ଜାତୀୟ ରାଜପଥରେ ବସିଛି ଯମ! କେଉଁଠି ବଡ଼ ବଡ଼ ଗାତ ଆଉ କେଉଁଠି ପୋଲରେ ନାହିଁ ବାଡ଼, ମରଣଯନ୍ତା ପାଲଟିଛି ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ।

299

କନକ ବ୍ୟୁରୋ: ରାଜପଥ ପାଲଟିଛି ମରଣଯନ୍ତା । ୫ଟି ଜିଲ୍ଳାର ଜୀବନରେଖା କୁହାଯାଉଥିବା ଚଣ୍ଡିଖୋଲ–ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମରଣଯନ୍ତାରେ ପରିରତ ହୋଇଛି । ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ଫୁ କରି ଦେଇଛନ୍ତି ଜାତୀୟ ରାଜପଥ କର୍ତୃପକ୍ଷ । ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ।

ଯାଜପୁର ଜିଲ୍ଳା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ । ୧୯୬୫ ମସିହାରେ ନିର୍ମିତ ଏହି ରାସ୍ତାର ବର୍ତମାନର ସ୍ଥିତି ପୂରା ମରଣଯନ୍ତା ପାଲଟିଛି । ରାସ୍ତାରେ କେଉଁଠି ଗାତ ତ ଆଉ କେଉଁଠି ପୋଲର ବାଡ ନାହିଁ । ଏହି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ଥିବା କବାଟବନ୍ଧ ସେତୁଟି ଦୀର୍ଘଦିନ ହେବ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଜାତୀୟ ରାଜପଥ କର୍ତୃପକ୍ଷ ଏହି ୫୩ ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପାଇଁ ତିନିବର୍ଷ ତଳେ ଆଇସୋଲେକ୍ସ ସଂସ୍ଥା ଦ୍ୱାରା କାମ ଆରମ୍ଭ କରିଥିଲେ । ମାତ୍ର ଠିକାସଂସ୍ଥା ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲରେ ଅଭିଯୋଗହେବା ପରେ ଠିକାସଂସ୍ଥା ଅଧାରୁ କାମ ଛାଡି ଦେଇଛି । ଏନେଇ ସ୍ଥାନୀୟ ସଚେତନ ନାଗରିକ ମଂଚ ଓ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷଙ୍କର ନିଦ ଭାଙ୍ଗୁ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଳାରେ ଗତ ୭ମାସରେ ୨୭୧ଟି ଦୁର୍ଘଟଣା ଘଟି ୧୨୯ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଏହି ରାସ୍ତାରେ ୪୦ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ବ୍ରାହ୍ମଣୀ ସେତୁ ଓ ଏହି ରାସ୍ତା ଅବସ୍ଥା ପରଖିଥିଲେ ବି କିଛି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ଗୋଟିଏ ପଟେ ଜିଲ୍ଳାର ପ୍ରବେଶ ଦ୍ୱାର ଚଣ୍ଡିଖୋଲ ବଜାର ରହିଥିବା ବେଳେ ଅନ୍ୟପଟେ ରହିଛି ଶିଳ୍ପ ନଗରୀ କଳିଙ୍ଗ ନଗର ଓ ସୁକିନ୍ଦାର କ୍ରୋମ ଉପତ୍ୟକା । ଜିଲ୍ଳାର ଅନ୍ୟତମ ଏହି ବ୍ୟସ୍ତବହୁଳ ରାସ୍ତାରେ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର ଜିଲ୍ଳାର ଲୋକମାନଙ୍କର ଲାଇଫ ଲାଇନ କୁହାଯାଏ । କିନ୍ତୁ ଏହା ଏବେ ମରଣଯନ୍ତାରେ ପରିଣତ ହୋଇଛି ।