କନକ ବ୍ୟୁରୋ : ଦାସିଆ ବାଉରୀ ଯେବେ ପ୍ରଭୁ ବୋଲି ଡାକିଦେଲେ ହାତ ବଢ଼ାଇ ନଡ଼ିଆ ନେଇଗଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ରାମକୃଷ୍ଣ ପରମହଂସ ଯେତେବେଳେ ଆଖିରୁ ଦୁଇଧାର ଲୁହ ଢାଳି ମା’ ବୋଲି ଡାକିଦେଲେ ଆବିର୍ଭାବ ହୋଇଗଲେ ମମତାମୟୀ ମା’ କାଳୀ । ଭକ୍ତ ଶ୍ରେଷ୍ଠା ମୀରାବାଈ ଯେତେବେଳେ ପ୍ରଭୁଙ୍କ ନାମ ନେଇ ବିଷ ମିଶ୍ରିତ ଖିରି ସେବନ କଲେ ନିଜ ଶରୀରକୁ ନୀଳ ବର୍ଣ୍ଣରେ ଢାଙ୍କି ଦେଲେ ଦ୍ବାରିକାପତି । ଭକ୍ତି , ସମର୍ପଣ ଭାବର ଭଜନରେ ବନ୍ଧା ଭକ୍ତବତ୍ସଳ ଭଗବାନ ସବୁବେଳେ ଭକ୍ତର ଗୋଟିଏ ଡାକରେ ଆସି ଛିଡ଼ା ହୁଅନ୍ତି । ପ୍ରକୃତ ଭକ୍ତଟିଏ ଅନ୍ତଃମନରେ ସବୁବେଳେ ଭଗବାନଙ୍କ ନିକଟତର କିନ୍ତୁ ଦେବାଳୟରେ ଏହାର ଠିକ ଓଲଟା । ବର୍ତ୍ତମାନ ମନ୍ଦିରରେ ଭକ୍ତ ଏବଂ ଭଗବାନଙ୍କ ମଝିରେ ସୂକ୍ଷ୍ମ ଲକ୍ଷ୍ମଣରେଖା ଟାଣିଦେଇଛି ଭିଆଇପି କଲ୍ଚର । ଯେଉଁଠି ଗୁମୁରି କାନ୍ଦୁଛି ଭକ୍ତ ଆଉ ଟଙ୍କା ଦେଇ ଦର୍ଶନ କରୁଛନ୍ତି ଭିଆଇପି । ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେଲା ପରେ ବି ଯେଉଁଠି ଭଗବାନଙ୍କୁ ଭଲରେ ଦର୍ଶନ କରିବା ପାଇଁ ଦିଆଯାଉନାହିଁ ସେଠାରେ ମୋଟାଅଙ୍କର ଟଙ୍କା ବଢ଼ାଇ ବିଗ୍ରହଙ୍କୁ ସ୍ପର୍ଶ କରି ଆସୁଛନ୍ତି ତଥାକଥିତ ଭିଆଇପି । 

Advertisment
VIP
VIP Photograph: (google)

ନିକଟରେ ଏମିତି ହିଁ କିଛି ଘଟଣା ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳ ମନ୍ଦିରରେ । କାଳଙ୍କ କାଳ ବାବା ମହାକାଳଙ୍କୁ ଦର୍ଶନ କରିବା ପାଇଁ ଏଠାରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମେ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖା ଯାଉଥିବା ଦମ୍ପତି ବାବାଙ୍କ ଦର୍ଶନ କରିବା ପାଇଁ ଉଜ୍ଜୟିନୀ ଆସିଥିବା ବେଳେ ତାଙ୍କ ସହ କେମିତି ଅନ୍ୟାୟ ହୋଇଛି ଏହି କଥା କାନ୍ଦି କାନ୍ଦି କହିଛନ୍ତି ଦମ୍ପତି । ସମ୍ପୂର୍ଣ୍ଣ ଘଟଣା ହେଉଛି ଦର୍ଶନ କରିବାକୁ ଆସିଥିବା ଦମ୍ପତିଙ୍କ ପାଖରେ ଫୋନ୍ ଦେଖି ସିକ୍ୟୁରିଟି ଗାର୍ଡ ପ୍ରଥମେ ଦୁର୍ବ୍ୟବହାର କଲେ ପରେ କଣ୍ଟ୍ରୋଲ୍ ରୁମକୁ ନେଇ ଏଣୁତେଣୁ ପ୍ରଶ୍ନ କଲେ । ବିରକ୍ତ ହୋଇ ଦମ୍ପତି ପ୍ରଭୁଙ୍କ ଦର୍ଶନ ବିନା ହିଁ ଘରକୁ ଫେରିଗଲେ । ଅଲ୍ ଇଣ୍ଡିଆ ବାଇକ ରାଇଡର୍ ନୈନା ତାଙ୍କ ସ୍ବାମୀଙ୍କ ସହ ବାଇକରେ ମହାକାଳ ମନ୍ଦିର ପହଞ୍ଚିଥିଲେ । ସକାଳ ସାଢ଼େ ୫ ଟାରୁ ୨ ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ବେ ତାଙ୍କୁ ଦର୍ଶନ କରିବା ପାଇଁ ଦିଆଗଲାନି । ଯାହାର କାରଣ ହେଉଛି ତାଙ୍କ ପାଖରେ ଫୋନ୍ ଥିଲା । ସିକ୍ୟୁରିଟି ଗାର୍ଡ଼ ଦମ୍ପତିଙ୍କୁ ପ୍ରଥମେ ଠେଲି ଠେଲି କଣ୍ଟ୍ରୋଲ୍ ରୁମ୍ ନେଇଥିଲେ ଏବଂ ପଚାରିଥିଲେ ଆପଣ କ’ଣ ଭିଆଇପି ଶ୍ରଦ୍ଧାଳୁ ? ଦର୍ଶନ ପାଇଁ ଆପଣ ଟିକେଟ୍ କିଣିଛନ୍ତି କି ? ଏଭଳି ଅନେକ ପ୍ରଶ୍ନରେ ବିରକ୍ତି ପ୍ରକାଶ କରି ଦମ୍ପତି ବିନା ଦର୍ଶନରେ ହିଁ ସେଠାରୁ ଚାଲିଆସିଲେ । 

