ଯୋଗାଯୋଗ ହିଁ ବିକାଶ ଓ ପ୍ରଗତିର ପ୍ରମୁଖ ମାଧ୍ୟମ । ବିକାଶମୂଳକ କାମ ପାଇଁ ସହଯୋଗ କରୁଥିବାରୁ କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

149

କନକ ବ୍ୟୁରୋ : ଲୋକସେବା ଭବନରୁ ଓଡ଼ିଶାର ୨ଟି ଏନଏଚ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ସହ କାମାକ୍ଷାନଗର-ଡୁବୁରି ୪ ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିକୁ ଆସିଥିବାରୁ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ କହିଛନ୍ତି, ରୂପାନ୍ତରଣ ଜରିଆରେ ନୂଆ ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସାଜିଛି । ଲୋକଙ୍କ ଉନ୍ନତିରେ ମୋ ସରକାରର ବିଶ୍ୱାସ । ଉତ୍ତମ ଯୋଗାଯୋଗ ଉଭୟ ରାଜ୍ୟ ଓ ସାଧାରଣ ଲୋକଙ୍କ ପ୍ରଗତିର ସବୁଠୁ ବଡ ମାଧ୍ୟମ । ମାଲକାନଗିରିର ଗୁରୁପ୍ରିୟା ସେତୁ ହେଉଛି ଏହାର ସବୁଠୁ ବଡ ଉଦାହରଣ । ବିଜୁ ଏକ୍ସପ୍ରେସ ୱେ ଓ ଇକୋନୋମିକ କରିଡର ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ଯୋଡିଛି । ଏହା ସ୍ଥାନୀୟ ଅଞ୍ଚଳ ପାଇଁ ବିକାଶର ମାର୍ଗ ଖୋଲିଛି । ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବଜେଟରେ ବୃଦ୍ଧି କରାଯାଇଛି । କିଛି ମାସ ପୂର୍ବେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର ନିର୍ମାଣ କରାଯାଇଛି । ମାଲକାନଗିରିରେ ଗ୍ରୀନଫିଲ୍ଡ ବିମାନବନ୍ଦରର କାମ ଜାରି ରହିଛି ।
ଓଡ଼ିଶା ସବୁବେଳେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରେ । ଓଡ଼ିଶାର ବିକାଶମୂଳକ କାମ ପାଇଁ ସହଯୋଗ କରୁଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।