ସୋମବାର ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କଲା ଭଳି ଏକ ପୋଷ୍ଟ୍ ସେୟାର୍ କଲେ କ୍ରିକେଟର୍ ବିରାଟ କୋହଲି । ଅଚାନକ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କଲେ କିଙ୍ଗ୍ କୋହଲି । ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଅବସର ନେବାର ସୂଚନା ଦେଲେ ବିରାଟ । ଏବେ ସେ କେବଳ ୱାନ ଡେ ମ୍ୟାଚ୍ ହିଁ ଖେଳିବେ । ଇନଷ୍ଟାରେ ଗୋଟିଏ ଇମୋସନାଲ୍ ପୋଷ୍ଟ୍ ସେୟାର୍ କରି ନିଜ ରିଟାୟାରମେଣ୍ଟର ଘୋଷଣା କଲେ କୋହଲି । କ୍ୟାରିୟରରେ ୧୨୩ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବିରାଟ୍ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ କରିଛନ୍ତି ।
/kanak/media/media_files/2025/05/13/zZ4yqOuqIr3TyAzISZu1.jpg)
ଏହି ଘୋଷଣା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ବିରାଟ୍ କୋହଲି ଏବଂ ଧର୍ମପତ୍ନୀ ଅନୁଷ୍କାଙ୍କୁ ସ୍ପଟ୍ କରାଯାଇଥିଲା । ଦୁହେଁ ଖୁସି ଖୁସି ବିଦେଶ ଗସ୍ତରେ ଥିବାର ଜଣାପଡୁଥିଲେ । ବିମାନ ବନ୍ଦରରେ ଦମ୍ପତିଙ୍କୁ ସ୍ପଟ୍ କରିଥିଲେ ପାପାରାଜି । ଦମ୍ପତି ମଧ୍ୟ ପାପାରାଜି କ୍ୟାମେରାକୁ ଦେଖି ପୋଜ୍ ଦେଇଥିଲେ । ଆଉ ଏହାର କିଛି ସମୟ ପରେ ବିରାଟ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ସୂଚନା ଦେଇଥିଲେ । ତେବେ ଦମ୍ପତିଙ୍କ ଏହି ଫଟୋକୁ ଦେଖି ପ୍ରଶଂସକ ଏବେ ବିରାଟଙ୍କୁ ଟେଷ୍ଟ୍ କ୍ରିକେଟ୍ ଛାଡ଼ିବାର କାରଣ ପଚାରୁଛନ୍ତି । କେହି କେହି କହୁଛନ୍ତି ସନ୍ନ୍ୟାସ ନେବା ପରେ ଛୁଟିରେ ବାହାରିଲେ କି କୋହଲି କପଲ୍ ନା’ ଲଣ୍ଡନ ସ୍ଥିତ ଘରକୁ ଯିବେ ?
ତେବେ ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କଲେ ବିରାଟ । ୩୬ ବର୍ଷୀୟ କ୍ରିକେଟର୍ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ । ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା । ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା । କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୧୫ ରନ୍ କରିଥିଲେ । ଅନ୍ୟପକ୍ଷରେ କିଙ୍ଗ୍ କୋହଲି ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳିଥିଲେ । ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା । ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ବିତୀୟ ପାଳିରେ ୬ ରନ୍ କରିଥିଲେ । ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି । ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ ।