କନକ ବ୍ୟୁରୋ : ଖଡ୍‌ଗ ଖର୍ପର ଧାରିଣୀ, ଦୁଷ୍ଟଙ୍କ ସଂହାରକାରିଣୀ ମା’ କାଳରାତ୍ରୀଙ୍କୁ ସନାତନ ଧର୍ମରେ ନକାରାତ୍ମକ ଶକ୍ତିର ନାଶ କରୁଥିବା ଦେବୀ ବୋଲି କୁହାଯାଏ । ମା’କାଳୀଙ୍କ ପୂଜାରେ ଲେମ୍ବୁର ବ୍ୟବହାର ହୋଇଥାଏ । ଲେମ୍ବୁକୁ ମଧ୍ୟ ନକାରାତ୍ମକ ଉର୍ଜ୍ଜାକୁ ନଷ୍ଟ କରୁଥିବାର ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି, ଲେମ୍ବୁକୁ ସେହି ଦୁଷ୍ଟ ପ୍ରକୃତିର ଅସୁରଙ୍କ ସହ ତୁଳନା କରାଯାଏ ଯାହାଙ୍କ ସଂହାର ମା’ କାଳରାତ୍ରୀ କରିଥିଲେ । ଯେତେବେଳେ ମା’ କାଳୀଙ୍କୁ ଲେମ୍ବୁର ମାଳା ଅର୍ପଣ କରାଯାଏ , ତାହା ଏକପ୍ରକାର ବଳି (ପ୍ରତିକାତ୍ମକ ବଳି) ବୋଲି ମନେ କରାଯାଏ । ଯାହାକୁ ମା’ ସ୍ବୀକାର କରନ୍ତି । ଯାହା ଏହି କଥାକୁ ସୂଚାଏ ଯେ ଭକ୍ତ ନିଜ ଶତ୍ରୁ ତଥା ଆଭ୍ୟନ୍ତରର ବିକାରକୁ ମାଆଙ୍କ ଆଗରେ ସମର୍ପି ନକାରାତ୍ମକ ଉର୍ଜାକୁ ନଷ୍ଟ କରି ଏହା ଉପରେ ବିଜୟ ପ୍ରାପ୍ତ କରେ । ଯେଉଁ ଭକ୍ତ କୌଣସି ବିବାଦ , ମକଦ୍ଦମା କିମ୍ବା ଗୁପ୍ତ ଶତ୍ରୁଙ୍କ ନକାରାତ୍ମକ ଦୃଷ୍ଟିରୁ ନିଜକୁ ମୁକ୍ତ କରିବାକୁ ଚାହୁଛନ୍ତି ସେମାନେ ମା’ କାଳରାତ୍ରୀଙ୍କୁ ଲେମ୍ବୁର ମାଳା ତଥା ଲେମ୍ବୁ ଅର୍ପଣ କରନ୍ତି । ମାନ୍ୟତା ରହିଛି ଏହାଦ୍ବାରା ଶତ୍ରୁଙ୍କ ନକାରାତ୍ମକ ଦୃଷ୍ଟିର ପ୍ରଭାବ ଉପରେ ପଡ଼େ ନାହିଁ ଏବଂ ମଣିଷର ଜୀବନ ଶାନ୍ତିମୟ ହୁଏ । ଲେମ୍ବୁର ମାଳା ପରିଧାନ କରି ମା’କାଳରାତ୍ରୀ ପ୍ରସନ୍ନ ହୁଅନ୍ତି ଏବଂ ନିଜ ଭକ୍ତର ରକ୍ଷା କରନ୍ତି । 

Advertisment
lemon
lemon Photograph: (google)

