ମଶାଣି ପାଲଟିଗଲାଣି ୟୁକ୍ରେନର ବଡବଡ ସହର । ଚାରିଆଡେ ଧ୍ୱଂସର ତାଣ୍ଡବଲୀଳା , ଚାରିଆଡେ ପଡିରହିଛି ମୃତଦେହ ।

780

କନକ ବ୍ୟୁରୋ: ଋଷ ଆକ୍ରମଣରେ ଛାରଖାର ୟୁକ୍ରେନ୍ । ବଦଳିଯାଇଛି ଏହାର ମାନଚିତ୍ର । ଯୁଆଡେ ଦେଖିଲେ ଖାଲି ଧ୍ୱଂସ ଆଉ ଧ୍ୱଂସର ତାଣ୍ଡବଲୀଳା । ଶ୍ମଶାନ ପାଲଟିଛି ବଡବଡ ସହର । ପ୍ରାଣ ହରାଉଛନ୍ତି ହଜାରହଜାର ନିରୀହ ନାଗରିକ ।

ଋଷ- ୟୁକ୍ରେନ ଯୁଦ୍ଧ ଆସି ୩୫ ଦିନରେ ପହଞ୍ଚିଲାଣି । ଲଗାତାର ଆକ୍ରମଣରେ ୟୁକ୍ରେନକୁ ଚିହ୍ନିବା ଅସମ୍ଭବ ହୋଇପଡିଛି । ଯୁଆଡେ ଆଖି ଯାଉଛି ସିଆଡେ ଖାଲି ଧୂଆଁ । ଏହାର ବଡବଡ ସହର ମଶାଣି ପାଲଟିଛି । ସବୁଠୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ମାରିୟୁପୋଲରେ । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଏଠାରେ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଅନେକ ନିଜ ବାସ ହରାଇ କଲବଲ ବଳକା ଲୋକ । ଦୃଶ୍ୟ ଏତେ ହୃଦୟଥରା ଯେ, ଏହାକୁ ଭାଷାରେ କହିବା କଷ୍ଟକର । ଏଠିକାର ହସ୍ପିଟାଲ ଗୁଡିକ ଋଷ ସେନାର ଆକ୍ରମଣରେ ଧୂଳିସାତ୍ , ଯେତିକି ହସ୍ପିଟାଲ ରହିଛି ସେଠି ଖାଲି ଶୁଭୁଛି ଆହତଙ୍କ ଆର୍ତ୍ତ ଚିକ୍ରାର । କେତେବେଳେ କେଉଁଠି ଋଷର କେଉଁ ବୋମା ପଡିବ ଆଉ କେତେବେଳେ କାହାର ଜୀବନ ଯିବ ସେନେଇ ଭୟରେ ଥରୁଛନ୍ତି ବର୍ତ୍ତିଯାଇଥିବା ୟୁକ୍ରେନ ନାଗରିକ ।

ସବୁଠୁ ଦୟନୀୟ ଦୃଶ୍ୟ ହେଉଛି ,ୟୁକ୍ରେନର ଅଧିକାଂଶ ସହର ମାନଙ୍କରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି ଯେ, ଯେ ରାସ୍ତାଘାଟରେ ଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳୁଛି । ଆଉ ଗୋଳାବାରୁଦ ଓ ବୋମା ବର୍ଷଣ ଭିତରେ ଏହି ଶବ ଗୁଡିକୁ ଯଥା ସ୍ଥାନରେ ପୋତିବାକୁ ବି ଯାଗା ନାହିଁ । ବାଧ୍ୟ ହୋଇ ଏଗୁଡିକୁ ସ୍କୁଲ ହତା ଓ ପାର୍କ ମାନଙ୍କରେ ପୋତି ଦିଆଯାଉଛି ।

କହିରଖୁଁ ମାରିୟୁପୋଲ ହେଉଛି ୟୁକ୍ରେନର ଏପରି ସହର, ,ଯଉଁଠାରେ ଯୁଦ୍ଧ ବିରାମ ଆଣିବାକୁ ପ୍ରଥମେ ଘୋଷଣା କରିଥିଲା ଋଷ । କହିଥିଲା ଏଠାରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯବ । ସୋମନଙ୍କ ପାଇଁ ହ୍ୟୁମାନ କରିଡର ହେବ ଯେଉଁଠାରେ ସେମାନେ ସୁରକ୍ଷିତ ରହିବେ । କିନ୍ତୁ ଠିକ୍ ତାର ଓଲଟା କଲା । ଉଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କଲା ଋଷ ସେନା । ଆଉ ଏହି ସୁନ୍ଦର ସହରକୁ ମିସାଇଲ ମାଡ କରି ମାଟିରେ ମିଶାଇଦେଲା ।

ୟୁକ୍ରେନ ମାରିୟୁପୋଲ ସହରକୁ ଏବେ ସିରିୟାର ଅଲେପ୍ପୋ ସହର ସହ ତୁଳନା କରାଯାଉଛି । ଏଠାରେ ଆଉ ଶବ ଗୁଡିକୁ ମଶାଣି ଯାଏଁ ନେବା ସମ୍ଭବ ହେଉନାହିଁ । ସେଗୁଡକୁ ପାର୍କ , ସ୍କୁଲ ପରିସରରେ ପୋତିଦିଆଯାଉଛି । ଏଠାରେ ସଞ୍ଚାର ସେବା ମଧ୍ୟ ଠପ୍ ହୋଇଯାଇଛି । ବର୍ତ୍ତି ଯାଇଥବା କିଛି ମାତ୍ର ଲୋକ ନିଜ ସମ୍ପର୍କୀଙ୍କ ସହ ଯୋଗାଯୋଗ କରିନପାରି ମରି ମରି ବଞ୍ଚୁଉନ୍ତି ।

ଯୁଦ୍ଧ ଆରମ୍ଭ ରେ କେବଳ ସେନା ଠିକଣାକୁ ଟାର୍ଗେଟ କରିବାକୁ କହିଥିଲା ଋଷ ସେନା । ହେଲେ ସେସବୁ ମିଛ ଥିଲା । ହସ୍ପିଟାଲରୁ ଆରମ୍ଭ କରି ସ୍କୁଲ , ଅନାଥାଶ୍ରମ, ଆଶ୍ରୟସ୍ଥଳୀ କାହାରିକୁ ଛାଡିନି ଋଷ । ସବୁଠି ବୋମା ବର୍ଷାଇ ନେଇଛି ହଜାରହଜାର ୟୁକ୍ରେନ ବାସୀଙ୍କ ଜୀବନ । ୟୁକ୍ରେନର ୯୦ ପ୍ରତିଶତ ଘରର ଖାଲି କଙ୍କାଳ ଛିଡା ହୋଇଛି । ପୁରା ୟୁକ୍ରେନକୁ ପୁଣି ପୂର୍ବ ଭଳି ଫେରାଇ ଆଣିବାକୁ କେତେେ ବର୍ଷ ଲାଗିବ କହିବା କଷ୍ଟ ।ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ ନୀରବ ରହିବ ବିଶ୍ୱ , କେବେ ମିଳିବ ଋଷକୁ ଠିକଣା ଜବାବ?