ସ୍କୁଲ ଛୁଟି କରାଇବାକୁ ଛାତ୍ର ଆଣିଥିଲେ ମିଛ କରୋନା ପଜିଟିଭ୍ ରିପୋର୍ଟ ।ଆଉ ତା’ ପରେ ଯାହା ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ ।

386

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ଅନେକ ଦିନ ଧରି ସ୍କୁଲ ବନ୍ଦ ରହିଥିଲା । ପିଲାମାନେ ଘରେ ଅନଲାଇନରେ ପାଠ ପଢିଥିଲେ । ତେବେ ବର୍ତ୍ତମାନ ଧୀରେ ଧୀରେ ସ୍କୁଲ ଖୋଲୁଥିବାବେଳେ କରୋନା ଦ୍ଵିତୀୟ ଲହରୀ ଫେରିଥିବାରୁ ଏହାର ଆଶଙ୍କା ମଧ୍ୟ ଲାଗିରହିଛି । ତେବେ ବର୍ଷକରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିବା ପରେ ବି ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ସ୍କୁଲ ବନ୍ଦ ରହିବାକୁ ଚାଁହୁଥିଲେ, ଆଉ ସେଥିପାଇଁ ସେମାନେ ମିଛ କୋଭିଡ ପଜିଟିଭ ରିପୋର୍ଟ ନେଇ ପହଁଚିଯାଇଥିଲେ । ଆଉ ଏହା ଜଣାପଡିବା ପରେ ଏବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ସ୍ୱିଜରଲାଣ୍ଡର ଜୁରିକରେ ଥିବା କିରସଗାର୍ଡେନ ହାଇସ୍କୁଲର ତିନି ଜଣ ଛାତ୍ର ସ୍କୁଲ ନ ଆସିବା ପାଇଁ ଏକ ଅଦ୍ଭୁତ ବାଟ ଆପଣାଇଥିଲେ ।ସେମାନେ ମିଛ କୋଭିଡ ପଜିଟିଭ ରିପୋର୍ଟ ପ୍ରସ୍ତୁତ କରି ସ୍କୁଲରେ ପହଂଚିଥିଲେ । ତେବେ ସ୍କୁଲ କର୍ତ୍ତୃପକ୍ଷ ଏହି ମିଛ ରିପୋର୍ଟକୁ ସତ ବୋଲି ବିଶ୍ୱାସ କରି ସ୍କୁଲକୁ ୧୦ ଦିନ ପାଇଁ ଛୁଟି କରିଦେଇଥିଲେ । ଛାତ୍ରମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବାବେଳେ ଏଥିପାଇଁ ପାଠପଢା ବ୍ୟାହତ ହୋଇଥିଲା ।

ତେବେ ଏହି ମିଛ ରିପୋର୍ଟ ଉପରେ ପରେ ସନ୍ଦେହ ହେବାରୁ ଏହାର ଯାଞ୍ଚ କରାଯାଇଥିଲା ଓ ମିଛ ବୋଲି ଜଣାପଡିଥିଲା । ଆଉ ସ୍କୁଲ କର୍ତ୍ତୃପକ୍ଷ ଏବେ ଏହି ତିନିଜଣ ଛାତ୍ରଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲର ପ୍ରିନିସିପାଲ କହିଛନ୍ତି ଯେ ଏହି ଛାତ୍ରମାନଙ୍କ ଭୁଲ କ୍ଷମାଯୋଗ୍ୟ ନୁହେଁ । ଏମାନଙ୍କ ଯୋଗୁଁ ଅନେକ ଛାତ୍ରମାନଙ୍କ ପାଠପଢା ବ୍ୟାହତ ହୋଇଥିବାବେଳେ ସ୍କୁଲକୁ ଅଯଥାରେ ବଦନାମ କରାଯାଇଛି, ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।