କନକ ନ୍ୟୁଜ୍ : ଚଳିତବର୍ଷ ସମୟ ପୂର୍ବରୁ ବଢିଯାଇଛି ଗ୍ରୀଷ୍ମର ପ୍ରକୋପ । ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରବଳ ଗରମରେ ସନ୍ତୁଳି ହେଉଛି ପୂରା ଦେଶ । ଏସି , କୁଲର୍ , ଫ୍ରିଜ୍ ,ଫ୍ୟାନ୍ ସବୁର ବଢିଛି ଭାଉ । ଦ୍ବିପ୍ରହର ହେଲେ ପଦାକୁ ଗୋଡ଼ କାଢିବାକୁ ଯେମିତି ଇଚ୍ଛା ହେଉନି । ଥଣ୍ଡାପାନୀୟ , ପଖାଳ କଂସା , ଘୋଳଦହି ସବୁକୁ ଯେମିତି ଗଳାର ମାଳି କରିବାକୁ ପଡୁଛି । ଫ୍ରିଜର ଥଣ୍ଡା ପାଣି ଦେହ ପାଇଁ ଭଲ ନଥିଲେ ମଧ୍ୟ ପେଟକୁ ଥଣ୍ଡା ରଖିବା ପାଇଁ ବାଧ୍ୟ ହୋଇ ଫ୍ରିଜ୍ ପାଣିକୁ ଢକ ଢକ କରି ପିଇବାକୁ ପଡୁଛି । ତା’ପରେ ଥଣ୍ଡା , କାଶ ଆଉ ଛୁଁ ଛୁଁର ଶବ୍ଦ ଘରେ ଯେମିତି ଖେଳିଯାଉଛି । ସତରେ ରେଫ୍ରିଜରେଟରର ପ୍ରଚଳନ ବଢିବା ପରେ କାଇଁ ମାଟିହାଣ୍ଡିର ଚାହିଦା କେଉଁଠି କମିଗଲା ପରି ଲାଗୁଛି । ମାଟିହାଣ୍ଡିର ପ୍ରାକୃତିକ ଥଣ୍ଡା ପାଣି ଯାହା ପେଟକୁ ଥଣ୍ଡା ରଖିବା ସହ ଦେହ ପାଇଁ ମଧ୍ୟ ଭାରି ଭଲ । ପୂର୍ବରୁ ଯେତେବେଳେ ରେଫ୍ରିଜରେଟର୍ ନାମକ ଫର୍ଣ୍ଣିଚରଟି ଘରେ ଘରେ ଶୋଭା ପାଉନଥିଲା ସେତେବେଳେ ମାଟିହାଣ୍ଡି ହିଁ ଦେଶୀ ଫ୍ରିଜର କାମ କରୁଥିଲା । ପିଲାବେଳେ ମା’ ଯେତେବେଳେ ମାଟିହାଣ୍ଡି କିଣୁଥିଲେ ବାଲି ମେଞ୍ଚାଏ ଓଦା କରି ପ୍ରଥମେ ରଖୁଥିଲେ ତା’ ଉପରେ ହାଣ୍ଡି ରଖି ପାଣି ଭର୍ତ୍ତି କରୁଥିଲେ । କିଛି ସମୟ ପରେ ସେ ପାଣି ପିଇଲେ ଯେଉଁ ଥଣ୍ଡା ଏବଂ ମାଟିର ବାସ୍ନା ଓ ଟେଷ୍ଟ୍ ଆସୁଥିଲା ତାହା କ’ଣ ଫ୍ରିଜ୍ ପାଣି ଦ୍ବାରା ସମ୍ଭବ । ମାଟିହାଣ୍ଡିର ପାଣି ନା କେବଳ ପିଇବାକୁ ଭଲ ଲାଗେ ବରଂ ଏହା ଦେହ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ତେବେ ମାଟିପାତ୍ର ପାଣିର ଉପକାରିତା ବିଷୟରେ ଯଦି ଆପଣ ଜାଣିନାହାଁନ୍ତି ତେବେ ଆସନ୍ତୁ ସେ ବିଷୟରେ ଆଜି ଜାଣିବା ।
/kanak/media/media_files/2025/03/22/sHiQdfUFNi7r181Iuh39.jpg)
