କିଛି କଥା କହି ହୁଏନା, କିଛି କଥା ସହି ହୁଏନା । ଠିକ୍ ସେମିତି କିଛି କୋହ ଆଉ କିଛି କାନ୍ଦ ଶୁଣି ହୁଏନା କିମ୍ବା ଶୁଣେଇ ହୁଏନା । ହାଇଦ୍ରାବାଦ କାଞ୍ଚା ଗାଛିବୌଲୀ ଜଙ୍ଗଲର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ । ଯେତେବେଳେ ଜେସିବି ବୁଲଡୋଜର ଲଗାଇ ପଶୁପକ୍ଷୀଙ୍କ ଘର ଉଜାଡ଼ିଦେଉଛି ପ୍ରଶାସନ ,ସେତେବେଳେ ଜଙ୍ଗଲ କାନ୍ଦିବାର ଭିଡ଼ିଓ ସଭ୍ୟ ସମାଜର ଛାତି ଥରାଇ ଦେଉଛି । ଏପରିକି କପିରାଇଟ୍ସ ଯୋଗୁଁ ଆମେ ଆପଣଙ୍କୁ ସେ ମୟୂର କାନ୍ଦୁଥିବାର ଭିଡ଼ିଓ ଦେଖାଇ ପାରୁନୁ ।  

Advertisment
Peacock
Peacock Photograph: (google)

ସାରା ଦୁନିଆରେ ବିକାଶ ନାଁରେ ଏବେ ସବୁଜିମାଭରା ଜଙ୍ଗଲକୁ କାଟି ସଫା କରାଯାଉଛି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆତ୍ମା କାନ୍ଦିଉଠିବ । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ରାତିର ଅନ୍ଧାରରେ କିଛି ବୁଲଡୋଜର୍ ଜଙ୍ଗଲରେ ବୁଲି ବଡ଼ ବଡ଼ ଗଛକୁ କାଟି ସଫା କରୁଛନ୍ତି ଆଉ ଠିକ୍ ସେତିକିବେଳେ ମୟୂର ଏବଂ ଅନ୍ୟ ପଶୁପକ୍ଷୀଙ୍କ ବିକଟାଳ କାନ୍ଦର ଶବ୍ଦ ଶୁଭୁଛି । ଭିଡିଓଟି ହାଇଦ୍ରାବାଦ ସହରର କାଞ୍ଛା ଗାଛିବୌଲି ଜଙ୍ଗଲର ବୋଲି ଜଣାପଡ଼ିଛି । ଏହି ଜଙ୍ଗଲଟି HCU ବିଶ୍ବବିଦ୍ୟାଳୟ ନିକଟରେ ଥିବାରୁ ଏହାକୁ ନେଇ ସେଠାକାର ଛାତ୍ରଛାତ୍ରୀ ମଧ୍ୟ ଆକ୍ରୋଶରେ ରହିଛନ୍ତି । ହାଇଦ୍ରାବାଦର ହାର୍ଟରେ ୪୦୦ ଏକରର ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲକୁ ‘ଗ୍ରୀନଲ୍ୟାଣ୍ଡ’ ବୋଲି କୁହାଯାଏ । ଏହି ଜଙ୍ଗଲରେ ଅନେକ ବଡ଼ ବଡ଼ ଗଛ ରହିଛି ଯାହା ବନ୍ୟ ଜୀବଜନ୍ତୁଙ୍କ ଘର କହିଲେ କିଛି ଭୁଲ୍ ହେବନି । ଆଉ ସେହି ଘରକୁ କାଟିବାରେ ଲାଗିପଡ଼ିଛି ସଭ୍ୟ ମଣିଷ । 

Jungle 1
Jungle 1 Photograph: (google)

