ହମାରି ଛୋରିଆଁ ଛୋରୋଁ ସେ କମ୍ ହେ କେ .. ସିନେମା ଦଙ୍ଗଲରେ ଯେତେବେଳେ ଅଭିନେତା ଆମିର ଖାନ୍ ନିଜ ଝିଅଙ୍କ ମନୋବଳ ବଢାଇବା ପାଇଁ ଏହି ଡାଇଲଗ୍ କହିଥିଲେ ସେତେବେଳେ ପୂରା ଥିଏଟର୍ ସିଟି ବଜାଇ ବାଃ ବାଃ କହିଥିଲା । ଆଉ ଏହି ଡାଇଲଗର ପୂରା ଝଲକ ଦେଖିବାକୁ ମିଳିଛି ଅପରେସନ୍ ସିନ୍ଦୂରରେ । ଅପରେସନ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ କ୍ୟାମ୍ପ ଧୂଳିସାତ୍ ହେଲା । ଭାରତର ଏହି ଆକ୍ରମଣ ପରେ ସାରା ଦେଶରେ କର୍ଣ୍ଣଲ୍ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ ଚର୍ଚ୍ଚାକୁ ଆସିଛନ୍ତି । ଅପରେସନ ସିନ୍ଦୂର ପରେ ହୋଇଥିବା ପ୍ରେସ୍ କନଫରେନ୍ସରେ କର୍ଣ୍ଣଲ୍ କ୍ୟୁରେସି ଶାନ୍ତ ଏବଂ ସ୍ପଷ୍ଟ ରୂପେ ପୂରା ଅପରେସନର କାହାଣୀ କହିଥିଲେ । ସେ କେମିତି ସେନାରେ ଯୋଗ ଦେଲେ , ଦେଶସେବା କେମିତି ତାଙ୍କ ପରିବାରର ପରମ୍ପରା ଏବଂ ଦେଶପ୍ରତି ପରିବାର କେମିତି ସମର୍ପଣର ଭାବ ରଖେ ସବୁ କହିଲେ କର୍ଣ୍ଣଲ୍ ସୋଫିଆ କ୍ୟୁରେସି ।
/kanak/media/media_files/2025/05/12/jw2iWAwa4OFrO1sbbxAm.jpg)
ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ । ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ମିଶି ସେ ଲଢ଼େଇ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ , ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢି ଆସିଛନ୍ତି । କର୍ଣ୍ଣଲଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ଛିଡ଼ା ହେବା । ଏଥିରୁ ହିଁ ଜଣାପଡ଼େ ପିଢ଼ି ପରେ ପିଢ଼ି କର୍ଣ୍ଣଲ୍ ସୋଫିଆଙ୍କ ପରିବାର କେମିତି ଦେଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ।
/kanak/media/media_files/2025/05/12/5H0dIHIt5Qk1RX0Rg82R.jpg)
ସୋଫିଆଙ୍କ ମା’ ଚାହୁଥିରେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ ଏବଂ ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିଥିଲେ ସୋଫିଆ । ତାଙ୍କ ପରିବାରର ଇତିହାସ ଭାରତୀୟ ସେନାର କାହାଣୀ ଭଳି । ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ । ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢ଼େଇରେ ସାମିଲ୍ ହୋଇଥିଲେ । ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ବର କାହାଣୀ ସବୁବେଳେ ଶୁଣାଉଥିଲେ,କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢ଼େଇ କରୁଥିଲେ ସବୁକିଛି ।
କର୍ଣ୍ଣଲ୍ ସୋଫିଆଙ୍କ ଜନ୍ମ ୧୯୭୪ରେ ଗୁଜରାଟର ବଡୋଦରାରେ ହୋଇଥିଲା । ସେ ୧୯୯୭ରେ ବାୟୋକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରି ହାସଲ କରି ଭାରତୀୟ ସେନାର ମେକେନାଇଜ୍ଡ ଇନଫେଣ୍ଟ୍ରିରେ କାର୍ଯ୍ୟରତ । ୨୦୧୬ ରେ ସେ ASEAN ପ୍ଲସ୍ ମଲ୍ଟିନ୍ୟାସନାଲ୍ ମିଲେଟ୍ରି ଏକ୍ସରସାଇଜ ‘ଫୋର୍ସ ୧୮’ ରେ ଭାରତୀୟ ଦଳର ନେତୃତ୍ବ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ଥିଲେ । ୧୮ ଟି ଦେଶ ଭିତରୁ ସେ ଏକମାତ୍ର ମହିଳା କମାଣ୍ଡର ଥିଲେ । ଅପରେସନ ସିନ୍ଦୂରର ବ୍ରିଫିଙ୍ଗ୍ ସମୟରେ ଯେତେବେଳେ ପୂରା ଭାରତ ତାଙ୍କ ନେତୃତ୍ବ ଦେଖିଥିଲା ସମସ୍ତଙ୍କ ମନରେ ନାରୀଶକ୍ତି ପାଇଁ ସମ୍ମାନ ଦ୍ବିଗୁଣିତ ହୋଇଥିଲା । ପିଢ଼ି ପରେ ପିଢ଼ି ସାହସ , ସମର୍ପଣ ଏବଂ ଶାନ୍ତ ଦୃଢ଼ ସଂକଳ୍ପର ଏହି ସେନାର ସିଂହୀଙ୍କୁ ଶତ ଶତ ସଲାମ୍ ।