ଆକୃଷ୍ଟ କରୁଛି ହଦଗଡ଼ ଡ୍ୟାମ୍ : ନଭଶ୍ଚୁମ୍ଭୀ ପାହାଡ ସାଙ୍ଗକୁ ମନୋରମ ପରିବେଶ, ଆଖି ଝଲସିଯିବା ପରି ଜଳଧାରରେ ଗାଧୋଇ ମଜା ଉଠାଉଛନ୍ତି ପର୍ଯ୍ୟଟକ

362

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ଆସିଲେ ସମସ୍ତଙ୍କର ମନେପଡ଼େ କେନ୍ଦୁଝର ଜିଲ୍ଲା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳେ ଏଠାରେ ରହିଥିବା ଡ୍ୟାମଗୁଡ଼ିକର ଅବସ୍ଥିତି ବି କମ୍ ମନୋରମ ନୁହେଁ  । ଘନ ସବୁଜ ବନାନୀ,ନଭଶ୍ଚୁମ୍ଭୀ ପାହାଡ ସାଙ୍ଗକୁ ଆଖି ଝଲସିଯିବା ପରି ଜଳଧାରା  ।  ଆଉ ଏସବୁର ମଜା ପର୍ଯ୍ୟଟକଙ୍କ ମନକୁ କ୍ଷଣିକରେ ମୋହି ନିଏ  । ବର୍ତ୍ତମାନ ବଣଭୋଜିର ପସରା ମେଲିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ହଦଗଡ ଡ୍ୟାମ୍ ଦେଖିବାକୁ  ପର୍ଯ୍ୟଟକଙ୍କ ଭିଡ ଜମୁଛି  ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହଦଗଡ ଡ୍ୟାମ୍  । ଆନନ୍ଦପୁରରୁ ଭଦ୍ରକ ଯିବା ରାସ୍ତାର ଛେନାପଦୀ ଛକରୁ ବାମପଟେ ୧୮ କିଲୋମିଟର ଗଲେ ପଡେ ହଦଗଡ ଡ୍ୟାମ୍  । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ହଦଗଡ ଡ୍ୟାମ୍  । ଦୂର ଦିଗବଳୟ ଯାଏ ଲମ୍ବିଛି ଏହାର ଜଳରାଶି  । ଉଚ୍ଚରୁ ଖସୁଥିବା ଜଳରାଶି ଝରଣାର ଭ୍ରମ  ସୃଷ୍ଟି କରୁଛି । କିଏ ଡ୍ୟାମରୁ ଖସୁଥିବା ପାଣିରେ ଗାଧୋଇ ମଜା ଉଠାଉଛି ତ, କିଏ ଡିଜେ ବଜାଇ ନାଗଗୀତରେ ମସଗୁଲ ଅଛନ୍ତି । ଅନ୍ୟପଟେ ଆଉ କିଛି ପର୍ଯ୍ୟଟକ ଘଞ୍ଚବନାନୀ ଓ ବଣପାହାଡ଼ ଘେରା ପରିବେଶରେ ପିକନିକର ମଜା ଉଠାଉଛନ୍ତି   ।

ଦୁଇଟି ପାହାଡକୁ ସଂଯୋଗ କରି ୧୯୭୬ ମସିହାରେ ଶାଳନ୍ଦୀ ନଦୀରେ ଆରମ୍ଭ ହୋଇଥିଲା ହଦଗଡ ନଦୀବନ୍ଧ ଯୋଜନା । ଏହି ମେଗା ଜଳସେଚନ ପ୍ରକଳ୍ପ ଦ୍ବାରା କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଚାଷୀ ଉପକୃତ ହୋଇପାରିଥିଲେ । ପାଣି ପାଇଁ ଚାଷୀ ଉପକୃତ ହେବାସହ ପ୍ରତିବର୍ଷ ଶୀତ ଆସିଲେ ଏଠାରେ ଲୋକଙ୍କ ଭିଡ଼ ଜମେ । ତେବେ ଏବେ ପିକନିକର ଋତୁ ଚାଲୁଥିବାରୁ ନଦୀବନ୍ଧ ସହ ଏହାର ପ୍ରାକୃତିକ ପରିବେଶରେ ଆକୃଷ୍ଟ ହୋଇ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଛୁଟିଆସୁଛନ୍ତି  ।  ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି ।