ସାରା ଦେଶରେ ସିଏଏ ନିଆଁ : ଆସାମରେ ଫସିଛନ୍ତି ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌, ହିଂସା ଥମିଲା ପରେ ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱର ଆଣିବାକୁ ଯୋଜନା

364

କନକ ବ୍ୟୁରୋ : ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ଉଗ୍ରରୂପ ଧାରଣ କରିଛି ।  ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସେଠାରେ ଲାଗି ରହିଥିବା ଆନ୍ଦୋଳନ ଓ କର୍ଫ୍ୟୁ ଯୋଗୁଁ ୬୫ ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌ ଗୌହାଟିରେ ଫସି ରହିଛନ୍ତି । ଏହି ୬୫ ଜଣ ଏନ୍‌ସିସି କ୍ୟାଡେଟ୍‌ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁସାରେ, ଡିସେମ୍ବର ୯ ତାରିଖରେ ଏନ୍‌ସିସି କ୍ୟାଡେଟ୍‌ମାନେ ବ୍ରହ୍ମପୁର ଛାଡ଼ି ମେଘାଳୟର ଶିଲଂ ଅଭିମୁଖେ ଯାତ୍ରା କରିଥିଲେ । ଶିଲଂରେ ଆୟୋଜିତ ‘ଉତ୍ତର ପୂର୍ବାଞ୍ଚଳ ଟ୍ରେକିଂ କ୍ୟାମ୍ପ’ରେ ଯୋଗଦେବାକୁ ଏହି କ୍ୟାଡେଟ୍‌ମାନେ ଯାତ୍ରା କରିଥିଲେ । ସେମା‌ନେ ଡିସେମ୍ବର ୧୧ରେ ଗୌହାଟିରେ ପହଞ୍ଚିଥିଲେ । ମାତ୍ର ଗୌହାଟିରେ ନାଗରିକତା ସଂଶୋଧନ ଆଇନଙ୍କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଯୋଗୁଁ କର୍ଫ୍ୟୁ ଜାରି ହୋଇଥିବାରୁ ସେମାନେ ସେଠାରେ ଫସି ରହିଛନ୍ତି । ସେମାନଙ୍କ ଶିଲଂ ଟ୍ରେକିଂ କ୍ୟାମ୍ପ୍‌ ବାତିଲ୍‌ କରି ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ଗୌହାଟିରେ ହିଂସା ଥମିଲା ପରେ ସେମାନଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ବରକୁ ଆଣିବା ଯୋଜନା କରାଯାଉଛି । ଏହି କ୍ୟାଡେଟ୍‌ମାନେ ଗୌହାଟିର ଏକ ଆର୍ମି କ୍ୟାମ୍ପ୍‌ରେ ରହିଥିବା ସୂଚନା ମିଳିଛି ।