ଖରାଦିନେ ବାରମ୍ବାର ବିଜୁଳି କାଟ୍ ହେବା କିଛି ନୂଆ କଥା ନୁହେଁ । ଗ୍ରାମାଞ୍ଚଳରେ ତ ପରିସ୍ଥିତି ଆହୁରି ଜଟିଳ । ଗ୍ରୀଷ୍ମଦିନେ ଲୋଡ୍ ଅଧିକ ବଢିଗଲେ ବିଜୁଳି କଟିବା ଆରମ୍ଭ । କିଛି କ୍ଷେତ୍ରରେ ବିଜୁଳି କାଟିବାର ଖବର ଏତେ ଆସେ ଯେ ଏଥିପାଇଁ ଖବରକାଗଜଠୁ ନେଇ ଟିଭି ପର୍ଯ୍ୟନ୍ତ ସବୁଠି ଘନଘନ ଖବର ପ୍ରସାରଣ ହୁଏ । ଘରେ ଲାଇଟ୍ ନ ରହିଲେ ଲାଗେ ଯେମିତି ସବୁ କାମ ଅଟକି ଯାଇଛି । ଦେହରୁ ଗମ୍ ଗମ୍ ଝାଳ ବୋହିବାଠୁ ନେଇ ବ୍ୟତିବ୍ୟସ୍ତ କରାଇବାରେ ଓସ୍ତାଦର କାମ କରେ ବିଜୁଳି କାଟ୍ । ତେବେ ବର୍ତ୍ତମାନ କିଛି କ୍ଷେତ୍ରରେ ଇନଭର୍ଟର ଏହି ଜଟିଳ ସମସ୍ୟାରୁ ମଣିଷକୁ ଟିକେ ଶାନ୍ତି ଦେଉଛି । ଅନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଳି ଇନଭର୍ଟରର ଯଦି ଯତ୍ନ ଭଲ ଭାବରେ ନିଆଗଲା ତା’ହେଲେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇଥାଏ ।

Advertisment
inverter water
inverter water Photograph: (google)

ଗାଡ଼ିରେ ଯେମିତି ପେଟ୍ରୋଲ୍ ନ ପଡ଼ିଲେ ଆଗକୁ ଗଡେନାହିଁ ଠିକ୍ ସେମିତି ଇନଭର୍ଟର ଠିକରେ ଚାଲିବାକୁ ହେଲେ ଆବଶ୍ୟକ ପଡ଼େ ପାଣିର । ଆଉ ଏ ପାଣି ଆମେ କିମ୍ବା ଆପଣ ପିଇଲା ପରି ପାଣି କିମ୍ବା RO ୱାଟର୍ ନୁହଁ ବରଂ ଡିଷ୍ଟଲ୍ ୱାଟର୍ ଦ୍ବାରା ହୋଇଥାଏ । ତେବେ ଅନେକ ଲୋକ ଇନଭର୍ଟରରେ ଡିଷ୍ଟଲ୍ ୱାଟରର ବ୍ୟବହାର ହୁଏ ବୋଲି ତ ଜାଣିଥିବେ କିନ୍ତୁ କେତେ ଦିନକୁ ଥରେ ଏହି ପାଣି ଚେଞ୍ଜ୍ କରିବା କଥା ତାହା ବୋଧହୁଏ ଜାଣି ନଥିବେ । ସମୟ ସହିତ ଇନଭର୍ଟରରୁ ଡିଷ୍ଟଲ୍ ୱାଟର୍ ସରି ସରି ଆସେ ଆଉ ଠିକ୍ ସମୟରେ ଏହାକୁ ଚେକ୍ କରି ପାଣି ନ ବଦଳାଇଲେ ଏହା ଇନଭର୍ଟରର ବୟସକୁ କମାଇଦିଏ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତି ୪୫ ଦିନକୁ ଥରେ ଇନଭର୍ଟର ବ୍ୟାଟେରୀର ୱାଟର ଲେବଲ୍ ଚେକ୍ କରିବା ନିହାତି ଦରକାର ଏବଂ ପାଣି ସର୍ବନିମ୍ନ ସ୍ତରରୁ ଯେମିତି ତଳକୁ ନ ଖସିବ ତାହା ଦେଖିବା ଦରକାର । ତେବେ ଇନଭର୍ଟର ଯଦି ସାଧାରଣ ରୂପେ ବ୍ୟବହାର ହୁଏ ତା’ହେଲେ ୪ ରୁ ୫ ମାସ ଭିତରେ ଏହାର ଡିଷ୍ଟଲ୍ ୱାଟର୍ କମ୍ ହେବାକୁ ଲାଗିଥାଏ । ଗୋଟିଏ ପଏଣ୍ଟ୍ ତଳକୁ ଖସିଲା ବେଳକୁ ଏଥିରେ ରିଫିଲ୍ କରିବା  ନିହାତି ଜରୁରି । 

ପ୍ରତିଟି ଇନଭର୍ଟର ବ୍ୟାଟେରୀରେ ୱାଟର୍ ଫିଲର୍ ସ୍ତରର ଏକ ଇଣ୍ଡିକେଟର୍ ଥାଏ । ଯଦି ଇଣ୍ଡିକେଟର୍ ସବୁଜ ଚିହ୍ନ ଦେଖାଏ ତା’ହେଲେ ଆପଣଙ୍କ ଇନଭର୍ଟରରେ ପର୍ଯ୍ୟାପ୍ତ ପାଣି ମହଜୁଦ ହୋଇ ରହିଛି । କିନ୍ତୁ ଯଦି ଏହା ଲାଲ୍ ଚିହ୍ନ ଦେଖାଏ ତେବେ ପାଣି ଯେତେ ରହିବା କଥା ତା’ର ତଳକୁ ଖସିଯାଇଛି ଏବଂ ଏହା ବଦଳାଇବା ଅର୍ଥାତ୍ ପାଣି ଭର୍ତ୍ତି କରିବା ନିତାନ୍ତ ଆବଶ୍ୟକ । ଡିଷ୍ଟଲ୍ ୱାଟର୍ ଭର୍ତ୍ତି କରିବା ପୂର୍ବରୁ ଇନଭର୍ଟର ଏବଂ ପାୱାର୍ ସର୍କିଟ୍ ସ୍ବିଚକୁ ବନ୍ଦ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏହାଛଡ଼ା ନିଜ ସୁରକ୍ଷା ପାଇଁ ବ୍ୟାଟେରୀରେ ଡିଷ୍ଟଲ୍ ୱାଟର୍ ଭର୍ତ୍ତି କରିବା ପୂର୍ବରୁ ହାତରେ ଗ୍ଲଭସ୍ ମଧ୍ୟ ପିନ୍ଧନ୍ତୁ ।