ଜ୍ୟୋତିଷଶାସ୍ତ୍ରରେ ଲେମ୍ବୁର ସମ୍ବନ୍ଧ ରାହୁ ଏବଂ କେତୁର ଛାୟା ଗ୍ରହକୁ ମଧ୍ୟ ମନେ କରାଯାଏ । ଲେମ୍ବୁର ତନ୍ତ୍ର ଉପାୟ ରାହୁ-କେତୁଙ୍କ ଅଶୁଭ ପ୍ରଭାବ ଏବଂ ନଜର ଦୋଷକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ । ମା’ କାଳୀଙ୍କ ପୂଜାରେ ଲେମ୍ବୁର ବ୍ୟବହାର ନକାରାତ୍ମକ ଦୃଷ୍ଟି ଏବଂ ବ୍ଲାକ୍ ମ୍ୟାଜିକର ପ୍ରଭାବକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଏ । ଲେମ୍ବୁର ଖଟା ଏବଂ ଏହାର ଉତ୍କଟ ବାତ୍ସା ଶକ୍ତିଶାଳୀ ଉର୍ଜ୍ଜାକୁ ଇଙ୍ଗିତ କରେ । ଉଗ୍ର ଏବଂ ଶକ୍ତିଶାଳୀର ପ୍ରତୀକ ମା’ କାଳୀଙ୍କ ଉର୍ଜ୍ଜାକୁ ସହ୍ୟ କରିବାର ଶକ୍ତି ଲେମ୍ବୁରେ ରହିଛି । ତେଣୁ ଲେମ୍ବୁର ମାଳା ମା’ଙ୍କ ପାଖରେ ଅର୍ପଣ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ଦେବୀ ଶାଙ୍କଭରି (ମା’ କାଳୀଙ୍କ ଅନ୍ୟ ଏକ ରୂପ) ଯେତେବେଳେ ନିମ୍ବାସୁର ନାମକ ରାକ୍ଷସର ବଧ କରିଥିଲେ ସେତେବେଳେ ସେ ଅତ୍ୟନ୍ତ ଉଗ୍ର ରୂପରେ ଥିଲେ । ଦେବତାଗଣ ମାତାଙ୍କୁ ଶାନ୍ତ କରିବା ପାଇଁ ଲେମ୍ବୁର ଘୋଳ ମିଶାଇ ମା’ଙ୍କୁ ପିଇବାକୁ ଦେଇଥିଲେ । ସେବେଠାରୁ ହିଁ ଦେବୀଙ୍କ ଉଗ୍ରରୂପକୁ ଶାନ୍ତ କରି ସନ୍ତୁଳନ ସ୍ଥାପନ କରିବା ପାଇଁ ଲେମ୍ବୁ ଅର୍ପଣ କରାଯାଏ

ଭକ୍ତମାନେ ବେଳେବେଳେ ଗୋଟିଏରୁ ଦୁଇଟି ଲେମ୍ବୁକୁ ମା’ଙ୍କ ଚରଣରେ ଅର୍ପିତ କରୁଥିବା ବେଳେ ଆଉ କିଛି ଭକ୍ତ ୧୦୮ ଟି ଲେମ୍ବୁର ମାଳାକୁ ମା’କାଳୀଙ୍କୁ ଅର୍ପଣ କରିଥା’ନ୍ତି । କିଛି ତନ୍ତ୍ରବିଧିରେ ଲେମ୍ବୁକୁ କାଟି ଏହାକୁ ଦୀପ ଭଳି ବ୍ୟବହାର କରାଯାଏ । ତେବେ ମା’ଙ୍କ ପୂଜାରେ ଲେମ୍ବୁର ବ୍ୟବହାର ବିଶେଷ ରୂପରେ ତାନ୍ତ୍ରିକ ପୂଜା ଏବଂ ମାନସିକ ପୂର୍ତ୍ତି ପାଇଁ କରାଯାଏ । ଘରେ ଏହାର ବ୍ୟବହାର ପୂର୍ବରୁ ଥରେ ପଣ୍ଡିତ , ପୂଜକଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ତେବେ ମା’କାଳୀ କେବଳ ରାଗ, ହିଂସା , ଦ୍ବେଷ ,କପଟ ,ଈର୍ଷା , ନକାରାତ୍ମକ ପ୍ରବୃତ୍ତିକୁ ନାଶ କରିବା ପାଇଁ ଉଗ୍ର ରୂପ ଧାରଣ କରନ୍ତି । ସେ ପରା ମା’ ମମତାମୟୀ ନହେଲେ ସାରା ଦୁନିଆ ତାଙ୍କୁ କାହିଁକି ପୂଜନ୍ତା ? ମଣିଷ ଯେତେବେଳେ ମାନବିକତାକୁ ନଷ୍ଟ କରି ଈର୍ଷା,ଦ୍ବେଷକୁ ଆଲିଙ୍ଗନ କରେ ସେତେବେଳେ ଅହଙ୍କାର , ଗର୍ବକୁ ଖର୍ବ କରିବା ପାଇଁ ଉଗ୍ର ରୂପ ନିଅନ୍ତି ମା’ କାଳରାତ୍ରୀ