ମାଲକାନଗିରିରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । ୩୧୫୦ ଟଙ୍କା ପ୍ରତି କୁଇଂଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧା ସଳଖ ମାଣ୍ଡିଆ କ୍ରୟ କରୁଛନ୍ତି ରାଜ୍ୟ ସରକାର ।

358

କନକ ବ୍ୟୁରୋ : ଏଣିକି ଆଦିବାସୀଙ୍କୁ ମିଳିବ ତାଙ୍କର ଖାଦ୍ୟଶସ୍ୟର ଉଚିତ ମୂଲ୍ୟ । ମାଣ୍ଡିଆ ବିକ୍ରି କରିବାକୁ ଆଉ ହଟହଟା ହେବେନି ଚାଷୀ । କାରଣ ମାଲକାନଗିରି ସ୍ୱାଭିମାନ ଅଂଚଳରୁ ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି । ୩ହଜାର ୧୫୦ ଟଙ୍କା ପ୍ରତି କୁଇଂଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧା ସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର । କୃଷୀ ମନ୍ତ୍ରୀ ଅରୁଣ ସାହୁ, କୃଷୀ ସଚିବ ପ୍ରମୁଖ ମାଲକାନଗିରି ସ୍ୱାଭିମାନ ଅଂଚଳ ପହଁଚି ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କରିଛନ୍ତି ।

ମଣ୍ଡିରେ ମାଣ୍ଡିଆ ବିକିଲେ ଚାଷୀ । ପୂର୍ବରୁ ହାଟ ବଜାର କିମ୍ବା ଦଲାଲ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ କଷ୍ଟ ଉପାର୍ଜିତ ମାଣ୍ଡିଆ, ଶାଗ ମାଛ ଦରରେ ବିକ୍ରି ହେଉଥିଲା । ଏବେ କିନ୍ତୁ ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାର ସୁବିଧା ପାଇଛନ୍ତି ଚାଷୀ । ପ୍ରତି କିସମର ଏଫ.ଏ.କ୍ୟୁ ମାନର ମାଣ୍ଡିଆ ଦରକୁ ୩୧୫୦ ଟଙ୍କା ପ୍ରତି କୁଇଂଟାଲ ଧାର୍ଯ୍ୟ କରାଯାଇଥିବା ବେଳେ ଦୂର ଦୂରାନ୍ତରୁ ଘୋଡା ପିଠିରେ ମାଣ୍ଡିଆ ବୋହି ଆଣିଥିଲେ ଚାଷୀ । ଆଉ ପ୍ରଥମ ଦିନରେ ୨ ଶହ କୁଇଂଟାଲ ମାଣ୍ଡିଆ ବିକି ଥିଲେ ସ୍ୱାଭିମାନ ଅଂଚଳର ଚାଷୀ ।

ଧାନ ପରି ମାଣ୍ଡିଆର ମଧ୍ୟ ଅନେକ କିସମ ରହିଛି । ମାଲକାନଗିରି ଜିଲ୍ଲାରେ ବିଶେଷ କରି ବଡ ମାଣ୍ଡିଆ, ସାନ ମାଣ୍ଡିଆ ଓ ଭୌରବୀ, ନାଲି ମାଣ୍ଡିଆ ପରି ୫ ପ୍ରକାର ମାଣ୍ଡିଆ ଚାଷ କରନ୍ତି ଚାଷୀ । ଆଉ ଏହା ହେଉଛି ଆଦିବାସୀଙ୍କ ପାରମ୍ପରିକ ଫସଲ । ତେଣୁ ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଣ୍ଡିଆ ମଣ୍ଡିର ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଚଳିତ ବର୍ଷ କେବଳ ସ୍ୱାଭିମାନ ଅଂଚଳରୁ ପ୍ରାୟ ୨୦୦୦ ମାଣ୍ଡିଆ ଚାଷୀଙ୍କ ନାମ ପଂଜିକୃତ ହୋଇ ଥିବା ବେଳେ ସାରା ଜିଲ୍ଲାରେ ଏବେ ବି ପଂଜିକରଣ ପ୍ରକ୍ରିୟା ଜାରି ରହିଛି । ଆଉ ସାରା ଜିଲ୍ଲାରେ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଭିନ୍ନ ଭିନ୍ନ ୨୬ଟି ସ୍ଥାନରେ ମଣ୍ଡି ଆୟୋଜନ କରି ଚଳିତ ବର୍ଷ ୨୦ ହଜାର କୁଇଂଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ସ୍ୱାଭିମାନ ଅଂଚଳର ପାହାଡିଆ ଇଲାକାରେ ଅଧିକ ପରିମାଣରେ ମାଣ୍ଡିଆ ଉତ୍ପାଦନ ହେଉଥିବାରୁ ସ୍ୱାଭିମାନ ଅଂଚଳରେ ପହଁଚି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସହ କୃଷି ସଚିବ, କୃଷି ନିର୍ଦ୍ଦେଶକ ଓ ମିଲେଟ ମିଶନର ଅଧିକାରୀ ପ୍ରମୁଖ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କରିଛନ୍ତି ।

ପୂର୍ବରୁ ସ୍ୱାଭିମାନ ଅଂଚଳରେ ଲୋକ ଗଂଜେଇ ଚାଷକୁ ନିଜ ରୋଜଗାରର ପନ୍ଥା ଭାବେ ଆପଣେଇ ଥିଲେ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉ ଥିବାରୁ ଲୋକେ ଏବେ ମାଣ୍ଡିଆ, ହଳଦି, ବିରି, ମୁଗ ପରି ଖାଦ୍ୟ ଶସ୍ୟ ଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ।