିଛନ୍ତି ଯେଉଁମାନେ ଛୁଆ ଜନ୍ମ କରି ପିଲାଙ୍କ ଯତ୍ନ ନେଇ ନପାରି ବାହାରେ ଫୋପାଡୁଛନ୍ତି ।
/kanak/media/media_files/2025/04/22/H6Uz6ovKvkFZMBu16Yup.jpg)
ଘଟଣାଟି ମଧ୍ୟପ୍ରଦେଶ ବରେଲିର ବୋଲି ଜଣାପଡିଥିବା ବେଳେ ଖୁସବୁ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ । ପୁଲିସ କୁନି ଝିଅଟିକୁ ଉଦ୍ଧାର କରି ପରିବାରକୁ ଖୋଜିବାରେ ଲାଗି ପଡ଼ିଥିଲେ । ସୌଭାଗ୍ୟବଶତଃ ଝିଅଟିର ମା’ଙ୍କୁ ଖୋଜିବାରେ ସଫଳ ହୋଇଥିଲେ ବରେଲି ପୁଲିସ । ମା’ କୋଳକୁ ଫେରିବା ପରେ ଛୋଟ ଛୁଆଟିର ଖୁସି କହିଲେ ନସରେ । ପୁଲିସ୍ ଏବଂ ଖୁସବୁ ପ୍ରଥମେ ଝିଅଟିର ଚିକିତ୍ସା କରାଇଲେ ପରେ ମା’ କୋଳକୁ ଫେରିଲା ଛୁଆ । ଏହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଇନଷ୍ଟାଗ୍ରାମରେ ଖୁସବୁ ପୋଷ୍ଟ୍ କରିଥିଲେ ଯାହାକୁ ଦେଖି ୟୁଜର୍ସ ଖୁସବୁଙ୍କୁ ବାଃ ବାଃ କରୁଛନ୍ତି । ବଲିଉଡ୍ ଅଭିନେତ୍ରୀ ତଥା ଭଉଣୀ ଦିଶା ପଟ୍ଟାନୀ , ଅଭିନେତ୍ରୀ ଭୂମି ପାଡନେକର୍ ଖୁସବୁଙ୍କୁ ଏନେଇ ପ୍ରଶଂସା କରିବା ସହ ଝିଅଟିର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଛନ୍ତି ।
/kanak/media/media_files/2025/04/22/J6iGPkUb2P8i6k2Y4ISu.jpg)
ତେବେ ଓଡ଼ିଶାରେ ମଧ୍ୟ ଲଗାତାର ଶିଶୁ ନିଖୋଜର ଖବର ବଢିବାରେ ଲାଗିଛି । ଏମିତି ଲାଗୁଛି ଯେମିତି ପିଲାବେଳର ମା’ଙ୍କ କାହାଣୀ ଧୀରେ ଧୀରେ ସତ ହେଉଛି । ପିଲା ନ ଶୋଇଲେ ମା’ କହୁଥିଲେ ଶୋଇ ପଡ଼ ନହେଲେ ଅଖାବାୟା ଆସି ତତେ ନେଇଯିବ । ବୋଧହୁଏ ସେ ଅଖାବାୟା କାହାଣୀରୁ ବାହାରି ଆସିଛି । ଆଉ ଗୋଟିଏ ଗୋଟିଏ ଛୁଆକୁ ଉଠାଇ କୁଆଡ଼େ ନେଇ ଯାଉଛି । ଏ ଚିନ୍ତା ସେତେବେଳେ ଅଧିକ ବଢିଲା ଯେତେବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ଦେଲେ ଯେ ଗତ ୫ ବର୍ଷରେ ରାଜ୍ୟରେ ୮,୪୦୩ ଶିଶୁ ନିଖୋଜ ଅଛନ୍ତି । ଏବେ ବଡ଼ ପ୍ରଶ୍ନ ଉଠୁଛି ଏତେ ଶିଶୁ ଯାଉଛନ୍ତି କୁଆଡ଼େ? କିଏ ନେଉଛନ୍ତି ଏମାନଙ୍କୁ ? କେଉଁ ଉଦ୍ଦେଶ୍ୟରେ ଛୁଆମାନଙ୍କୁ ନିଆଯାଉଛି? ଏହା ପଛରେ ଶିଶୁ ଚାଲାଣ ରାକେଟ୍ କାମ କରୁଛି କି? କ’ଣ କରୁଛି ପୁଲିସ? କାହିଁକି ଶିଶୁ ଚୋରି କରୁଥିବା ରାକେଟ ପାଖରେ ପହଞ୍ଚି ପାରୁନି ପୁଲିସ? ଗୋଟିଏ ପଟେ ଯାଜପୁରର କୁନି ଝିଅ ପିହୁ , ରାମମନ୍ଦିରରେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଶିଶୁ ଚୋରି , ମୟୂରଭଞ୍ଜରୁ ପିଲା ଚୋରି ଆଉ ଏବେ ଡେଲାଙ୍ଗର ନାବାଳକ ଆଶୀର୍ବାଦର ମୃତଦେହ ପାଇଖାନା ଟାଙ୍କିରୁ ବାହାରିବା ଘଟଣା ସାରା ଓଡ଼ିଶାର ଛାତିକୁ ଦୋହଲାଇ ଦେଇଛି । ପ୍ରଶ୍ନ ଉଠୁଛି ରାଜ୍ୟରେ ନିରାପଦ ନୁହଁନ୍ତି କି ଶିଶୁ? ଆଉ କେତେ ଶିଶୁଙ୍କ ନିଖୋଜର ଖବର ଶୁଣିବ ଓଡ଼ିଶା ?