ନୈନା ଏହି ଘଟଣା ପରେ କାନ୍ଦି କାନ୍ଦି ଗୋଟିଏ ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ଯେଉଁଥିରେ ସେ କହିଥିଲେ , ବୋଧହୁଏ ଭିଆଇପି ଶ୍ରଦ୍ଧାଳୁ ନହେବା ଆମର ଭୁଲ ହୋଇଗଲା । ପଶୁପତିନାଥ ବାବା ମହାକାଳ ପଶୁ,ପକ୍ଷୀଙ୍କ ଭିତରେ ବି ପ୍ରଭେଦ କରନ୍ତି ନାହିଁ କିନ୍ତୁ ଆମ ସହ ମନ୍ଦିରରେ ଅନ୍ୟାୟ ହେଲା । ଯେଉଁଠି ଭିଆଇପି ଶ୍ରଦ୍ଧାଳୁ ଏବଂ ସେଲିବ୍ରିଟି ଅଧଘଣ୍ଟା ପର୍ଯ୍ୟନ୍ତ ବାବାଙ୍କ ପୂଜାର୍ଚ୍ଚନା କରୁଛନ୍ତି ସେଠାରେ ଜଣେ ସାଧାରଣ ଭକ୍ତଙ୍କୁ ମାତ୍ର କିଛି ସେକେଣ୍ଡର ଦର୍ଶନ କରିବା ପାଇଁ ହିଁ ସୁଯୋଗ ମିଳୁଛି । ମନ୍ଦିରରେ ଧର୍ମ ନାଁରେ ବ୍ୟବସାୟ କରାଯାଉଛି । ଭକ୍ତମାନେ ଭକ୍ତିର ସହ ଦେବାଳୟକୁ ଭୋଗ, ପୁଷ୍ପ , ଚନ୍ଦନର ସମ୍ଭାର ନେଇ ଯାଆନ୍ତି କିନ୍ତୁ ଭଗବାନଙ୍କ ଆଗ୍ରହ ତ ସମର୍ପଣରେ । ନିଜ ପ୍ରଭୁଙ୍କୁ ଅନୁଭବ କରିବା ପାଇଁ , ମନଭରି ଦେଖିବା ପାଇଁ ଭକ୍ତଟିଏ ମନ୍ଦିରକୁ ଯାଏ ; ବିଗ୍ରହଙ୍କ ଆଗରେ ମୁଣ୍ଡିଆ ମାରେ । ହେଲେ ଆଜିକାଲିର ମଡର୍ଣ୍ଣ ମନ୍ଦିରର ନୀତିନିୟମ ଏବଂ ଭିଆଇପି ପରମ୍ପରା ପାଇଁ ଭକ୍ତ-ଭଗବାନ ମଝିରେ ପାଚେରୀ ଛିଡ଼ା ହେବାରେ ଲାଗିଛି । ଆଉ ଗରିବ ଭକ୍ତ ଓ ଧନୀ ଭକ୍ତ ଭାବି ଭଗବାନଙ୍କ ଦର୍ଶନକୁ ବ୍ୟବସାୟ କରିବାରେ ଲାଗିଛନ୍ତି ଦିଅଁଙ୍କ ପାଖଲୋକ ବୋଲାଉଥିବା ଦଲାଲ ।