ପୁରାତନ କାଳରେ ଯେତେବେଳେ ବୁଢୀ ମା’ ନୂଆ କରି ବାହା ହେଉଥିବା ଝିଅଟିକୁ କହୁଥିଲେ,ମା’ରେ ତୋର ଆଜିଠୁ ନୂଆ ସଂସାର ଆରମ୍ଭ । ସ୍ବାମୀ ହିଁ ତୋର ପରମେଶ୍ବର,ଶାଶୁଘର ହିଁ ତୋର ସରଗପୁର .. ସେତେବେଳେ ଝିଅଟି କଇଁ କଇଁ କାନ୍ଦି ବୁଢୀ ମା’ର ସଂସ୍କାରକୁ ହିଁ ସର୍ବୋପରି ଭାବି ସୁଖରେ ବୈବାହିକ ଜୀବନରେ ପାଦ ଥାପୁଥିଲା । ସାବିତ୍ରୀ,କରୱାଚୌଥ୍ ଭଳି ବ୍ରତ ପାଳନ କରି ଗାଇ ଉଠୁଥିଲା, ତୁମେ ହିଁ ସ୍ବର୍ଗ ମୋର, ତୁମେ ଦେବତା ମୋର, ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର .. କିନ୍ତୁ ସମୟ ବଦଳିବା ସହ ସଂପର୍କର ପରିଭାଷା ମଧ୍ୟ ବଦଳୁଛି । ପରକୀୟା ପ୍ରୀତିର ଦୁର୍ଗନ୍ଧରେ ସୁଗନ୍ଧମୟ ଦାମ୍ପତ୍ୟ ଜୀବନ ହଳାହଳ ବିଷ ସଦୃଶ ହୋଇଉଠୁଛି । ପୂର୍ବରୁ ପୁରୁଷ ବାଟବଣା ହେଉଥିଲେ, ସ୍ତ୍ରୀ ଥାଉ ଥାଉ ଅନ୍ୟ ନାରୀଙ୍କ ଉପରେ ଆକର୍ଷିତ ହେଉଥିଲେ,ଏବେ ମଧ୍ୟ ହେଉଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ବର୍ତ୍ତମାନ ଏହି ତାଲିକାରେ ନାରୀ ମଧ୍ୟ ସାମିଲ୍ ହେଲେଣି । ସରଳ ଭାଷାରେ କହିଲେ ,ଅଧୋପତନ ଦିଗରେ ଅର୍ଦ୍ଧାଙ୍ଗିନୀ । ଆମେ ଏଠାରେ କୌଣସି ସମାଜର ଚରିତ୍ର ସଂହାର କରୁନାହୁଁ କି ଏଠାରେ ପ୍ରମୁଖ ବିଷୟ ପୁରୁଷ କି ନାରୀ ନୁହେଁ । ଆମେ ସେ ସମାଜ ବିଷୟରେ ଆଲୋକପାତ କରୁଛୁ ଯାହା ଆମ ସଭ୍ୟତାର ଅଂଶବିଶେଷ ହିଁ ନୁହେଁ । ଯେଉଁ ସଂସ୍କୃତି ଆମକୁ ପ୍ରେମର ପରାକାଷ୍ଠା,ସଂପର୍କର ସୁନ୍ଦରତା ଏବଂ କରୁଣାର ଶିକ୍ଷା ଦେଇଛି ସେଇଠି ଆଜି ଡ୍ରମ୍, ଫ୍ରିଜ୍, କୁକର୍, ଜଙ୍ଗଲ ଭଳି ସ୍ଥାନରେ ଗୁମୁରି କାନ୍ଦୁଛି ନିଷ୍ପାପ ପ୍ରେମ ଆଉ ନିଜକୁ ନିଜେ ପଚାରୁଛି, ‘ମୋର ଭୁଲ୍ କ’ଣ ଥିଲା’

Advertisment
muskan 11
muskan 11 Photograph: (google)

