ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ । ୨୫ ବର୍ଷ ପୁରୁଣା କେସରେ ରାୟ ଶୁଣାଣି କରିବା ବେଳେ ହାଇକୋର୍ଟ ରାଜା କୋଲନ୍ଦର ଏବଂ ସହଯୋଗୀ ବଚ୍ଛରାଜ କୋଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ । ଦୁହିଁଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଭରିବାକୁ କହିଲେ ଉଚ୍ଚ ନ୍ୟାୟାଳୟ । ଦଣ୍ଡ ଶୁଣିବା ପରେ କିନ୍ତୁ ଅଭିଯୁକ୍ତ ରାଜା କୋଲନ୍ଦରଙ୍କ ମୁହଁରେ ପଶ୍ଚାତାପ , କାନ୍ଦ ବଦଳରେ ହସ ଖେଳି ଯାଇଥିଲା । ଏହି ଅଭିଯୁକ୍ତ ଆଉ କେହି ନୁହନ୍ତି ଭାରତର ବହୁ ଚର୍ଚ୍ଚିତ ନୃଶଂସ ସିରିଏଲ୍ କିଲର୍ ରାଜା କୋଲନ୍ଦର ଓରଫ ରାମ ନିରଞ୍ଜନ । 

Advertisment
Raja-Kolandar
Raja-Kolandar Photograph: (google)

ସିରିଏଲ୍ କିଲର୍ ରାଜା କୋଲନ୍ଦରଙ୍କ କାହାଣୀ ଆରମ୍ଭ ହୁଏ ଜଣେ ସାମ୍ବାଦିକଙ୍କ ହତ୍ୟାରୁ । ସାମ୍ବାଦିକ ଧୀରେନ୍ଦ୍ରଙ୍କ ହତ୍ୟା ପରେ ପୁଲିସର ଯାଞ୍ଚ ପ୍ରକ୍ରିୟା ଜିଲ୍ଲା ପଞ୍ଚାୟତ ସଦସ୍ୟ ଫୁଲନ ଦେବୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା । ଯାଞ୍ଚ ବେଳେ ଧୀରେନ୍ଦ୍ରଙ୍କ ଜିନିଷପତ୍ର ମିଳିଲା ଏବଂ ଅଭିଯୁକ୍ତ ଦୋଷ ସ୍ବୀକାର କଲା । ହେଲେ ନରସଂହାରର ଏ ନାରକୀୟ କାଣ୍ଡ ଏଇଠି ଅଟକି ନଥିଲା । ସାମ୍ବାଦିକଙ୍କ ସମେତ ୧୪ ଜଣଙ୍କୁ ହତ୍ୟା କରି ନିଜ ଫାର୍ମ ହାଉସରେ ପୋତିଥିବା କଥା ସ୍ବୀକାର କରିଥିଲା ଏହି ସିରିଏଲ୍ କିଲର୍ । ଧୀରେନ୍ଦ୍ରଙ୍କୁ ତାଙ୍କ ଶାଳକ ବଚ୍ଛରାଜ ଗୁଳି କରି ହତ୍ୟା କରିଥିଲେ , ଯାହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲା ବଚ୍ଛରାଜଙ୍କ ବନ୍ଧୁ ରାଜା ଏବଂ ମୁଣ୍ଡକୁ ପଲିଥିନରେ ଭର୍ତ୍ତି କରି ବାଣସାଗର ପୋଖରୀରେ ଫୋପାଡ଼ି ଦିଆ ଯାଇଥିଲା । ଏହି ସିରିଏଲ୍ କିଲରର ବ୍ୟକ୍ତିତ୍ବ ଅତ୍ୟନ୍ତ ବର୍ବର ଯେ ନିଜ ଶତ୍ରୁଙ୍କ ମୁଣ୍ଡକୁ କାଟି ଫାର୍ମ ହାଉସର ଗଛରେ ଓହଳାଇ ଦେଇଥିଲା । ରାଜା ଜାତି ଅନୁସାରେ ଶବର ଖପୁରିକୁ ରଙ୍ଗ ଦେଉଥିଲା , ଉପରେ ନାଁ ଲେଖୁଥିଲା ଏବଂ ଖପୁରିଙ୍କ ଅଦାଲତ ଲଗାଇ ଦଣ୍ଡ ଶୁଣାଉଥିଲା । ପୁଲିସ ରାଜାର ଡାଏରି ଜବତ କରିଥିଲା ଯାହାକୁ ସେ ଅଦାଲତର ଡାଏରି ବୋଲି କହୁଥିଲା , ଯେଉଁଥିରେ କେଉଁଥିପାଇଁ ଉକ୍ତ ମଣିଷକୁ ହତ୍ୟା କରାଯାଇଛି ସେ ବିଷୟରେ ଲେଖା ହୋଇଥିଲା । 

ଏହି ସାଇକୋ ସିରିଏଲ୍ କିଲର୍ ଏତେ କ୍ରୁର ଥିଲା ଯେ ଯାହାକୁ ମାରୁଥିଲା ତା’ର ମସ୍ତିଷ୍କକୁ ସିଝାଇ ସୁପ୍ କରି ପିଉଥିଲା ଏବଂ ଖପୁରିକୁ ଭାଜି ଖାଉଥିଲା । ଶବର ମାଂସ ଟୁକୁଡ଼ାକୁ ଜଙ୍ଗଲୀ ଜନ୍ତୁଙ୍କୁ ଖାଇବାକୁ ଦେଉଥିଲା । ପୁଲିସର ତଦନ୍ତ ବେଳେ ରାଜା କହିଥିଲା ଯେ ନିଜକୁ ବୁଦ୍ଧିମାନ କରିବା ପାଇଁ ସେ ମଣିଷର ମସ୍ତିଷ୍କ ସୁପ୍ ପିଉଛି । ଅପରାଧରେ ଲିପ୍ତ ରାଜା କୋଲନ୍ଦର ଜୀବନର ପ୍ରଥମ ହତ୍ୟା ୧୯୯୮ ମସିହାରେ କରିଥିଲା , ଯାହାପରେ ଏହି ସିରିଏଲ୍ କିଲରକୁ ଯେମିତି ହତ୍ୟାର ଅଭ୍ୟାସ ଲାଗିଗଲା । ଲମ୍ବା ସମୟ ଧରି ଲୋକଙ୍କ ମନରେ ଡ଼ର ସୃଷ୍ଟି କରିଥିବା ଏହି ସିରିଏଲ୍ କିଲରକୁ ଶେଷରେ ଆଜୀବନ କାରାଦଣ୍ଡ ଦେଇ ଲୋକଙ୍କ ମନରୁ ଭୟ ଦୂର କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।