ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳିବ ଭାରତ

372

କନକ ବ୍ୟୁରୋ: ଅଗଷ୍ଠ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଅଗଷ୍ଟ ୧୫କୁ ସମସ୍ତେ ଖୁସିରେ ପାଳିଥିବାବେଳେ ତା ଅଗଷ୍ଟ ୧୪ ତାରିଖର ସ୍ମୃତି ଆଖିରେ ଲୁହ ଭରିଦିଏ । ଇଏ ସେହି ଦିନ ଯେଉଁଦିନ ଭାରତ ଓ ପାକିସ୍ତାନ ଭିତରେ ପଡିଥିଲା ଲକ୍ଷ୍ମଣ ରେଖା । ଦୁଇ ଦେଶକୁ ଅଲଗା ଅଲଗା ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା ।

ଇତିହାସର ଏହି ପୃଷ୍ଠା ଅନେକ ହିନ୍ଦୁ ଓ ମୁସଲମାନଙ୍କ ଲୁହରେ ଲେଖାହୋଇଥିଲା । ଘୃଣା ଓ ହିଂସାମନୋଭାବ ଯୋଗୁଁ ଦୁଇ ସମ୍ପ୍ରଦାୟର ଲକ୍ଷଲକ୍ଷ ଲୋକ ବିସ୍ଥାପିତ ହେଲେ । ଅନେକଙ୍କ ଜୀବନ ମଧ୍ୟ ଚାଲିଗଲା । ସେ ଦିନକର ଘଟଣାବଳୀ ଏବେବି ହୃଦୟ ବିଦାରକ । ବଳିଦାନ ଦେଇଥିବା ଭାଇ ଓ ଭଉଣୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଟ୍ୱିଟ୍ କରି ଦେଶବାସୀଙ୍କୁ ଜଣାଇଛନ୍ତି ମୋଦୀ । ଏହାଦ୍ୱାରା ଦେଶବାସୀଙ୍କ ମନରୁ ସାମ୍ପ୍ରଦାୟିକ ଭେଦଭାବ ଦୂର ହୋଇ ଏକତା ଓ ସଦଭାବନା ଜାଗ୍ରତ ହେବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।୧୯୪୭ ଅଗଷ୍ଟ ୧୪ ତାରିଖରେ ଗୋଟେ ଦେଶର ନୁହେଁ ବରଂ ଗୋଟିଏ ହୃଦୟ, ପରିବାର, ସମ୍ପର୍କ,ଓ ଭାବନାର ବିଭାଜନ ହୋଇଛି ଯାହା ବର୍ତ୍ତମାନ ଓ ଭବିଷ୍ୟତ ପିଢିଙ୍କ ପାଇଁ ଏକ ଶିକ୍ଷା ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି ।