ବଦଳିଗଲା କି ପାଣିପାଗ? ମେ’ରେ ରାଜଧାନୀରେ କାଳବୈଶାଖୀ ହେଲାନି, ଉତ୍ତର, ପଶ୍ଚିମରେ ହେଉଛି; ହେଲେ ଉପକୂଳରେ ନାହିଁ

162

କନକ ବ୍ୟୁରୋ: ରାଜଧାନୀରେ ଚଳିତବର୍ଷ ମେ’ ମାସର ଖରା ଅନୁଭୂତ ହେଲାନି। ହେଲେ ଦେହ ଜଳିଗଲା ଭଳି ଲାଗିଲା। ମୌସୁମୀ ରଜ ପରେ ଛୁଇଁବ ବୋଲି କୁହାଯାଉଥିଲେ ହେଁ ପ୍ରାକ୍ ମୌସୁମୀ ବର୍ଷା ନାହିଁ। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ଅପରାହ୍ଣରେ କି ସଂଧ୍ୟା ପରେ କାଳବୈଶାଖୀ ଜନିତ ବର୍ଷା ପବନ ମଧ୍ୟ ହେଉନି। ପ୍ରତିବର୍ଷ ମେ’ ମାସରେ ଅତିକମ୍ରେ ୧୦ରୁ ଅଧିକ ଥର କାଳବୈଶାଖୀ ଜନିତ ବର୍ଷା ପବନ ହେଉଥିଲେ ହେଁ ଏଥର ମାତ୍ର ଦୁଇ ଥର କାଳବୈଶାଖୀ ହୋଇଛି। ତାହା ପୁଣି ଥରେ ମାତ୍ର ୧୦ମିନିଟ ପାଇଁ, ଆଉ ଥରେ ୨୦ମିନିଟ ପାଇଁ। ବାତ୍ୟା ପରେ ହଠାତ୍ କାଳବୈଶାଖୀ ନହେବା ପାଣିପାଗ ପରିବର୍ତନର ଆଭାସ କି?

ବାତ୍ୟା ପରେ ରାଜଧାନୀର ପାରଦ ମାତ୍ର ଥରଟିଏ ୪୦ଡିଗ୍ରି ଉପରକୁ ଉଠିଛି। ବାତ୍ୟାର ୨୯ଦିନ ମଧ୍ୟରେ ପାରଦ ବାକି ସମସ୍ତ ଦିନ ୩୪ରୁ ୩୯ଡିଗ୍ରି ମଧ୍ୟରେ ରହିଛି। କିନ୍ତୁ ରାଜଧାନୀବାସୀ ୪୫ଡିଗ୍ରି ଖରାରେ ସିଝିବା ଭଳି ଅନୁଭବ କରୁଛନ୍ତି। ମେ’ ମାସରେ ପାରଦ ୪୦ଡିଗ୍ରି ଉପରେ ନ ରହିବା ବିେଶଷଜ୍ଞଙ୍କୁ ଚକିତ କରୁଛି। ଏପଟେ ପାଣିପାଗ ବିଭାଗ କହୁଛି, ଭୁବନେଶ୍ବରରେ ମେ’ ମାସର ସ୍ବାଭାବିକ ତାପମାତ୍ରା ୩୭ଡିଗ୍ରି ରହିବା କଥା। ଭୁବନେଶ୍ବରରେ କାଳବୈଶାଖୀ ନହେଲେ ବି ଗ୍ରୀଷ୍ମପ୍ରବାହ ହେଉନି। ଯାହା ଆମ ପାଇଁ ଆଶ୍ବସ୍ତିର କଥା। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ବାସ କହିଛନ୍ତି ଯେ, ମାର୍ଚ୍ଚ ୧ରୁ ମେ’ ଶେଷ ପର୍ଯ୍ୟନ୍ତ ବର୍ଷା ପରିମାଣକୁ ଦେଖିଲେ ଖୋର୍ଦ୍ଧା ଜିଲ୍ଲାରେ ସ୍ବାଭାବିକ (୧୧୯.୨ମିମି) ଠାରୁ ଅଧିକ ବର୍ଷା (୨୧୪.୬ମିମି) ହୋଇଛି। ତେଣୁ ରାଜଧାନୀରେ ବର୍ଷା କମିଛି କି ପାଣିପାଗରେ ପରିବର୍ତ୍ତନ ହୋଇଛି ବୋଲି ହିସାବ କହୁନି।

