ଚାଷୀ ହେବ ତ ଏମିତି…ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିରେ ଚାଷ କରି ଉଦାହରଣ ସୃଷ୍ଟି କଲେ ଅପାଠୁଆ ଆଦିବାସୀ ଚାଷୀ ଉଦୟ ଶବର

896

କନକ ବ୍ୟୁରୋ: ମାତ୍ର ୮୦ ଟଙ୍କାରେ ଏକରେ ଜମି ଚାଷୀ । ବିଶ୍ୱାସ ହେଉନଥିଲେ ବି ସତ । ଆଜିର ଏହି ମହଙ୍ଗା ଯୁଗରେ ଏଭଳି ଶସ୍ତାରେ ଚାଷ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାୟଗଡା ଜିଲ୍ଲା ଗୁଡିଆବନ୍ଧ ଗାଁର ଯୁବ ଚାଷୀ ଉଦୟ ଶବର । ବଡ କଥା ହେଲା ଉଦୟ କୌଣସି ବିଷୟରେ ଡିଗ୍ରୀ ହାସଲ କରିନାହାଁନ୍ତି ବରଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ମାତ୍ର ୪ ର୍ଥ ଶ୍ରେଣୀ । କିନ୍ତୁ ନିଜସ୍ୱ ଜ୍ଞାନ କୌଶଳକୁ ବ୍ୟବହାର କରି ସ୍ୱଳ୍ପ ସମୟ ଏବଂ କମ୍ ବ୍ୟୟରେ ଯେମିତି ଅଧିକ ଚାଷ ହୋଇପାରିବ ତାକୁ ନେଇ ଏକ କୃଷି ଯନ୍ତ୍ରପାତି ନିର୍ମାଣ କରିଛନ୍ତି ଆଉ ଉଦୟ ତାଙ୍କର ଏହି ହାତି ତିଆରି  ଯନ୍ତ୍ରପାତିକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଗୁଡିଆବନ୍ଧ ଗାଁର ବାସିନ୍ଦା ଉଦୟ ଶବର । ବୃତ୍ତି କହିଲେ ୱେଲଡିଂ ଦୋକାନ । ଶିକ୍ଷାଗତ ଯୋଗ୍ୟତା ମାତ୍ର ଚତୁର୍ଥ ଶ୍ରେଣୀ । କିିନ୍ତୁ ନିଶା କିଛି ନୂଆ କୃଷି ଯନ୍ତ୍ରପାତି ନିର୍ମାଣ କରି ଦେଖାଇବା । ସାଧାରଣ ମିସ୍ତ୍ରୀରୁ କୃଷି ଯନ୍ତ୍ରପାତିର ଉଦ୍ଭାବକ ପାଲଟିଥିବା ଉଦୟଙ୍କ ପ୍ରତିଭାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।  ଆର୍ଥିକ ଅନାଟନ ଯୋଗୁଁ ଉଦୟଙ୍କ ପାଠପଢାରେ ଡୋରି ଲାଗିଯାଇଥିଲା ସତ ହେଲେ ପିଲାଟି ଦିନରୁ ଉଦୟ  କିଛି ନିଆରା କରିବା ପାଇଁ ଚେଷ୍ଟା କରିଆସିଛନ୍ତି । ପ୍ରଥମେ କାଠ ମିସ୍ତ୍ରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ସିମେଂଟ ଏବଂ ମାଟି ମୂର୍ତ୍ତି କରିବାରେ ମଧ୍ୟ ବେଶ୍ ପାରଙ୍ଗମ ଥିଲେ । ଏବେ ସେ ଏକ ଗ୍ୟାରେଜ ଦୋକାନ କରିଛନ୍ତି । କିନ୍ତୁ ଚାଷ ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା ।

