କରୋନା କାଳ ପରେ ଭାରତରେ ଡୋଲୋ ୬୫୦ ମେଡିସିନ୍ ଅନେକ ରୋଗର ଔଷଧ ପାଲଟି ଯାଇଛି । ଜ୍ବର ହେଉ କି ମୁଣ୍ଡବ୍ୟଥା ଏମିତିକି ଶରୀର ପୀଡ଼ା ହେଲେ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ ଭାରତୀୟ ଚକୋଲେଟ୍ ଖାଇଲା ପରି ଡୋଲୋ ମେଡିସିନ୍ ଖାଉଛନ୍ତି । ଏହି ମେଡିସିନ୍ ଖାଇବା ଦ୍ବାରା ସମସ୍ୟାର ତ ସମାଧାନ ହୋଇଯାଉଛି କିନ୍ତୁ ଏଥିରେ ଅନେକ ଗମ୍ଭୀର ସାଇଡ୍ ଇଫେକ୍ଟ ମଧ୍ୟ ଦେଖାଯାଉଛି । ଭାରତରେ ଡୋଲୋ ୬୫୦ ର ଏତେ ଚାହିଦା ବଢ଼ିବା ଚିନ୍ତାଜନକ ହୋଇପଡ଼ିଛି । ଆମେରିକାର ଜଣେ ଡାକ୍ତର ଭାରତରେ ଏହି ମେଡିସିନର ବହୁଳ ପ୍ରଚଳନକୁ ନେଇ ଟ୍ବିଟ୍ କରି ଚିନ୍ତା ପ୍ରକଟ କରିଥିଲେ । ସେ ନିଜ ଟ୍ବିଟରେ ଲେଖିଥିଲେ ଯେ ‘ଭାରତୀୟ ଚକୋଲେଟ୍ ଖାଇଲା ପରି ଡୋଲୋ ୬୫୦ ଖାଉଛନ୍ତି’ । କରୋନା କାଳରେ ଏହି ମେଡିସିନ୍ ପ୍ରତିଟି ଭାରତୀୟଙ୍କ ବନ୍ଧୁ ପାଲଟି ଯାଇଥିଲା । କିନ୍ତୁ କରୋନା ଯିବା ପରେ ମଧ୍ୟ ଏହି ବନ୍ଧୁକୁ ଛାଡ଼ି ପାରୁନାହାନ୍ତି ଭାରତୀୟ । ବର୍ତ୍ତମାନ ସାମାନ୍ୟ ଜ୍ବର ହେଲେ ମଧ୍ୟ ଲୋକ ଡୋଲୋ ୬୫୦ ବଟିକା ଖାଉଛନ୍ତି । ଏହି ମେଡିସିନ୍ ଦ୍ବାରା ଡାକ୍ତରଙ୍କୁ ଆର୍ଥିକ ଲାଭ ମିଳୁଥିବାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ସାରା ଦେଶରେ ଏହି ବଟିକାର ବହୁଳ ବ୍ୟବହାର କରାଯାଉଛି । ଡାକ୍ତରଙ୍କ ବିନା ପରାମର୍ଶରେ ଲୋକ ଏହି ମେଡିସିନକୁ ଖାଉଛନ୍ତି । କିଛି ଲୋକ ତ ଅନେକ ଦିନ ପର୍ଯ୍ୟନ୍ତ ଲଗାତାର ଏହି ମେଡିସିନକୁ ଖାଉଛନ୍ତି ।
/kanak/media/media_files/2025/05/27/MVJGXBgBc7laDuQgld6z.jpg)
ଔଷଧ ଦୋକାନରୁ ଡୋଲୋ ୬୫୦ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପ୍ସନର ଆବଶ୍ୟକତା ପଡୁନାହିଁ । ଗ୍ରାହକ ମାଗିବା ମାତ୍ରେ ଦୋକାନୀ ଟଙ୍କା ନେଇ ହାତରେ ଧରାଇ ଦେଉଛନ୍ତି ଡୋଲୋ ୬୫୦ ବଟିକା । ଯେଉଁ ଔଷଧକୁ କରୋନା ବେଳେ ସାମାନ୍ୟ ଜ୍ବର ପାଇଁ ଖାଇବାକୁ ଡାକ୍ତର ପରାମର୍ଶ ଦେଉଥିଲେ ଆଜି ସେହି ବଟିକାକୁ ଥଣ୍ଡାଜ୍ବର,ଶରୀର ପୀଡ଼ା ଏବଂ ମୁଣ୍ଡବ୍ୟଥା ହେଲେ ମଧ୍ୟ ଲୋକ ଖାଉଛନ୍ତି । ବିନା ଔଷଧରେ ମଧ୍ୟ ଏଭଳି ସାମାନ୍ୟ ସମସ୍ୟା ସହ ମଣିଷ ଲଢ଼ି ପାରିବ କିନ୍ତୁ ତୁରନ୍ତ ଉପଶମ ପାଇଁ ଡୋଲୋ ୬୫୦ ବଟିକା ନେଇଥାଆନ୍ତି ଲୋକେ ।
ଡାକ୍ତରଙ୍କ କହିବା ମୁତାବକ ଏହି ଔଷଧକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ କିମ୍ବା ସାମାନ୍ୟ ଜ୍ବର ପାଇଁ ଖାଇଲେ ପାର୍ଶ୍ବ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିପାରେ । କେବଳ ଏତିକି ନୁହେଁ ଏହି ବଟିକାକୁ ବାରମ୍ବାର ଖାଇବା ଦ୍ବାରା ଲିଭର୍ ଏବଂ କିଡନି ଭଳି ଗମ୍ଭୀର ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହା ଷ୍ଟ୍ରେସକୁ ମଧ୍ୟ ବଢାଇଥାଏ । ଯାଞ୍ଚରୁ ପ୍ରମାଣିତ ହୋଇଛି କି ଡୋଲୋ ୬୫୦ ର ଓଭରଡୋଜ୍ ଏକ୍ୟୁଟ୍ ଲିଭର୍ ଫେଲ୍ୟୁୟରର କାରଣ ମଧ୍ୟ ହୋଇପାରେ । ଏହି ମେଡିସିନ୍ ଶରୀରର ଗମ୍ଭୀର ରୋଗକୁ ଦବାଇବାର କାମ କରେ ଯାହା ଭବିଷ୍ୟତରେ ବଡ଼ ବିପଦକୁ ଡାକି ଆଣିବାରେ ସହାୟକ ହେବ । ଡୋଲୋ ୬୫୦ ମେଡିସିନକୁ ଡାକ୍ତରଙ୍କ ପରାମର୍ଶ ନେଇ ହିଁ ଖାଇବା ଉଚିତ । ସାମାନ୍ୟ ଜ୍ବରକୁ ବିନା ମେଡିସିନରେ ହିଁ ଭଲ କରିବାର ପ୍ରୟାସ କରିବା ଆବଶ୍ୟକ । ମୁଣ୍ଡ ବ୍ୟଥା ଏବଂ ଶରୀର ପୀଡ଼ା ପାଇଁ ଅନ୍ୟ ଉପାୟ ମଧ୍ୟ ବ୍ୟବହାର କରାଯାଇପାରିବ କିନ୍ତୁ ଶୀଘ୍ର ଉପଶମ ପାଇବା ପାଇଁ ଡୋଲୋ ୬୫୦ ଖାଇବା ବୁଦ୍ଧିମତାର ପରିଚୟ ନୁହେଁ । ବାରମ୍ବାର ଏହି ମେଡିସିନ୍ ଖାଇବା ଦ୍ବାରା ଶରୀର ଉପରେ ମଧ୍ୟ ଏହାର ପ୍ରଭାବ କମ୍ ପଡ଼େ । ଯେତେବେଳେ ଲାଗିବ ଯେ ଏହି ଔଷଧ ଶରୀର ଉପରେ ଠିକରେ କାମ କରୁନି ସେହି ସମୟରୁ ହିଁ ତୁରନ୍ତ ଡୋଲୋ ୬୫୦ ଖାଇବାରୁ ବଞ୍ଚନ୍ତୁ । ଶରୀରରେ ପ୍ରଭାବ ନ ପକାଇବା ପରେ ବି ଯଦି ଔଷଧ ଖାଉଛନ୍ତି ତେବେ ଭବିଷ୍ୟତରେ ଗମ୍ଭୀର ସମସ୍ୟା ସହ ମୁକାବିଲା କରିବାକୁ ପ୍ରସ୍ତୁତ ରୁହନ୍ତୁ ।