ଆତଙ୍କବାଦ ଏବଂ ଆତଙ୍କୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରରେ ସେନାର ଆଉ ଜଣେ ଯବାନ ସହିଦ ହେଲେ । ମେ’ ୯ ତାରିଖରେ ହୋଇଥିବା ଅପରେସନରେ ବିହାରର ସିବାନ ଜିଲ୍ଲା ନିବାସୀ ବୀର ଯବାନ ରାମବାବୁ ପ୍ରସାଦ ପାକ୍ ସେନାର ଗୁଳିରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜିଛନ୍ତି । ଗାଁରେ ଯବାନଙ୍କ ସହିଦ ହେବା ଖବର ଯେତେବେଳେ ପହଞ୍ଚିଲା ଚାରିଆଡ଼େ ଶୋକର ଛାୟା ଖେଳିଗଲା । ସହିଦଙ୍କ ପାର୍ଥୀବ ଶରୀର ବୁଧବାର ଦ୍ବିପ୍ରହର ୩ ଟାରୁ ୪ ଟା ଭିତରେ ଗାଁରେ ପହଞ୍ଚିବାର ସମ୍ଭାବନା ଥିବାବେଳେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି ।
/kanak/media/media_files/2025/05/13/0dTSFY93ixUSjkAelMV7.jpg)
ଦୁଃଖର କଥା ହେଉଛି ସହିଦ ରାମବାବୁଙ୍କ ବିବାହ ୩ ମାସ ତଳେ ବଡ଼ ଧୁମଧାମରେ ହୋଇଥିଲା । ବିବାହ ପରେ ଯବାନଙ୍କ ହନିମୁନ୍ ପ୍ଲାନ୍ ଥିଲା କିନ୍ତୁ ଭାରତ-ପାକିସ୍ତାନ ତିକ୍ତତା ଭିତରେ ଯବାନଙ୍କ ଛୁଟି ଅଧାରୁ ଶେଷ ହେଲା ଏବଂ ୧୫ ଦିନ ପରେ ସେ ଡ୍ୟୁଟି ଜଏନ୍ କରିଥିଲେ । ପୁଣିଥରେ ଘରକୁ ଆସିଥିଲେ ହନିମୁନରେ ଯାଇଥା’ନ୍ତେ ଯବାନ କିନ୍ତୁ ଏବେ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଫେରିବେ । ୨୦୧୮ରେ ରାମବାବୁ ବିଏସଏଫରେ ଜଏନ୍ କରିଥିଲେ । ୨ ବର୍ଷ ପୂର୍ବରୁ ରାମବାବୁଙ୍କ ପିତାଙ୍କ ଦେହାନ୍ତ ହୋଇଥିଲେ । ପିତାଙ୍କ ଦେହାନ୍ତ ପରେ ମାଆ ଶର୍ଯ୍ୟାଶାୟୀ , ତେଣୁ ପୁଅର ସହିଦ ହେବା ଖବର ଶୁଣି କାଳେ କିଛି ଅଘଟଣ ଘଟିବ ତେଣୁ ଏହି ଦୁଃଖଦ ଖବର ମାଆ ଏଯାଏଁ ଜାଣିନାହାନ୍ତି ।