ତେଣୁ ଅନ୍ୟଜଣଙ୍କ ଚାଷ ଜମିକୁ ଭାଗ ଆକାରରେ ନେଇ ଉଦୟ ଆରମ୍ଭ କରିଛନ୍ତି ଚାଷ । ଯେଉଁ ଇଲାକାରେ ଟ୍ରାକ୍ଟର ପହଞ୍ଚି ପାରିବ ନାହି ସେ ଜମିରେ କେମିତି କମ ସମୟରେ ସ୍ୱଳ୍ପ ବ୍ୟୟରେ  ଅଧିକ ଚାଷ ହୋଇପାରିବ ତାହାକୁ ନେଇ ସେ ଏକ ୩ ଏଚପି ପାଣି ପମ୍ପ ମୋଟର ସହାୟତରେ ଏକ ଚାଷ ଯନ୍ତ୍ରପାତି ତିଆରି କରିଥିଲେ । ଏହା ଦ୍ଵାରା ଜମିରେ  ଚାଷ ମଧ୍ୟ ହୋଇପାରିଲା କିନ୍ତୁ ପରିଶ୍ରମ ଅଧିକ ହୋଇଗଲା  । ଫଳରେ ପୁଣି ଏକ ଯନ୍ତ୍ର ନିର୍ମାଣ କରିବାକୁ ମନ ବଳାଈ ପରବର୍ତ୍ତୀ ମୁହୂର୍ତ୍ତରେ  ସେ ଏକ ସ୍କୂଟର ଇଞ୍ଜିନ ସହାୟତାରେ କୃଷି ଯନ୍ତ୍ର ନିର୍ମାଣ ଆରମ୍ଭ କଲେ ଆଉ ସଫଳତା ପାଇଲେ ମଧ୍ୟ । ତେବେ  ଏକ ଲିଟର ଡିଜେଲ ସହାୟତାରେ ଏହି  କୃଷିଯନ୍ତ୍ର ଦ୍ଵାରା ଏକ  ଏକର ଜମି ଚାଷ ହୋଇପାରୁଛି ।  ଏହି ମେସିନ ତିଆରି କରିବାକୁ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ  ଆଗାମୀ ଦିନ ରେ ମଧ୍ୟ କିଛି ନୂଆ ଟେକନୋଲୋଜିରେ କେମିତି ଚାଷ ହେବ ତାହାକୁ  ନେଇ ସେ  ପ୍ରୟାସ  ଜାରି ରଖିବେ ବୋଲି ଉଦୟ କହିଛନ୍ତି ।

ସବୁବେଳେ ଭିନ୍ନ କିଛି କରିବା ପ୍ରୟାସ ପାଇଁ ଚର୍ଚ୍ଚାରେ ରହିଆସିଥିବା ଉଦୟ ଆଗକୁ ଅନେକ ନୂଆ ନୂଆ ଯନ୍ତ୍ରପାତି  କରିବାକୁ ଯୋଜନା କରିଛନ୍ତି ବୋଲି କହିଛନ୍ତି । ତେବେ ନିଜସ୍ଵ ଉଦ୍ୟମରେ କୃଷି ଯନ୍ତ୍ରପାତି ନିର୍ମାଣ କରୁଥିବା ଉଦୟ ଶବରଙ୍କ ପ୍ରତିଭାକୁ ନେଇ ଗାଁ ଲୋକେ ବେଶ୍ ଖୁସି ଓ ଏହି  ମେସିନ ଦ୍ଵାରା କମ ସମାୟରେ  ଅଧିକ ଚାଷ ହେବା ସହ  , ପନିପରିବା ଚାଷଠାରୁ ଆରମ୍ଭ କରି କପା ଚାଷ ଓ  ଜମିରେ ଖୋସା କାମ ମଧ୍ୟ ହୋଇପାରୁଛି ତେଣୁ ତାଙ୍କୁ ସରକାରୀ ସ୍ତରରେ ଯଦି କିଛି ପ୍ରୋତ୍ସାହନ ମିଳେ ତାହା ହେଲେ ସେ ଆଗକୁ ମଧ୍ୟ ବଢିପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି  ।  ତେବେ ଆଜିର ଦିନରେ ଚାଷ ପାଇଁ ଶ୍ରମିକ ଅଭାବ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଉଦୟଙ୍କର  ଏଭଳି ଅଭିନବ ପ୍ରୟାସ ବିଭିନ୍ନ ମହଲରେ ନୂଆ ଆଶା ସଂଚାର ଆଣିଦେଇଛି ।