କାଶ୍ମୀରର ପହଲଗାମରେ ଯାହା ହେଲା ତାହା ସାରା ଭାରତର କଲିଜାକୁ ଥରାଇଦେଲା । ଆତଙ୍କବାଦୀ ଆକ୍ରମଣରେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ୍ ବିନୟ ନରୱାଲଙ୍କ ଜୀବନ ଚାଲିଗଲା । ଆତଙ୍କୀ ମାରିଥିବା ସେହି ୨୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରେ ସାମିଲ୍ ଥିଲେ ଲେଫ୍ଟନାଣ୍ଟ୍ ବିନୟ ଆଉ ତା’ଙ୍କ ମୁଣ୍ଡକୁ ଗୁଳି କରି ମାରିଥିଲେ ନରରାକ୍ଷସ ଆତଙ୍କବାଦୀ । ତେବେ ଦୁଃଖର କଥା ହେଉଛି ୮ ଦିନ ତଳେ ହିଁ ତାଙ୍କର ବାହାଘର ହୋଇଥିଲା । ହନିମୁନରେ କାଶ୍ମୀର ଆସିଥିବା ବିନୟଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ପାଖରେ ପଥର ହୋଇ ବସି ରହିଥିଲେ ନବବିବାହିତା ସ୍ତ୍ରୀ । ସେହି ସମୟର ସେ ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏବଂ ସାରା ଦେଶର ଆତ୍ମାକୁ କନ୍ଦାଇଦେଲା । ଏହା ପରେ ପରେ ବିନୟ ଏବଂ ତାଙ୍କ ସ୍ତ୍ରୀଙ୍କ ବିଭିନ୍ନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ।
Lt Vinay Narwal's last video from Kashmir. Pak will pay for this. #Pahalgam #PahalgamTerroristAttack pic.twitter.com/MFHI46yFtz
— Baba Banaras™ (@RealBababanaras) April 23, 2025
ତେବେ ଏହି ଦୁଃଖର ମୁହୂର୍ତ୍ତ ଭିତରେ ଇଣ୍ଟରନେଟରେ ଏବେ ଗୋଟିଏ ନକଲି ଭିଡିଓ ଭାଇରାଲ୍ ହେଉଛି । ଯାହାକୁ ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କ ଭିଡ଼ିଓ ବୋଲି କୁହାଯାଉଛି । ଯାହା ସମ୍ପୂର୍ଣ୍ଣ ନକଲି । ଏହାର ଖୁଲାସା ଭିଡିଓରେ ଥିବା ଦମ୍ପତି ନିଜେ ସାମ୍ନାକୁ ଆସି କରିଛନ୍ତି । ଦମ୍ପତି କହିଛନ୍ତି , ‘ଦୟାକରି ଏହି ଭିଡିଓ ସେୟାର୍ କରିବା ବନ୍ଦ କରନ୍ତୁ , କାରଣ ଆମେ ଏବେବି ଜୀବିତ ଅଛୁ ।’ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ୧୯ ସେକେଣ୍ଡର ଭିଡିଓ କ୍ଲିପରେ ଦମ୍ପତି କାଶ୍ମୀରର ସବୁଜିମାରେ ହସି ଖେଳି ରିଲ୍ କରୁଥିବାର ନଜର ଆସୁଛନ୍ତି । ୟୁଜର୍ସ ମଧ୍ୟ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର୍ କରୁଛନ୍ତି । ସମସ୍ତେ ଏହାକୁ ଆକ୍ରମଣ ପୂର୍ବରୁ ଲେଫ୍ଟନାଣ୍ଟ୍ ଏବଂ ତାଙ୍କ ସ୍ତ୍ରୀଙ୍କ ଭିଡିଓ ଭାବି ସେୟାର୍ କରୁଛନ୍ତି । କିନ୍ତୁ ଏହି ଭିଡିଓରେ ଥିବା ଦମ୍ପତିଙ୍କ ନାଁ ୟଶିକା ଶର୍ମା ଏବଂ ତାଙ୍କ ସ୍ବାମୀ ଆଶିଷ୍ ସହରାବତ୍ । ୟଶିକା ପେସାରେ ଜଣେ କ୍ୟାବିନ୍ କ୍ରୁ ଏବଂ ଲାଇଫ୍ ଷ୍ଟାଇଲ୍ ବ୍ଲଗର୍ ଥିବା ବେଳେ ଆଶିଷ୍ ଜଣେ ପେସାଦାର୍ କ୍ରିକେଟର୍ । ଭିଡିଓଟି ଏତେ ମାତ୍ରାରେ ସେୟାର୍ ହେଉଥିବା ଦେଖି ଦମ୍ପତି ନିଜେ ସାମ୍ନାକୁ ଆସି ସବୁ ସତ କହିଛନ୍ତି । ଦମ୍ପତି କହିଛନ୍ତି ଯେ ‘ଆପଣ ବଞ୍ଚିଥିବା ଦମ୍ପତିଙ୍କୁ RIP ଲେଖି ସେୟାର୍ କରୁଛନ୍ତି । ଆମେ ଏବେ ଜୀବିତ ଅଛୁ । ଏହାଦ୍ବାରା ଆମ ପରିବାରକୁ କଷ୍ଟ ହେଉଛି । ଆପଣମାନେ ଆମକୁ ବଞ୍ଚି ଥାଉ ଥାଉ ମାରି ଦେଉଛନ୍ତି ।’