କନକ ବ୍ୟୁରୋ: ଗତ ୪ ଦିନ ତଳେ ଗୁଜରାଟ ଭଦୋଦରା ସହରର କରେଲୀବାଗ ଅଞ୍ଚଳରେ ଛାତି ଥରାଇଦେଲା ଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଥିଲା । ଯାହା ସିସିଟିଭିରେ କଏଦ୍ ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ୮ ଜଣ ଲୋକଙ୍କୁ ଧକ୍କା ମାରିଥିଲା । କାର୍ଟି ସ୍କୁଟିରେ ଯାଉଥିବା ମା’ ଝିଅଙ୍କୁ ଧକ୍କା ମାରିବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ଝିଅ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
/kanak/media/media_files/2025/03/17/MWdP8nhIYR54o1M3eFEt.jpg)
ତେବେ ଚକିତ କରିଦେଲା ଭଳି କଥା ହେଉଛି କାର୍ ଚଲାଉଥିବା ଚାଳକ ଜଣକ ହେଉଛନ୍ତି ଜଣେ ଛାତ୍ର । ରକ୍ଷ୍ସିତ୍ ଚୌରାସିଆ ନାମକ ଏହି ଛାତ୍ର ସ୍କୁଟିକୁ ଟକ୍କର ମାରିବା ପରେ ସାଙ୍ଗଙ୍କ ସହ କାର୍ରୁ ଓହ୍ଲାଇଥିଲେ । ବିଚଳିତ କରିଦେଲା ଭଳି କଥା ହେଉଛି ଏତେ ବଡ଼ କାଣ୍ଡ ଭିଆଇବା ପରେ ଛାତ୍ରଜଣକ ପଶ୍ଚାତାପ କରିବା ବଦଳରେ ‘Another Round’ କହି ଚାଲିଥିଲେ । ଏହାସହ ଅଙ୍କଲ୍ , ଓଁ ନମଃ ଶିବାୟ ଏବଂ ଜଣେ ଯୁବତୀଙ୍କ ନାଁ ଜୋର୍ରେ ଚିଲାଉଥିବାର ମଧ୍ୟ ଭିଡିଓରେ ନଜର ଆସୁଛି । ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଲୋକ ଯୁବକ ଜଣକ ନିଶା ସେବନ କରିଥିବା କଥା କହୁଛନ୍ତି । କିନ୍ତୁ ସେ କାହିଁକି ଏ ସବୁ ନାଁ କହୁଥିଲେ ତାହା ଏବେ ବି ରହସ୍ୟରେ ରହିଛି । ତେବେ ପୁଲିସ୍ ଏହାରି ଉପରୁ ପରଦା ହଟାଇ କହିଛି ଯେ ଡେନମାର୍କର ଏକ ସିନେମା Another Roundକୁ ରକ୍ଷ୍ସିତ୍ ଏତେ ପସନ୍ଦ କରୁଥିଲା ଯେ ଏହାର ଡାଇଲଗ୍କୁ ପ୍ରତିଦିନ ବ୍ୟବହାର କରୁଥିଲା । ଏମଏସ୍ ବିଶ୍ବବିଦ୍ୟାଳୟର ଆଇନ୍ ବିଭାଗର ଚତୁର୍ଥ ବର୍ଷର ଛାତ୍ର ରକ୍ଷ୍ସିତ୍ ଚୌରାସିଆ ମାର୍ଚ୍ଚ ୧୩ ତାରିଖରେ ଏହି ଦୁର୍ଘଟଣା ଘଟାଇଥିଲେ ।
/kanak/media/media_files/2025/03/17/K2SKeXoec4zhcTqJxv1a.jpg)
Another Round ସିନେମା ଯୁବକକୁ ଏତେ ପ୍ରଭାବିତ କରିଥିଲା ଯେ ସେ ରହୁଥିବା ଭଡ଼ାଘରେ ସିନେମାର ବଡ଼ ବଡ଼ ପୋଷ୍ଟର୍ ଲଗାଇବା ସହ ଏହାର ପ୍ରତିଟି ଡାଇଲଗ୍କୁ ନିତିଦିନିଆ ଜୀବନରେ କହୁଥିଲେ । ସିନେମାର ପ୍ରତିଟି ଚରିତ୍ରକୁ କପି କରିବାକୁ ଚେଷ୍ଟା କରୁଥିଲେ । ଫିଲ୍ମରେ ୪ ଜଣ ସାଙ୍ଗଙ୍କ ନିଶାକୁ ନେଇ ଦୁର୍ବଳତା ଏବଂ ଜୀବନକୁ ଭିନ୍ନ ଢ଼ଙ୍ଗରେ ଜିଇଁବାର ଇଚ୍ଛା ରକ୍ଷ୍ସିତଙ୍କୁ ପ୍ରଭାବିତ କରିଥିଲା ।
/kanak/media/media_files/2025/03/17/SvhM0n6wIewrhsyaiquv.jpg)
ରକ୍ଷ୍ସିତ୍ ଚୌରାସିଆଙ୍କ ଉପରେ ହତ୍ୟା , ଦ୍ରୁତଗତିରେ ଗାଡ଼ି ଚଲାଇବା , ଅନ୍ୟର ଜୀବନ ବିପଦରେ ପକାଇବା ଭଳି ଗମ୍ଭୀର ଅଭିଯୋଗ ଲାଗିଛି । ଏତେ ସବୁ ପରେ ମଧ୍ୟ ଯୁବକ ଜଣକ ନିଶା କରିନଥିବା କଥା ଗଣମାଧ୍ୟମକୁ କହୁଛନ୍ତି । ଫରେନ୍ସିକ୍ ଯାଞ୍ଚ୍ ପାଇଁ ରକ୍ଷ୍ସିତଙ୍କ ରକ୍ତନମୁନାକୁ ପଠାଯାଇଛି । ତେବେ ଏହାରି ଭିତରେ ସୋସିଆଲ୍ ମିଡିଆରେ ଯୁବପିଢିଙ୍କ ବ୍ୟବହାର, କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଉଛନ୍ତି ୟୁଜର୍ସ । ସିନେମା ଦେଖି କପି କରିବାକୁ ମନା ନାହିଁ କିନ୍ତୁ ଏଥିରେ କାହାର ଜୀବନ ଯିବ ଏ କି ପ୍ରକାରର ପାଗଳାମୀ ? କ’ଣ ସିନେମାର ରୋମାଞ୍ଚକର ସିନ୍ ଜୀବନ ଫେରାଇ ଆଣିପାରିବ?