ପୂର୍ବରୁ ପରକୀୟା ପ୍ରୀତି ପାଇଁ ପିଶାଚ ପାଲଟି ଯାଇଥିବା ସ୍ବାମୀଙ୍କର ଅନେକ ଉଦାହରଣ ଆମେ ଆପଣଙ୍କୁ ଦେଇଛୁ । ବର୍ତ୍ତମାନ ପାଳି ସ୍ତ୍ରୀଙ୍କର । ନିକଟରେ ମିରଟରେ ମୁସ୍କାନ୍ ନାମକ ଜଣେ ମହିଳା ନିଜ ସ୍ବାମୀ ସୌରଭଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି । କେମିତି ଜଣେ ନୌସେନା ଅଧିକାରୀ ସ୍ବାମୀଙ୍କୁ ପ୍ରେମିକ ସହ ମିଶି ୧୫ ଖଣ୍ଡ କଲା ପରେ ଡ୍ରମରେ ସିମେଣ୍ଟ ଦେଇ ପ୍ୟାକ୍ କରିଥିଲା ସ୍ତ୍ରୀ ମୁସ୍କାନ୍ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ହତ୍ୟାକାଣ୍ଡ ଏତେ ଜଘନ୍ୟ ଥିଲା ଯେ ଡାକ୍ତର ବି ଯେତେବେଳେ ମୃତଦେହର ଯାଞ୍ଚ୍ କରିବାକୁ ଆସିଲେ ସେତେବେଳେ ତାଙ୍କ ଲୋମ ଟାଙ୍କୁରୀ ଉଠିଥିଲା । ପ୍ରେମବିବାହ କରିଥିଲେ ମୁସ୍କାନ୍ ଏବଂ ସୌରଭ କିନ୍ତୁ ପରକୀୟା ପ୍ରୀତି ଆଗରେ ଫିକା ପଡ଼ିଗଲା ପ୍ରେମ । ସ୍ବାମୀ ଛାତି ଉପରେ ବସି ୩ ଥର ହୃଦୟରେ ଛୁରି ଭୁଷିଥିଲା ମୁସ୍କାନ୍ , ମୁଣ୍ଡ – ହାତ କାଟି ନିଜ ସହ ନେଇଥିଲା ପ୍ରେମିକ ଆଉ ସ୍ତ୍ରୀ ସ୍ବାମୀକୁ ୧୫ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିଲା । ତା’ପରେ ହସଖୁସିରେ ଛୁଟି କଟାଇବା ପାଇଁ ଚାଲିଗଲେ ୨ ହତ୍ୟାକାରୀ । ହୋଲି ଖେଳିଲେ,ନାଚିଲେ,ଧୁମ୍ ବୁଲିଲେ କିନ୍ତୁ ଏପଟେ ହତ୍ୟାକାରୀ ମା’ର ପୋଲ୍ ଖୋଲିଦେଲା କୁନିଝିଅ ଆଉ କହିଥିଲା ‘ବାପା ଡ୍ରମରେ ଅଛନ୍ତି’ । ଲଜ୍ଜା,ଲୋମହର୍ଷଣର ଏ ଖବର ଯେ କେହିବି ଶୁଣିଲେ ଅବାକ୍ ହୋଇରହିଗଲେ । 

muskan 12
muskan 12 Photograph: (google)

