ଉତ୍ତରପ୍ରଦେଶର ମିରଟ ଜିଲ୍ଲାକୁ ଯେମିତି କାହାର ନଜର ଲାଗିଛି । ଗୋଟିଏ ପରେ ଗୋଟିଏ ଘଟଣା ମୁଣ୍ଡ ଟେକୁଛି । ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ବଡ଼ ନୃଶଂସତାର ସହ ମାରୁଛନ୍ତି ସ୍ତ୍ରୀ । କିଏ ସ୍ବାମୀକୁ ୧୫ ଖଣ୍ଡ କରି କାଟି ଡ୍ରମରେ ମାଂସଖଣ୍ଡକୁ ପୂରାଉଛନ୍ତି ତ ଆଉ କିଏ ସୁପାରୀ ଦେଇ ସ୍ବାମୀକୁ ମାରୁଛନ୍ତି । ନିକଟରେ ଏହି ଜିଲ୍ଲାରେ ଘଟିଥିବା ସୌରଭ୍ ହତ୍ୟାକାଣ୍ଡକୁ ଦେଶ ଏଯାଏଁ ଭୁଲିନି । ହତ୍ୟାକାରୀ ସ୍ତ୍ରୀ ମୁସ୍କାନ୍ ଏବଂ ପ୍ରେମିକ ସାହିଲକୁ ଏଯାଏଁ ଉପଯୁକ୍ତ ଦଣ୍ଡ ମିଳିନି । ଆଉ ଏହାରି ଭିତରେ ଆଉ ଜଣେ ସ୍ବାମୀଙ୍କ ହତ୍ୟା ଖବର ଆସିଲାଣି । ଯେଉଁଠି ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ସ୍ବାମୀର ହତ୍ୟା କରିଛି । ମୁସ୍କାନ୍ ୧୫ ଖଣ୍ଡ କରି ସ୍ବାମୀକୁ କାଟିଥିବା ବେଳେ ଏହି ମହିଳା ଜଣକ ବର୍ବରତାର ସବୁ ସୀମା ପାର୍ କରିଛନ୍ତି । ସ୍ବାମୀ ଶୋଇଥିବା ବେଳେ ସଇତାନ ସ୍ତ୍ରୀ ଗୋଟିଏ ବିଷଧର ସାପକୁ ଖଟ ଉପରେ ଛାଡ଼ି ଦେଇଥିଲା । ଆଉ ସାପଟି ଉକ୍ତ ବ୍ୟକ୍ତିଙ୍କୁ ୧୦ ଥର ଚୋଟ ମାରି ଜୀବନରୁ ମାରିଦେଇଛି ।
/kanak/media/media_files/2025/04/19/usTpfOobfaGxiwOhDEMk.jpg)
ସମ୍ପୂର୍ଣ୍ଣ ମାମଲାର ଖୁଲାସା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହୋଇଥିଲା । ବର୍ତ୍ତମାନ ପୋଲିସ ଉଭୟ ସ୍ତ୍ରୀ ଏବଂ ପ୍ରେମିକକୁ ଗିରଫ କରିଛି । ମୃତକ ହେଉଛନ୍ତି ମିରଟର ବାସିନ୍ଦା , ନାଁ ତାଙ୍କର ଅମିତ୍ । ଏହି ମାମଲା ସହ ଜଡ଼ିତ ଗୋଟିଏ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଅମିତ୍ ଯେଉଁ ଖଟ ଉପରେ ଶୋଇଛନ୍ତି ସେଠାରେ ଗୋଟିଏ ସାପ ତାଙ୍କୁ ଚୋଟ ପରେ ଚୋଟ ମାରୁଥିବାର ନଜର ଆସୁଛି । ପୋଲିସକୁ ଘଟଣାରେ ସନ୍ଦେହ ହେବାରୁ ସେ ଅମିତଙ୍କ ପତ୍ନୀ ରବିତାଙ୍କୁ ଏନେଇ ପଚରାଉଚରା କରିଥିଲେ । ପୋଲିସର ପ୍ରଶ୍ନରେ ଛନ୍ଦି ହୋଇ ରବିତା ଶେଷରେ ସତ ସ୍ବୀକାର କରିଥିଲେ । ନିଜ ପ୍ରେମିକ ଅମରଦୀପଙ୍କ ସହ ମିଶି ଅମିତଙ୍କୁ ରାସ୍ତାରୁ ହଟାଇବାର ପ୍ଲାନ୍ କେମିତି କରିଥିଲେ ସବୁ ପୋଲିସକୁ ଗୋଟି ଗୋଟି କରି କହିଲେ ରବିତା । ସ୍ବାମୀକୁ ମାରିବା ପାଇଁ ୧୦୦୦ ଟଙ୍କାରେ ବିଷଧର ସାପକୁ କିଣିଥିଲେ ରବିତା ।
/kanak/media/media_files/2025/04/19/9VMoxyGUWLkum3copj2E.jpg)
ଅମିତ୍ ଶୋଇଥିବା ବେଳେ ପ୍ରଥମେ ରବିତା ଏବଂ ଅମରଦୀପ୍ ତାଙ୍କୁ ତକିଆ ଦେଇ ମାରିଥିଲେ । କାଳେ ଅମିତ୍ ବଞ୍ଚିଯିବେ ଭାବି ଏହି ଦୁଇ ହତ୍ୟାକାରୀ ବିଷଧର ସାପକୁ ତାଙ୍କ ଖଟ ଉପରେ ଛାଡ଼ି ଦେଇଥିଲେ । ପୋଲିସର ନଜରକୁ କାଳେ ଚାଲି ଆସିବେ ସେ ଭୟରେ ନିଜକୁ ବଞ୍ଚାଇବା ପାଇଁ ସାପର ସାହାରା ନେଲେ ଏ ୨ ହତ୍ୟାକାରୀ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସବୁ ପ୍ଲାନକୁ ଫେଲ୍ କରିଦେଲା ।