କଥାରେ ଅଛି, ରାଗ ପରମ ଚଣ୍ଡାଳ । ରାଗିଥିବା ସମୟଟି ସମ୍ବେଦନଶୂନ୍ୟ, ସେହି ସ୍ବଳ୍ପ ମୁହୂର୍ତ୍ତ ମଣିଷକୁ ପିଶାଚ କରିବାରେ ଆଦୌ ଅବହେଳା କରେନି । ଆଉ ଏହି ରାଗ କାରଣରୁ କେତେ ଯେ ଜୀବନ ଚାଲିଯାଇଛି ତାହାର ବି ଠିକଣା ନାହିଁ । ସଂପର୍କରେ ବିଷଧର ସାପର କାମ କରୁଥିବା ସନ୍ଦେହ ଆଉ ରାଗ ପ୍ରେମର ମଧୁରତାକୁ ଭୁଲିଯାଏ । ଯେମିତି ଅନୁଷାଙ୍କ ପ୍ରେମ ଭୁଲିଗଲେ ଜ୍ଞାନେଶ୍ବର । ଆନ୍ଧ୍ରପ୍ରଦେଶର ମଧୁରାୱଡ଼ାର ୨୮ ବର୍ଷୀୟ ଯୁବକ ଜ୍ଞାନେଶ୍ବର ୨୭ ବର୍ଷୀୟା ଅନୁଷାଙ୍କୁ ପ୍ରେମବିବାହ କରିଥିଲେ । ପରିବାରର ବିରୋଧରେ ଯାଇ ୨୦୨୨, ଡିସେମ୍ବର ୧୦ ତାରିଖରେ ଦୁଇ ମନ ଏକାଠି ହୋଇଥିଲେ । ହସ ଖୁସିରେ ସୁଖର ସଂସାର ଚାଲିଥିଲା କିନ୍ତୁ କିଛି ଦିନ ପରେ ହିଁ ଦୁହିଁଙ୍କ ବୈବାହିକ ଜୀବନକୁ କାହାର ଯେମିତି ନଜର ଲାଗିଲା । 

Advertisment
andhra case
andhra case Photograph: (google)

ଜ୍ଞାନେଶ୍ବରଙ୍କ କହିବା ମୁତାବକ ଅନୁଷା ସ୍ବାମୀଙ୍କୁ ଅନ୍ୟ କାହା ସହ ସଂପର୍କରେ ଥିବା ନେଇ ସନ୍ଦେହ କରୁଥିଲେ । ତେଣୁ ପ୍ରତିଦିନ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଏନେଇ ତୁ ତୁ,ମେ ମେ ହେଉଥିଲା । କିନ୍ତୁ ୫ ଦିନ ତଳେ ସ୍ବାମୀ,ସ୍ତ୍ରୀଙ୍କ ଝଗଡ଼ା ଉଗ୍ର ରୂପ ନେଲା । ଗର୍ଭବତୀ ସ୍ତ୍ରୀ ଅନୁଷା ଆଉ ସପ୍ତାହେ ପରେ ଛୁଆ ଜନ୍ମ କରିଥା’ନ୍ତେ । ବାପା ଡାକ ଶୁଣିଥା’ନ୍ତେ ଜ୍ଞାନେଶ୍ବର । ହେଲେ ତା’ ପୂର୍ବରୁ ସବୁ ସାରିଦେଲା ନିମିଷକର ରାଗ । ଝଗଡ଼ା ଭିତରେ ହିତାହିତ ଜ୍ଞାନ ଭୁଲି ଗର୍ଭବତୀ ସ୍ତ୍ରୀର ଗଳାକୁ ଚିପି ବେହୋସ କରିଦେଲେ ପତୀ ପରମେଶ୍ବର । ରାଗ ଶାନ୍ତ ହେବା ପରେ ଚାରିଆଡ଼େ ଫୋନ୍ କରି କହିଲେ ଅନୁଷା ଚେତାଶୂନ୍ୟ ହୋଇଯାଇଛି । କାଳେ ଡେଲିଭରି ସମୟ ପୂର୍ବରୁ ହୋଇଯିବ ଏହା ଭାବି ଘରେ ସଂପର୍କୀୟ ପହଞ୍ଚିଗଲେ ଏବଂ ଗର୍ଭବତୀଙ୍କୁ ହସ୍ପିଟାଲ୍ ନେଇଗଲେ । ହେଲେ ଅନୁଷାଙ୍କୁ ଚେକଅପ୍ କରି ଡାକ୍ତର କହିଲେ ‘I am Sorry , She is NO more’ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ହସ୍ପିଟାଲ୍ ପରିସର, ଆଉ ନିଜ ଭୁଲ୍ ବୁଝିଲେ ଜ୍ଞାନେଶ୍ବର । ପୋଲିସ ଆଗରେ କାନ୍ଦି କାନ୍ଦି ସବୁ ସତ ସ୍ବୀକାର କଲେ । ପରିବାର ଲୋକ ମଧ୍ୟ ଏଭଳି ସ୍ବାମୀକୁ କଠୋର ଦଣ୍ଡ ଦେବା ପାଇଁ ପୋଲିସଙ୍କୁ ଅପିଲ୍ କଲେ । କିଛି ସମୟର ରାଗ ପାଇଁ ପ୍ରାଣପ୍ରିୟା ପତ୍ନୀକୁ ହରାଇବା ସହ ପରିବାରକୁ ମଧ୍ୟ ନିଜଠାରୁ ଦୂରେଇ ଦେଇ ଜେଲ୍‌ର କଳା କୋଠରୀରେ ଏବେ ଦିନ କାଟୁଛନ୍ତି ଜ୍ଞାନେଶ୍ବର । 

ap case
ap case Photograph: (google)

ତେବେ ଗର୍ଭବତୀଙ୍କୁ ହତ୍ୟା ଘଟଣା କେବଳ ଆନ୍ଧ୍ରପ୍ରଦେଶରେ ନୁହେଁ ଓଡ଼ିଶାରେ ମଧ୍ୟ ଘଟିଛି । ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ହତ୍ୟା କରିଛନ୍ତି ଶାଶୁଘର । କେନ୍ଦ୍ରାପଡ଼ା ରାଜନଗର ଥାନା ବାଲି ସାହିପାଟଣାର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ ଆଳି ଥାନା ନଳପାହି ଗାଁର ଝିଅ କଳ୍ପନା ପରିଡା । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ ଘର ପକ୍ଷରୁ ଦିଆଯାଇଥିଲା ।  

kendrapada case
kendrapada case Photograph: (Kanak News)

କିନ୍ତୁ ଶାଶୁଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବାପଘର । କିନ୍ତୁ ଯୌତୁକଲୋଭୀ ଶାଶୁଘର ଏବେ ୯ ମାସର ଗର୍ଭବତୀ ଝିଅକୁ ଜୀବନରୁ ମାରି ଦେଇଥିବାର ଅଭିଯୋଗ ଆଣୁଛନ୍ତି ବାପଘର । ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରୁଥିବାବେଳେ କଳ୍ପନାଙ୍କ ଶାଶୂଘର ଲୋକେ ଫେରାର ହୋଇଯାଇଛନ୍ତି ।