‘ମୋ ଭାଇକୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି , ସେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଥିଲା .. ମୁଖ୍ୟମନ୍ତ୍ରୀ ସାର୍ ମୋ ଭାଇକୁ ଯିଏ ମାରିଛି ମତେ ତା’ର ମୁଣ୍ଡ ଦରକାର ।’ ଭାଇକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ଏମିତି ବୁକୁଫଟା ପ୍ରଳାପ କରିଛନ୍ତି ଜଣେ ଅସହାୟ ଭଉଣୀ । ୮ ଦିନ ତଳେ ଗୋଟିଏ ବୋଲି ଭାଇର ବଡ଼ ଧୁମଧାମରେ ବାହାଘର ହୋଇଥିଲା । ବିବାହରେ ଖୁବ୍ ନାଚିଥିଲେ ଭଉଣୀ । ନୌସେନା ଅଧିକାରୀ ଥିବା ଭାଇ ଘରକୁ ସୁନାନାକି ଭାଉଜଟିଏ ନେଇ ଆସିଥିଲେ ଆଉ ହନିମୁନ୍ ପାଇଁ ଦୁହେଁ ଭାରତର ଭୂସ୍ବର୍ଗ କାଶ୍ମୀର ବୁଲିବାକୁ ଯାଇଥିଲେ । ଭଉଣୀ ଅପେକ୍ଷା କରିଥିଲେ ଯେ ଭାଇ ଭାଉଜ ଆସିଲେ କାଶ୍ମୀରର ଅନୁଭୂତି ବଖାଣିବେ , ଭୂସ୍ବର୍ଗରୁ ଅନେକ ଉପହାରର ସମ୍ଭାର ନେଇ ଆସିବେ । କିନ୍ତୁ କାଶ୍ମୀର ମାଟି ଯେ ତାଙ୍କ ରକ୍ଷାକବଚକୁ ହିଁ ଛଡ଼ାଇନେବ ଏହା କିଏ ଜାଣିଥିଲା ।
/kanak/media/media_files/2025/04/26/WfPy8mzi2Ggz6qH1MXjf.jpg)
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ୍ ବିନୟ ନରୱାଲଙ୍କୁ ନାଁ ଏବଂ ଧର୍ମ ପଚାରି ସିଧା ମୁଣ୍ଡକୁ ଗୁଳି ମାରିଥିଲେ ଆତଙ୍କବାଦୀ । ସ୍ବାମୀଙ୍କ ମୃତଦେହ ପାଖରେ ପଥର ହୋଇ ବସି ରହିଥିଲେ ନବବିବାହିତା ପତ୍ନୀ ହିମାଂଶୀ । ସାହାଯ୍ୟ ପାଇଁ ଆକୁଳ ନିବେଦନ କରିବା ପାଇଁ ମଧ୍ୟ କେହି ନଥିଲେ ଆଖପାଖରେ , ଚାରିଆଡ଼େ କାନ୍ଦବୋବାଳିର ହୃଦୟ ବିଦାରକ ଦୃଶ୍ୟ । ସେହି ସମୟର ଫଟୋଟି ଯେତେବେଳେ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ସାରା ଦେଶ ସ୍ତବ୍ଧ ହୋଇ ରହିଗଲା ।
/kanak/media/media_files/2025/04/26/JftCbnoQJbOnKMADxUJo.jpg)
ପୈତୃକ ଘର ହରିୟାଣାର କର୍ଣ୍ଣାଲରେ ଲେଫ୍ଟନାଣ୍ଟ୍ ବିନୟ ନରୱାଲଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସାରା ଅଞ୍ଚଳ ଶ୍ରଦ୍ଧାଞ୍ଜଳି ଦେବାକୁ ଏକତ୍ରିତ ହୋଇଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ବର ‘ବିନୟ ନରୱାଲ୍ ଅମର ରହେ .. ଆତଙ୍କବାଦୀଙ୍କୁ ନିପାତ କର ସରକାର ।’ ଶ୍ରଦ୍ଧାଞ୍ଜଳି ଦେବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ମଧ୍ୟ ପହଞ୍ଚିଥିଲେ । ଆଉ ଏହି ସମୟରେ ସେ ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଥିଲେ । ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ପରିବାରକୁ ସାନ୍ତ୍ବନା ଦେଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଭୋ’ଭୋ ହୋଇ କାନ୍ଦିଥିଲେ ବିନୟଙ୍କ ଭଉଣୀ । ଆଉ କହିଥିଲେ , ‘ମୋ ଭାଇକୁ ଯିଏ ମାରିଛି ସେ ବି ମରିବା ଦରକାର , ମୋତେ ସେ ଆତଙ୍କବାଦୀର ମୁଣ୍ଡ ଦରକାର । ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସେ ଜୀବିତ ଥିଲା କିନ୍ତୁ ସାହାଯ୍ୟ ଅଭାବରୁ ତା’ର ଜୀବନ ଚାଲିଗଲା । ସାହାଯ୍ୟ ମିଳିଥିଲେ ମୋ ଭାଇ ବଞ୍ଚିଯାଇଥା’ନ୍ତା ।’ ଭାଙ୍ଗି ପଡ଼ିଥିବା ଭଉଣୀକୁ ସାନ୍ତ୍ବନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବିନୟଙ୍କୁ ନ୍ୟାୟ ମିଳିବ , ଆତଙ୍କବାଦୀ ନିଶ୍ଚୟ ମରିବେ ।’
ସୂଚନାଯୋଗ୍ୟ ଯେ ଛୁଟି ସାରି ମେ’ ୩ ରେ ପୁଣି ଥରେ କର୍ମସ୍ଥଳକୁ ଫେରି ଯାଇଥା’ନ୍ତେ ଲେଫ୍ଟନାଣ୍ଟ୍ ବିନୟ ନରୱାଲ । ପୁଣିଥରେ ଜନ୍ମଦିନ ପାଳିବାକୁ ମେ ୨୭ରେ ଘରକୁ ଆସିଥା’ନ୍ତେ । କିନ୍ତୁ ସବୁ କିଛି ସାରି ଦେଇଛି ଆତଙ୍କବାଦ । ଜମ୍ମୁ-କାଶ୍ମୀର ବାୟୁସେନା ବେସ୍ରେ ଅଧିକାରୀଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସମୟରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ । ସ୍ବାମୀଙ୍କ ପାର୍ଥିବ ଶରୀର ନିକଟରେ ପହଞ୍ଚି ତାଙ୍କୁ ଶେଷ ବିଦାୟ ଦେଇଥିଲେ ପତ୍ନୀ ହିମାଂଶୀ ।