ବନ୍ୟା ପାଣି ପଶିଲା, ସ୍କୁଲ ବୁଡିଲା । ଖୋର୍ଦ୍ଧାରୁ ଆସିଲା ବନ୍ୟା ବିତ୍ପାତର ଚିତ୍ର ।

159

କନକ ବ୍ୟୁରୋ : ବନ୍ୟା ପାଣିରେ ବୁଡିଲା ସ୍କୁଲ । ମହାନଦୀର ଶାଖାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଣୋପଞ୍ଜରୀ ପଂଚାୟତର ପାଣ୍ଡିଆବିଲି, ବୁଢାଙ୍ଗରା ଭଳି ଅନେକ ଗାଁକୁ ଥିବା ଅସ୍ଥାୟୀ ରାସ୍ତା ଧୋଇହୋଇଯାଇଛି । ସେହିପରି ବନ୍ୟାଜଳ ଆଜି ସକାଳୁ ପାଣ୍ଡିଆବିଲି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପଶିଥିବା ଦେଖିବାକୁ ମିଳିଛି ।

ସୁ ସୁ ଗର୍ଜନ କରି ଦୟାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀକୂଳିଆ ଗାଁଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ମୁଣ୍ଡଳି ଠାରେ ହ୍ରାସ ପାଉଛି ଜଳ ପ୍ରବାହ । ଗତକାଲି ୯ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ୭ ଲକ୍ଷ ୪୩ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଂଚଳରେ ପଶିପାରେ । ସ୍ଥିତି ମୁକାବିଲା ପାଇଁ ମହାନଦୀ ତଳିଆ ଅଞ୍ଚଳ ପାଇଁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରିଛି ଜଳସମ୍ପଦ ବିଭାଗ । ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମ୍କୁ ନିୟୋଜିତ କରାଯାଇଛି । ଏଥିରେ ଓଡ୍ରାଫ୍ର ୧୩, ଏନ୍ଡିଆରଏଫ୍ର ୮ ଓ ଅଗ୍ନିଶମର ୮୫ ଟିମ୍ ରହିଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଉପୁଜିବାରୁ ୬ ହଜାର ୮୩୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେମାନଙ୍କୁ ଖୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ସ୍ଥାନରେ ରନ୍ଧା ଖାଦ୍ୟ ପାଇଁ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୫ ଦଶମିକ ୨୧ ୬ ହଜାର କ୍ୟୁସେକ୍ ଜଳ । ୨ ଗେଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରୁ ମହାନଦୀକୁ ମାଡି ଆସୁଛି ପାଣି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଫଳରେ ତଳିଆ ଅଂଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପ୍ରଶାସନ ବି ସଜାଗ ରହଛି ।