ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ଫେଲ୍ ହେଲା ବ୍ରେକ୍, ଘାଟିରୁ ଖସିଲା ବସ୍ । ୬ ଯବାନ ସହିଦ ।

432

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ଘାଟିକୁ ଖସିଲା ସେନା ଯବାନଙ୍କୁ ନେଇ ଯାଉଥିବା ବସ୍ । ୬ ଜଣ ଯବାନ ସହିଦ ହୋଇଥିବା ସୂଚନା । ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଟିକୁ ଖସିଛି ବସ୍ । ଚନ୍ଦନୱାଡିରୁ ପହଲଗାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ବସର ବ୍ରେକ ଫେଲ ହେବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଫଳରେ ବସଟି ସିଧାସଳଖ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା । ଏହି ବସରେ ୩୭ ଜଣ ଆଇଟିବିପି ଯବାନ ଥିବା ବେଳେ ୨ ଜଣ ଜମ୍ମୁ-କାଶ୍ମୀର ପୋଲିସରେ କାର୍ଯ୍ୟରତ ଥିଲେ ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ରାସ୍ତା ଉପରୁ ଘାଟି ତଳକୁ ଖସି ପଡିବା କାରଣରୁ ଅନେକ ଯବାନ ଆହତ ହୋଇଥିବା ବେଳେ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି । ତେଣୁ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି । ଅଧିକ ଉଚ୍ଚତାରୁ ବସଟି ଖସି ପଡିଥିବାରୁ ବସଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।