ଏହାର ଠିକ୍ ପରେ ପରେ ରାଜସ୍ଥାନ ଜୟପୁରରୁ ମଧ୍ୟ ସମାନ ଢଙ୍ଗରେ ଏକ ଖବର ସାମ୍ନାକୁ ଆସିଲା ଯେତେବେଳେ ପରିବା ବିକାଳୀ ଧନ୍ନାଲାଲ୍ ସେନୀଙ୍କ ମୃତଦେହ ଜଙ୍ଗଲରୁ ଠାବ ହେଲା । ଧନ୍ନାଲାଲଙ୍କ ପତ୍ନୀ ଗୋପାଲୀ ଦେବୀଙ୍କ ଦୀନଦୟାଲ୍ ନାମକ ବ୍ୟକ୍ତିଙ୍କ ସହ ପ୍ରେମସମ୍ବନ୍ଧ ଗଢିଉଠିଥିଲା । ବିବାହ ସତ୍ତ୍ବେ ୫ ବର୍ଷ ପରକୀୟା ପ୍ରୀତିରେ ଦୁହେଁ ଥିଲେ ଯାହାର ସନ୍ଦେହ ଧନ୍ନାଲାଲଙ୍କୁ ହୋଇଥିଲା । ସମୟକ୍ରମେ ଦୁହିଁଙ୍କୁ ଅପ୍ରୀତିକର ସ୍ଥିତିରେ ଧରିଥିଲେ ଧନ୍ନାଲାଲ୍ ଆଉ ତା’ପରେ ବାଟର କଣ୍ଟାକୁ ହଟାଇବାକୁ ଆରମ୍ଭ ହୋଇଥିଲା ଯୋଜନା । ପ୍ରଥମେ କଥା ହେବା ବାହାନାରେ ପରିତ୍ୟକ୍ତ ସ୍ଥାନକୁ ଡାକି ଲୁହାରଡରେ ଲହୁଲୁହାଣ କଲେ ଆଉ ତା’ପରେ ବସ୍ତାରେ ଧନ୍ନାଲାଲଙ୍କୁ ଭର୍ତ୍ତି କରି ବାଇକରେ ବସାଇ ଜଙ୍ଗଲରେ ନେଇ ଜାଳିଦେଲେ । ଦୁଃଖର କଥା ହେଉଛି ନଡିଆ କତାକୁ ପ୍ରେସର ଦେଇ ବସ୍ତାରେ ଭର୍ତ୍ତି କଲା ପରି ସ୍ବାମୀକୁ ବସ୍ତାରେ ଭର୍ତ୍ତି କରିଥିଲେ ସ୍ତ୍ରୀ । ଗୋଡ଼ ଦୁଇଟିକୁ ଏମିତି ମୋଡିଥିଲେ ଯେ ଅର୍ଦ୍ଧଦଗ୍ଧ ଶବଟି ଯେତେବେଳେ ମିଳିଥିଲା ତାହା ଆଣ୍ଠୁମାଡି ଜଳିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଜଣେ ପତ୍ନୀ ଏତେ ନିର୍ଦ୍ଦୟୀ କେମିତି ହୋଇପାରେ ଏହାର ଉଦାହରଣ ସମାଜକୁ ଦେଇ ଥାନାର ଅନ୍ଧକାରରେ ଏବେ ପାପର ପ୍ରାୟଶ୍ଚିତ କରୁଛନ୍ତି ଗୋପାଲୀ ଦେବୀ ଏବଂ ଦୀନଦୟାଲ୍ । 

jaypur case
jaypur case Photograph: (google)
jaypur case 1
jaypur case 1 Photograph: (google)

ବର୍ତ୍ତମାନ ଠିକ୍ ସମାନ ଭାବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ବିବାହର ମାତ୍ର ୧୫ ଦିନ ପରେ ସ୍ବାମୀକୁ ମାରିଦେଇଛି ନବବିବାହିତା ସ୍ତ୍ରୀ । ଘଟଣାଟି ଉତ୍ତରପ୍ରଦେଶ ଓରେୟାର ବୋଲି କୁହାଯାଉଛି । ଯେଉଁଠାରେ ସ୍ବାମୀକୁ ମାରିବା ପାଇଁ ସ୍ତ୍ରୀ ୨ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଦିଲ୍ଲୀପ ଏବଂ ପ୍ରଗତୀଙ୍କ ବିବାହ ଧୁମଧାମରେ ହୋଇଥିବା ବେଳେ ପ୍ରଗତୀ ପୂର୍ବରୁ ଅନୁରାଗ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ଏବଂ ବିବାହରେ ଖୁସି ନଥିଲେ । ଯେତେବେଳେ ଅନୁରାଗ ଏବଂ ପ୍ରଗତୀଙ୍କ ମିଳନରେ ବାଧା ଉପୁଜିଲା ରାସ୍ତାର କଣ୍ଟା ଦିଲ୍ଲୀପକୁ ହଟାଇବା ପାଇଁ ଦୁହେଁ ସୁପାରୀ କିଲରଙ୍କ ସହ କଣ୍ଟାକ୍ଟ କଲେ ଏବଂ ପ୍ଲାନିଂ ଅନୁସାରେ ହତ୍ୟାକାଣ୍ଡ ରଚାଗଲା , ଯାହା ସଫଳ ମଧ୍ୟ ହେଲା । ଆଉ ଶେଷରେ ପୁଲିସ୍ ପ୍ରଗତୀ , ଅନୁରାଗ ଏବଂ ଉକ୍ତ ସୁପାରୀ କିଲରକୁ ଧରିବାରେ ମଧ୍ୟ ସଫଳ ହେଲା । 

UP case
UP case Photograph: (google)

ବର୍ତ୍ତମାନ ପ୍ରତିଦିନ ଏହିଭଳି ଘଟଣା ସାମ୍ନାକୁ ଆସୁଛି । ସଂପର୍କ ଯଦି ସୁହାଉନି ଏହାର ବିକଳ୍ପ ଆଇନ୍ ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଜୀବନରୁ ମାରିଦେବା କେତେ ଯେ ଠିକ୍ ଏହାର ବିଚାର କରିବାର ସମୟ ଆସିଛି ।