ତତଲା କଢେଇରେ ସିଜୁଛି ରାଜଧାନୀ ! ୩୯ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ତତଲା ସହର ପାଲଟିଛି ଭୁବନେଶ୍ୱର , ଏବେଠୁ ଏତେ ତ ଆଗକୁ କେତେ ?

28

କନକ ବ୍ୟୁରୋ : ମାର୍ଚ ମାସର ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପାରଦ ବଢି ବଢି ଚାଲିଛି । ଆଗକୁ ବାସ୍ତବ ଗ୍ରୀଷ୍ମଋତୁ ଥିବା ବେଳେ ବର୍ତମାନର ତାତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏପରିକି ଭୁବନେଶ୍ୱର ଆଜି ଦେଶର ଦ୍ୱିତୀୟ ତତଲା ସହର ପାଲଟିଛି । ପାରଦ ୩୯ ଡିଗ୍ରୀ ଛୁଇଁ ଥିବା ବେଳେ ରାଜ୍ୟର ୪ଟି ସହର ଦେଶର ପ୍ରଥମ ୧୦ଟି ଉତପ୍ତ ସହର ତାଲିକାରେ ରହିଛନ୍ତି । ତାତି ଯଦି ଏବେ ଏତେ ତ ଆଗକୁ କେତେ?

ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସରିନି, ହେଲେ ଏପ୍ରିଲ-ମେ’ ମାସର ଖରା ଅନୁଭବ ହେଲାଣି । ଭୁବନେଶ୍ୱର ତାତି, ଏବେ ଟିଟିଲାଗଡ଼ର ଖରାକୁ ପଛରେ ପକାଇ ଦେଇଛି । ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର ।କେବଳ ଯେ ଓଡ଼ିଶାରେ ଭୁବନେଶ୍ୱର ଉତପ୍ତ ସହର ହୋଇ ରହିଛି ତାହା ନୁହେଁ, ଦେଶର ସବୁଠୁ ଉତପ୍ତ ସହର ତାଲିକାରେ ଭୁବନେଶ୍ୱର ସ୍ଥାନ ଦ୍ୱିତୀୟ ।

ସାରା ଦେଶରେ ଦ୍ୱିତୀୟ ଉପ୍ତତ୍ତ ସହର ଭୁବନେଶ୍ୱର । ରବିବାର ରେକର୍ଡ ହୋଇଥିବା ତାପମାତ୍ରା ହିଁ ସୂଚାଇ ଦେଉଛି ଆଗକୁ କେଉଁଭଳି ସ୍ଥିତି ସାମ୍ନା କରିବାକୁ ଯାଉଛି ଓଡ଼ିଶା । ଦେଶର ଶ୍ରେଷ୍ଠ ୧୦ଟି ଉତପ୍ତ ସହର ତାଲିକାରେ ଓଡ଼ିଶାର ରହିଛି ୪ଟି ପ୍ରମୁଖ ସହର । ମହାରାଷ୍ଟ୍ରର ନନ୍ଦୁରବାର ସହର ଦେଶର ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ଏହା ପଛକୁ ରହିଛି ଭୁବନେଶ୍ୱର । ଭୁବନେଶ୍ୱରରେ-୩୯.୭ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ରେକର୍ଡ ହୋଇଛି ୩୯.୨ ଡିଗ୍ରୀ । ସେହିପରି ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦା ସହରରେ ତାପମାତ୍ରା ରହିଛି ୩୮.୬ ଡିଗ୍ରୀ ।