କିଏ ଜିତିବ ଖଣି ବଜାରର ସବୁଠାରୁ ବଡ଼ ନିଲାମ? ହଜାର ହଜାର କୋଟିର ନୂଆଗାଁ ଖଣି ପାଇଁ ଦେଶର ବଡ଼ ବଡ଼ କର୍ପୋରେଟ ହାଉସର କସରତ, ଜାଣନ୍ତୁ ନୂଆଗାଁ ଖଣିରେ ରହିଛି କେତେ ଟଙ୍କାର ଲୁହା ପଥର ।

645

କନକ ବ୍ୟୁରୋ : ଖଣି ପାଇଁ କର୍ପୋରେଟ୍ ୱାର । କିଏ ହାତେଇବ ଓଡିଶାର ସବୁଠୁ ବଡ ଖଣିର ନିଲାମ । ହଜାର ହଜାର କୋଟିର ନୂଆ ଗାଁ ଲୁହାପଥର ଖଣି ପାଇଁ ଏବେ ଦେଶର ବଡ ବଡ କର୍ପୋରେଟ୍ ହାଉସ କସରତ ଆରମ୍ଭ କରିଦେଇଛନ୍ତି । ୨୦ଟି ଖଣିର ନିଲାମ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ନୂଆ ଗାଁ ଖଣିର ବିଡିଂକୁ ନେଇ ପୁରା ପ୍ରକ୍ରିୟା ବାତିଲ ହୋଇଯାଇଥିଲା । ଆଉ ଏହା ପଛରେ କାରଣ ଥିଲା, କର୍ପୋରେଟ୍ ୱାର ।

ଖଣି ପାଇଁ କର୍ପୋରେଟ୍ ୱାର । କେନ୍ଦୁଝରର ଗୁଆଲି ନିକଟରେ ଥିବା ଏହି ନୂଆଗାଁ ଲୁହା ପଥର ଖଣି ଏବେ ଚର୍ଚ୍ଚାକୁ ଆସିଛି । କାରଣ ଏହି ଖଣିର ନିଲାମ ପ୍ରକ୍ରିୟାରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ରାଜ୍ୟ ସରକାର ଏହି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଏବଂ ଏହା ପଛରେ ଥିବା ବଡ ବଡ ଖଣି କର୍ପୋରେଟ ହାଉସମାନଙ୍କର ବିବାଦ ବି ଏବେ ଚର୍ଚ୍ଚାକୁ ଆସିଛି ।

ନିଲାମ ପ୍ରକ୍ରିୟା ବାତିଲ ପରେ ସୂଚନା ମିଳିଲା ଯେ ଜେ.ଏସ.ଡବ୍ଲ୍ୟୁ ଷ୍ଟିଲ୍ କମ୍ପାନୀ ଓ ଏହାର ଅନ୍ୟ ୫ଟି ଅଂଶିଦାର କମ୍ପାନୀ ନିଲାମ ପାଇଁ ବିଡିଙ୍ଗ୍ କରିଥିବାରୁ ଏହା ବିରୋଧରେ ଆରସେଲର୍ ମିତଲ୍ ଓ ଅଦାନୀ ଗ୍ରୁପ ଅଭିଯୋଗ କରିଥିଲେ । ଏବଂ ଏହା ପରେ ରାଜ୍ୟ ସରକାର ନିଲାମ ପ୍ରକିୟାକୁ ବାତିଲ କରିଥିଲେ । ମିଳିଥିବା ସୂଚନା ଅନୁସାରେ ନିଲାମ ପ୍ରକିୟା ପୂର୍ବରୁ ପ୍ରି-ବିଡ୍ କନଫରେନ୍ସରେ ରାଜ୍ୟ ସରକାରଙ୍କ ସପୃକ୍ତ ଅଧିକାରୀ କହିଥିଲେ ଯେ ମୂଳ କମ୍ପାନୀ ଓ ଅଂଶିଦାର କମ୍ପାନୀ ସମାନ୍ତରାଳ ଭାବେ ନିଲାମ ପ୍ରକିୟାରେ ଭାଗ ନେଇ ପାରିବେ । ଆବେଦନ କରିଥିବା କମ୍ପାନୀ ମାନଙ୍କ ମଧ୍ୟରୁ ଜଣେ ଏହି ପ୍ରଶ୍ନ ପଚାରିଥିଲେ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଏଭଳି ଆବେଦନ କରାଯାଇ ପାରିବ ବୋଲି ସୂଚନା ମିଳିଛି ।

ପାୱାର କରିଡରରେ ହେଉଥିବା ଆଲୋଚନା ଅନୁସାରେ ପୂର୍ବରୁ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଆଲୋଏଜ କ୍ରୋମାଇଟ ମାଇନ୍ସ ପାଇଁ ଆବେଦନ କରିଥିଲେ ଏବଂ ଟାଟା ଷ୍ଟିଲ ଆଲୋଏଜ ନିଲାମ ମଧ୍ୟ ପାଇଥିଲା । ଏବେ ପ୍ରଶ୍ନ ଉଠୁଛି ଯଦି ପୂର୍ବରୁ ଅଂଶିଦାର କମ୍ପାନୀ ଓ ମୂଳ କମ୍ପାନୀ ନିଲାମ ପାଇଁ ଆବେଦନ କରିଛନ୍ତି ଏବଂ ନିଲାମ ହାସଲ କରିଛନ୍ତି, ତେବେ କେନ୍ଦୁଝରର ନୂଆଗାଁ ଖଣି ପାଇଁ ଅଂଶିଦାର କମ୍ପାନୀଙ୍କ ଆବେଦନ ତ୍ରୁଟିଯୁକ୍ତ କାହିଁକି ହେବ ।

କେନ୍ଦୁଝର ସ୍ଥିତ ନୂଆ ଗାଁ ଖଣି, ନିଲାମ ହେବାକୁ ଥିବା ୨୦ଟି ଖଣି ମଧ୍ୟରୁ ସବୁଠାରୁ ବଡ଼ ଖଣି ଏବଂ ଏଥିରେ ପ୍ରାୟ ୩୮୭୨ କୋଟି ଟଙ୍କା ମୂଲ୍ୟର ଲୁହା ପଥର ଗଚ୍ଛିତ ରହିଛି । ।ତେଣୁ ଏହି ଖଣି ପାଇଁ କର୍ପୋରେଟ ୱାର ଆରମ୍ଭ ହୋଇଯାଇଛି । ୫୦ ବର୍ଷର ଲିଜ ଦେବା ପାଇଁ ଓଡ଼ିଶା ସରକାର ୨୦ଟି ମାଇନ୍ସର ୨ଟି ପର୍ଯ୍ୟାୟରେ ନିଲାମ କରୁଛନ୍ତି । ତା ମଧ୍ୟରେ ରହିଛି ଏହି ନୂଆ ଗାଁ ମାଇନ୍ସ । ଆଉ ଏବେ ସମସ୍ତଙ୍କ ନଜର ରହିଛି ଏହି ମାଇନ୍ସ ଉପରେ କିଏ ନିଲାମ ଜିତୁଛି ।