ବଲିଉଡର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଏବେ ସିଙ୍ଗର୍ ଅରିଜିତ୍ ସିଂଙ୍କ ଦବଦବା ରହିଛି । ଏହି ପ୍ଲେ ବ୍ୟାକ୍ ସିଙ୍ଗରଙ୍କୁ ଅବା କିଏ ନ ଜାଣେ । ପ୍ରତି ସିନେମାରେ ଗୋଟିଏରୁ ଦୁଇଟି ଗୀତ ଗାଇ ଚର୍ଚ୍ଚାକୁ ଆସିଥା’ନ୍ତି ଏହି ଗାୟକ । ଭାରତରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଅରିଜିତଙ୍କ ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ ସୁମଧୁର କଣ୍ଠରେ ସେ ପ୍ରଶଂସକଙ୍କୁ ଦିୱାନା ବନାନ୍ତି । ଅରିଜିତଙ୍କ କଣ୍ଠ ଯେତିକି ସୁମଧୁର ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ସେତିକି ସୁନ୍ଦର । ଅନ୍ୟ କଳାକାରଙ୍କ ପରି ଅରିଜିତ ମଧ୍ୟ ସମାଜସେବା କରନ୍ତି । ନିକଟରେ ସେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି । ଯାହାର ନାଁ ସେ ‘ହେସେଲ୍’ ବୋଲି ଦେଇଛନ୍ତି । ଏହି ଗାୟକ ସାଧାରଣ ଲୋକଙ୍କ ସୁବିଧା ପାଇଁ ହେସେଲ୍ ରେସ୍ତୋରାଁ ଖୋଲିଛନ୍ତି ।
/kanak/media/media_files/2025/05/28/AcMbwIZrW4kZ5g5R2Zdj.jpg)
ପଶ୍ଚିମବଙ୍ଗର ଜିୟାଗଞ୍ଜଠାରେ ସେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି । ଯେଉଁଠି ଅନ୍ୟ କଳାକାରଙ୍କ ରେସ୍ତୋରାଁରେ ଖାଦ୍ୟର ଦର ଆକାଶଛୁଆଁ ରହୁଛି । ଅରିଜିତଙ୍କ ରେସ୍ତୋରାଁରେ ମାତ୍ର ୪୦ ଟଙ୍କା ଦେଇ ଜଣେ ଲୋକ ପେଟପୁରା ଖାଦ୍ୟ ଖାଇପାରିବ । ଏହି ରେସ୍ତୋରାଁର ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ସସମ୍ମାନେ ଖାଦ୍ୟ ପରସିବା । ଆଜିର ମହଙ୍ଗା ସମୟରେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ହେଲେ ପକେଟରୁ ୫୦୦ ରୁ ୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗାୟକଙ୍କ ରେସ୍ତୋରାଁ ୪୦ ଟଙ୍କାରେ ଲୋକଙ୍କ କ୍ଷୁଧା ମେଣ୍ଟାଉଛି । ତେବେ ଏହି ରେସ୍ତୋରାଁ ନୂଆ ନୁହଁ କିନ୍ତୁ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଏବେ ହେଉଛି । ରେସ୍ତୋରାଁର ଯତ୍ନ ଗାୟକଙ୍କ ପିତା ଗୁରଦୟାଲ ସିଂ କରୁଛନ୍ତି । ଏଠାରେ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ କମ୍ ମୂଲ୍ୟରେ ମିଳିଥାଏ , ତେଣୁ ରେସ୍ତୋରାଁରେ ସବୁବେଳେ ଗ୍ରାହକଙ୍କ ଭିଡ଼ ଲାଗିଥାଏ ।
ତେବେ କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବରୁ ଏହି ରେସ୍ତୋରାଁରେ ୪୦ ଟଙ୍କାରେ ପେଟପୂରା ଭୋଜନ ମିଳୁଥିଲା । ବର୍ତ୍ତମାନ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ଅନ୍ୟ ଗ୍ରାହକଙ୍କ ପାଇଁ ଖାଦ୍ୟର ମୂଲ୍ୟ ୪୦ ଟଙ୍କାରୁ ଅଧିକ । ଏହି ରେସ୍ତୋରାଁ ଦିନ ୧୦ ଟାରୁ ଆରମ୍ଭ କରି ରାତି ୧୧ ଟା ପର୍ଯ୍ୟନ୍ତ ଖୋଲା ରୁହେ । ଯେଉଁଠି ଅନ୍ୟ ସେଲିବ୍ରିଟି ହାଇ-ଫାଇ ରେସ୍ତୋରାଁ ଖୋଲି ଆକାଶଛୁଆଁ ଦରରେ ଖାଦ୍ୟ ବିକ୍ରି କରନ୍ତି ସେଠାରେ ଅରିଜିତଙ୍କ ଏଭଳି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।