ଭୁବନେଶ୍ବରରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇନଥିଲେ ବି ଉତ୍କଟ ସ୍ଥିତି ସୃଷ୍ଟି ହୋଇନି। ମଝିରେ ମଝିରେ ସମୁଦ୍ର ପାର୍ଶ୍ବରୁ ପବନ ବହୁଥିବାରୁ ସୂର୍ଯ୍ୟଙ୍କ ପ୍ରକୋପ ସତ୍ତ୍ବେ ତାପମାତ୍ରା ବଢ଼ୁନି। ଯେଉଁଦିନ ପବନ କମୁଛି ସେଦିନ ତାତି ଅଧିକ ଅନୁଭୂତ ହେଉଛି। ଏବେ ସୂର୍ଯ୍ୟଙ୍କ ତାତିି ଯେଉଁଭଳି ହେଉଛି ତାହାକୁ ଦେଖି ଆମେ ତାତି ଯେଉଁଭଳି ବଢ଼ିବ ବୋଲି ପୂର୍ବାନୁମାନ କରୁଛୁ ପାରଦ ସେହିଭଳି ବଢ଼ୁନି। ତାତି ସମୟରେ ସମୁଦ୍ର ଦିଗରୁ ପବନ ବହୁଥିବାରୁ ଅଧିକ ତାପମାତ୍ରା ରହୁନି କିନ୍ତୁ ଗୁଳୁଗୁଳି ସହ ଅଧିକ ଖରା ଅନୁଭବ ହେଉଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ରହିବା, ବିକିରଣ ହେଉଥିବା ସୂର୍ଯ୍ୟ କିରଣ ସାମୁଦ୍ରିକ ପବନରେ ପ୍ରଭାବିତ ହେବାରୁ ତାପମାତ୍ରା ବଢ଼ୁନି ଯେଉଁଥିପାଇଁ ଦୀର୍ଘ ସମୟ ଟାଣ ଖରା ହେଉନି। ଯାହା ଭୁବନେଶ୍ବରରେ କାଳବୈଶାଖୀ ନହେବାର କାରଣ ବୋଲି କୁହାଯାଇପାରେ।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କିନ୍ତୁ କହିଛନ୍ତି ଯେ, ଏବେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ହିଁ କାଳବୈଶାଖୀ ଜନିତ ବର୍ଷା ପବନ ହେଉଛି। କିନ୍ତୁ ଭୁବନେଶ୍ବରରେ ହେଉନି। ଏହାର କାରଣ ହେଲା ଭୁବନେଶ୍ବରରେ ତାପମାତ୍ରା ୪୦ଡିଗ୍ରି ତଳେ ରହୁଛି। ପାରଦ ଲଗାତର ୪୦ଡିଗ୍ରି ଉପରେ ରହିଲେ କାଳବୈଶାଖୀ ହେବାର ସମ୍ଭାବନା ରହେ। ହେଲେ ଏବେ ତାହା ହେଉନି। ଅପରପକ୍ଷେ ସମୁଦ୍ର ଦିଗରୁ ବହୁଥିବା ପବନରେ ଜଳୀୟ ବାଷ୍ପ ଆସୁଥିଲେ ହେଁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଥିବା ପାହାଡ଼ରେ ମାଡ଼ ହୋଇ ଉପରକୁ ଉଠୁଛି। ଯାହାର ପ୍ରଭାବରେ ବର୍ଷା ପବନ ସେଠାରେ ନିୟମିତ ହେଉଛି। ଏହାବାଦ୍ ଘୂର୍ଣ୍ଣିବଳୟ ଯୋଗୁଁ କାଳବୈଶାଖୀ ମଧ୍ୟ ହୋଇଥାଏ। ହେଲେ ବାତ୍ୟା ପରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ବି ସୃଷ୍ଟି ହୋଇନି। ଏହି ସବୁ କାରଣରୁ ଏଥର ଭୁବନେଶ୍ବରରେ କାଳବୈଶାଖୀ ଜନିତ ବର୍ଷା ପବନ ହେଉନି।

ଅପରପକ୍ଷେ ପାଣିପାଗ ବିଶେଷଜ୍ଞ କହିଲେଣି ଯେ, ଗତବର୍ଷଠାରୁ ରାଜଧାନୀରେ ଅସ୍ବାଭାବିକ କାଳବୈଶାଖୀ ହେଲାଣି। ୨୦୧୮ରେ ରାଜଧାନୀରେ ଯେତିକି କାଳବୈଶାଖୀ ହୋଇଥିଲା ସେଥିରୁ ପ୍ରାୟ ସମସ୍ତ ବିଳମ୍ବିତ ରାତିେର ହୋଇଥିଲା। ଉତ୍ତର ଓଡ଼ିଶା ପାର୍ଶ୍ବରୁ କାଳବୈଶାଖୀ ସୃଷ୍ଟି ହୋଇ ତାହା ଉପକୂଳ ଓଡ଼ିଶାକୁ ଆସୁଥିଲା। ଗତବର୍ଷ ବଡ଼ ଧରଣର କାଳବୈଶାଖୀ ହେଉଥିବାରୁ ଏହାର ପ୍ରଭାବ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶା ଉପରେ ପଡ଼ୁଥିଲା। କିନ୍ତୁ ଏଥର ତାହା ହେଉନି। ପାଣିପାଗରେ ବଡ଼ ଧରଣରେ ପରିବର୍ତ୍ତନ ହେଉଛି। ଏହା ଉପରେ ଅଧିକ ଗବେଷଣା ଦରକାର।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମେ’ ମାସରେ ତାତି ୪୦ଡିଗ୍ରି ଉପରେ ନ ରହିବା ଗତ ବର୍ଷ ଦେଖିବାକୁ ମିଳିଥିଲା। ଗତ ବର୍ଷ ମେ’ ମାସରେ ସର୍ବାଧିକ ତାପମାତ୍ରା ୩୮.୨ଡିଗ୍ରି ଥିଲା। ଯାହା ଗତ ୧୦ବର୍ଷର ରେକର୍ଡ ଦେଖିଲେ ଅସ୍ବାଭାବିକ ଥିଲା। କିନ୍ତୁ ଜୁନ୍ ମାସରେ ପାରଦ ଲଗାତାର ଭାବେ ୪୦ଡିଗ୍ରି ଉପରେ ରହିଥିଲା।