କୁହାଯାଉଛି, ଛୁଟି ସମୟରେ ରାତିଅଧରେ ଏହି ଜଙ୍ଗଲକୁ କାଟି ପଦା କରାଯାଇଛି । ଯଦି ଛାତ୍ରଛାତ୍ରୀ ଉପସ୍ଥିତ ଥାଆନ୍ତେ ତା’ହେଲେ ଗଛ କାଟିବା ପାଇଁ ସୁବିଧା ହୋଇନଥା’ନ୍ତା । ବିଶ୍ବବିଦ୍ୟାଳୟ ନିକଟରେ ଏହି ଜଙ୍ଗଲ ଥିବାରୁ ବର୍ତ୍ତମାନ ସେଠାକାର ଛାତ୍ରଛାତ୍ରୀ ଗଛକଟାକୁ ବିରୋଧ କରୁଛନ୍ତି । ସ୍ଥାନୀୟ ଲୋକ, ପରିବେଶବିତ୍ ଏବଂ ଛାତ୍ରଛାତ୍ରୀ ଜଙ୍ଗଲରେ ଗଛକଟାକୁ ଘୋର ବିରୋଧ କରୁଛନ୍ତି । ବିକାଶ ନାଁରେ ୪୫୫ ରୁ ଅଧିକ ପ୍ରଜାତୀକୁ ନିଜ କୋଳରେ ସ୍ଥାନ ଦେଇଥିବା ଏହି ଜଙ୍ଗଲକୁ କାଟିବା କେତେ ଦୂର ଠିକ୍ ? ବର୍ତ୍ତମାନ ଏହି ପ୍ରସଙ୍ଗ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ପଶୁପକ୍ଷୀଙ୍କ କ୍ରନ୍ଦନର ଶବ୍ଦ ଶୁଣି ଆତ୍ମା କାନ୍ଦିଉଠୁଛି । 

ତେବେ ଏଭଳି ସ୍ଥିତିରେ ଜାପାନ କଥା ଭାବିଲେ ମନକୁ ଆସୁଛି ଯେ ଜାପାନର ଲୋକ ଜଙ୍ଗଲ , ଗଛ , ପଶୁପକ୍ଷୀ ଏବଂ ପ୍ରକୃତିକୁ କେତେ ସମ୍ମାନ ଦେଉଛନ୍ତି । ଗଛକୁ ନ କାଟି ସିଧାସଳଖ ମୂଳରୁ ଉପାଡ଼ି ଅନ୍ୟ ଏକ ସ୍ଥାନରେ ରୋପଣ କରାଯିବା ଭଳି ଟେକନିକ୍ ପ୍ରଥମେ ଏହି ଦେଶରୁ ହିଁ ଆରମ୍ଭ କରାଯାଇଥିଲା । ଜାପାନ ଭଳି ବିକଶିତ ଦେଶ ଯଦି ପ୍ରକୃତିକୁ ପୂଜା କଲା ଭଳି କାମ କରୁଛି ତା’ହେଲେ ଆମେ ତ ଭାରତ ମା’ର ସନ୍ତାନ ; ଯେଉଁଠି ବୃକ୍ଷଲତାଠୁ ଆରମ୍ଭ କରି ଗାଈଗୋରୁ, ମାଟି-ପାଣି-ପବନକୁ ପୂଜା କରୁଛୁ ସେଠି ଏମିତି ଘଟଣା କେମିତି ଘଟୁଛି? ପଶୁପକ୍ଷୀଙ୍କ ଆଖିରୁ କାହିଁକି ଲୁହ ବୋହୁଛି ? ସପିଂ ମଲ୍ , ମାର୍କେଟ୍ ବିଲ୍ଡିଂ ବାହାନାରେ ଶହ ଶହ ଏକର ଜଙ୍ଗଲକୁ କାଟିଦେବା କେତେ ଠିକ୍ ? ବେଳହୁଁ ସାବଧାନ ନହେଲେ ଆଜି ମୟୂରମାନେ କାନ୍ଦୁଛନ୍ତି କାଲି କିଏ ଜାଣେ ମଣିଷ ବି କାନ୍ଦିବେ ..

Peacock 1
Peacock 1 Photograph: (google)