ଆଜିର ସମୟରେ ଲୋକ ଆଲକାଲାଇନ୍ ପାଣି ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ଅଧିକ ଟଙ୍କା ଖର୍ଚ୍ଚ କରି ଆଲକାଲାଇନ୍ ପାଣି ମେସିନ୍ କିମ୍ବା ବୋତଲ କିଣୁଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଲୋକ ହିଁ ଜାଣନ୍ତି ଯେ ମାଟି ହାଣ୍ଡିର ପାଣି ପ୍ରାକୃତିକ ଭାବରେ ଆଲକାଲାଇନ୍ ହୋଇଥାଏ । ଯାହା ଏସିଡିକ୍ ପ୍ରକୃତିକୁ ହ୍ରାସ କରିଥାଏ ଏବଂ PH କୁ ସନ୍ତୁଳିତ କରିଥାଏ ।
/kanak/media/media_files/2025/03/22/LXpm1vSF26ekibvlp6uR.jpg)
ଏକ ଗବେଷଣାରୁ ଜଣାପଡିଛି ଯେ ଏହା ବୃଦ୍ଧାବସ୍ଥାକୁ ରୋକିବା ପାଇଁ ମଧ୍ୟ ସହାୟକ ହୋଇଥାଏ । ନ୍ୟୁଟ୍ରିସନିଷ୍ଟ୍ ମେଘା ମଖିଜାଙ୍କ କହିବାନୁସାରେ , କର୍କଟ ପରି କ୍ରନିକ୍ ରୋଗ ସମେତ ଡିହାଇଡ୍ରେସନକୁ ରୋକି ପାଚନକୁ ବଢ଼ାଇଥାଏ ମାଟିହାଣ୍ଡିର ପାଣି । ଏହା ଏସିଡିଟିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେବେ ଏଥିରେ କେତେ ସତ୍ୟତା ରହିଛି ଏହାକୁ ନେଇ ଗବେଷଣା ଚାଲୁ ରହିଛି । ମାଟିହାଣ୍ଡିରେ ଜମା ହୋଇଥିବା ପାଣିରେ କୌଣସି ବିଷାକ୍ତ ରାସାୟନିକ ପଦାର୍ଥ ନ ଥାଏ, ତେଣୁ ଏହା ପ୍ଲାଷ୍ଟିକ୍ ବୋତଲର ସବୁଠାରୁ ଶସ୍ତା ଏବଂ ପରିବେଶ ଅନୁକୂଳ ବିକଳ୍ପ ଅଟେ । ଏହି ପାଣିରେ ଥିବା ମିନେରାଲ୍ସ ଗୁଣ ଡାଇଜେଷ୍ଟିଭ୍ ସିଷ୍ଟମକୁ ଉନ୍ନତ କରେ ।
/kanak/media/media_files/2025/03/22/Bfc5aOH8CkEcJxkCIzL2.jpg)
ମାଟି ପାତ୍ରରେ ଜମା ହୋଇଥିବା ପାଣି ଅଂଶୁଘାତରୁ ରକ୍ଷା କରିବାରେ ସାହାଯ୍ୟ କରେ, କାରଣ ଏହା ପୋଷକ ତତ୍ତ୍ୱ ଏବଂ ମିନେରାଲ୍ସକୁ ବଜାୟ ରଖେ । ବାସ୍ତବରେ, ମାଟିରେ ଜମା ହୋଇଥିବା ପାଣିରେ ଅଧିକ ମିନେରାଲ୍ସ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ, ଫସଫରସ୍ ରହିଥାଏ । ମାଟି ପାଣିକୁ ପ୍ରାକୃତିକ ଭାବରେ ଥଣ୍ଡା କରେ ଏବଂ ତାପମାତ୍ରାକୁ ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ କରିଥାଏ, ଯାହା ଫଳରେ ଫ୍ରିଜ୍ ପାଣିର ଆବଶ୍ୟକତା ଶେଷ ହୋଇଯାଏ । ଏହା ଶରୀର ପାଇଁ ମଧ୍ୟ ଭଲ ଏବଂ ପରିବେଶ ଅନୁକୂଳ ଅଟେ । ଥଣ୍ଡା , କାଶର ଶିକାର ହେଉଥିବା ଲୋକ ଫ୍ରିଜ୍ ପାଣି ବଦଳରେ ମାଟିହାଣ୍ଡି ପାଣିକୁ କମ୍ ପରିମାଣରେ ପିଇପାରିବେ । ମାଟିହାଣ୍ଡିକୁ ସବୁବେଳେ ସଫାସୁତୁରା ରଖି ଏଥିରେ ପାଣି ପିଇବା ନିତାନ୍ତ ଜରୁରୀ ।