ବୟସର ସାୟାହ୍ନରେ ସାହାରା ପାଲଟିଛି ଚନ୍ଦ୍ରଗିରିର ବୃଦ୍ଧାଶ୍ରମ । ଏ ଅସହାୟତା ପାଇଁ ଦାୟୀ କିଏ?

129

କନକ ବ୍ୟୁରୋ: ନିସଙ୍ଗତା ସହ ସାଲିସ କରିବାର ଏ କେମିତି ଚେଷ୍ଟା । ନିଜ ଭିତରେ କାହାକୁ ଯେମିତି ଘୁମୁରି ଘୁମୁରି ଖୋଜୁଛି ଏ ମଣିଷ । ଏମାନେ ବି କାହାର ଜନ୍ମଦାତା । ହେଲେ ଆଜି ପୁରା ଅଲୋଡା ।
ଜନ୍ମଦାତା ଏଠି ନିଜେ ଅନାଥ ।
ଜୀବନ ଏଠି ଏକ ଅକୁହା ଯନ୍ତ୍ରଣା
ଯିଏ ଦିନେ ନିଜ ସନ୍ତାନର ଲୁହ ପୋଛିଥିଲା ସିଏ ଆଜି ଲୁଚି ଲୁଚି ଝରାଉଛି ଲୁହ । କେମିତି ଏ ଜୀବନ । ଯିଏ ଦିନେ କାହାକୁ ଜୀବନ ଦେଇଥିଲା ଆଜି ସିଏ ଅସହାୟ । ଦିନ ଥିଲା, ଅନ୍ତଚିରି ଜନ୍ମ ଦେଇଥିବା ସନ୍ତାନର କେତେ ଅଳି ଅର୍ଦ୍ଦଳି ସହିଥିଲା ଏ ମଣିଷ । ହେଲେ ଆଜି ବୟସର ସାୟାହ୍ନରେ ଜୀବନ ପାଲଟିଛି ଏକ ବିରାଟ ବୋଝ । ଦିନେ ପୁଅ ଝିଅଙ୍କୁ କାନ୍ଧରେ ବସାଇ ଆକାଶରେ ଜହ୍ନ , ତାରା ଦେଖାଉଥିବା ମଣିଷ ଆଜି ଅନ୍ଧକାର ରାତିରେ ଏକାକି ବସି ନିଜ ନିସଙ୍ଗତାକୁ ଆଡେଇଯିବାର ବାଟ ଖୋଜୁଛିି । ପଚାରୁଛି କୋଉଠି ରହିଗଲା ତା’ର ଭୁଲ ।

ନିଜ ଭିତରେ ନିଜର ଭୁଲକୁ ଖୋଜି ଚାଲିଥିବା ଏହି ବୃଦ୍ଧ ବୃଦ୍ଧାଙ୍କୁ ଅପଣାଇ ନେଇଛି ଚନ୍ଦ୍ରଗିରିର ଏହି ବୃଦ୍ଧାଶ୍ରମ । ନିସଙ୍ଗ ଜୀବନରେ ଟିକେ ଖୁସି ଭରିଦେବାକୁ ଚେଷ୍ଟା କରୁଛି ଏହି ସଂସ୍ଥା । ଏମାନେ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତ୍ତୀୟ ସମ୍ପ୍ରଦାୟର । ବୟସ ହୋଇଯିବା ପରେ ପରିବାର ଉପରେ ଏମାନେ ବୋଝ ହୋଇ ବାସନ୍ଦ ହୋଇଯିବା ପରେ ଚନ୍ଦ୍ରଗିରିରେ ଥିବା ବୃଦ୍ଧାଶ୍ରମରେ ନେଇଛନ୍ତି ଆଶ୍ରୟ । ୧୯୭୪ ମସିହାରେ ତୀବତ୍ତୟ ଧର୍ମଗୁରୁ ଦଲାଇଲାମାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ଏହି ଆଶ୍ରମ । ଏଠାରେ ରହୁଛନ୍ତି ପାଖାପାଖି ୬୦ ବୃଦ୍ଧବୃଦ୍ଧା । ଘର ଲୋକଙ୍କ ଠାରୁ ତିରସ୍କୃୃତ ହେବା ପରେ ଏବେ ନିଜ ଭଳି ଆଉ କିଛି ବୟସ୍କଙ୍କ ସହ ନିଜ ଦୁଃଖ ବାଣ୍ଟି ବଞ୍ଚିଛନ୍ତି । ଟିକେ ହସିବାକୁ ଚେଷ୍ଟା କରୁଛନ୍ତି ।

ଏଠି ଏହି ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଘରର ସବୁ ସୁବିଧା ରହିଛି । ଖାଇବା ପିଇବା ଠାରୁ ଆରମ୍ଭ କରି ଡାକ୍ତରୀ ଚିକିତ୍ସା ସବୁ ଏଠି ମିଳୁଛି । ହେଲେ ଏସବୁ ଭିତରେ ବି କେଉଁଠି କେଉଁଠି ଉଙ୍କି ମାରୁଛି ଅତୀତର ସେ ସବୁ ଅନୁଭୂତି । ମନେ ପଡିଯାଉଛି ଅନ୍ତଚିରି ଜନ୍ମ ଦେଇଥିବା ନିଜ ପିଲାମାନଙ୍କ କଥା ।

ଏ ଖାଲି ଏକ ଖବର ନୁହେଁ ବରଂ ସମାଜକୁ ଏକ ପ୍ରଶ୍ନ, ଯାହା ସମାଜର ପ୍ରତ୍ୟେକ ପୁଅଝିଅଙ୍କୁ ପଚାରୁଛି -କାହିଁକି ଏ ଅସହାୟତା? କ’ଣ ପାଇଁ ଏ ବୃଦ୍ଧାଶ୍ରମ? ଆଉ ଧିକ୍କାର କରୁଛି ସେ ସମସ୍ତ ସନ୍ତାନ ମାନଙ୍କୁ ଯେଉଁମାନେ ବାଧ୍ୟ କରିଛନ୍ତି ଏପରି ଏକ ବୃଦ୍ଧାଶ୍ରମ ଗଢିବାକୁ ।