ପହଲଗାମ୍ ଘାଟିରେ ଯେଉଁ ନିରୀହ ପର୍ଯ୍ୟଟକଙ୍କ ଚିତ୍କାର ଶୁଭିଲା ତାହା ସାରା ଦେଶର ଆତ୍ମାକୁ ଦୋହଲାଇ ଦେଲା । ପାହାଡ଼ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ରକ୍ତରେ ପହଲଗାମ୍ ଘାଟିକୁ ରକ୍ତାକ୍ତ କଲେ ନରପିଶାଚ ଆତଙ୍କବାଦୀ । ହସଖୁସିରେ ବୁଲିବାକୁ ଯାଇଥିବା ୨୮ ଜୀବନ ଧଳାଚାଦର ଘୋଡ଼ାଇ ଘରକୁ ଫେରିଲା । ନିମିଷକ ମଧ୍ୟରେ ସବୁ କିଛି ଯେମିତି ସ୍ତବ୍ଧ ହୋଇଗଲା । ଯେଉଁ ଭୂସ୍ବର୍ଗକୁ ଯିବାକୁ ପର୍ଯ୍ୟଟକ ଚାତକ ପରି ଚାହିଁଥା’ନ୍ତି ତାହା ହଠାତ୍ ମନରେ ଭୟ ଜାତ କଲା । ଜମ୍ମୁ-କାଶ୍ମୀରରେ ଫସିଥିବା ପର୍ଯ୍ୟଟକ ତରବରିଆ ଭାବରେ ଜାଗା ଛାଡ଼ିଲେ । ସୋସିଆଲ୍ ମିଡିଆରେ ଏନେଇ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହେଲା ଯାହା ଲୋକଙ୍କ ଆତ୍ମାକୁ ଦୋହଲାଇ ଦେଲା । ଭାଇଚାରାକୁ ନେଇ ସନ୍ଦେହ ଏବଂ ପ୍ରଶ୍ନ ଉଠିଲା । କିନ୍ତୁ ଏହାରି ଭିତରେ କାଶ୍ମୀରବାସୀ କେମିତି ପର୍ଯ୍ୟଟକଙ୍କ ପାଇଁ ତାଙ୍କ ଦୁଆର ଖୋଲିଦେଲେ ତାହା ବୋଧ ହୁଏ କାହା ନଜରରେ ଆସିଲା ନାହିଁ ।
/kanak/media/media_files/2025/04/27/wcpmVbT8g08w5dG801VW.jpg)
/kanak/media/media_files/2025/04/27/z8ePC7yVCVKHWvpv0Cor.jpg)
ଆତଙ୍କବାଦୀଙ୍କ ଧର୍ମ ନଥାଏ ଏହା ପ୍ରମାଣିତ ହୋଇଗଲା । କାରଣ ଯେଉଁ ନରରାକ୍ଷସ ଧର୍ମ ପଚାରି ଗୁଳି କରନ୍ତି ସେମାନଙ୍କ ଧର୍ମ ନାହିଁ କହିଲେ ଠିକ୍ ହେବନି । କିନ୍ତୁ ମୃତକଙ୍କ ଭିତରେ କାଶ୍ମୀରର ଜଣେ ଅଶ୍ବଚାଳକ ସୟଦ୍ ଆଦିଲ୍ ମଧ୍ୟ ଥିଲେ । ଯିଏ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ କିନ୍ତୁ ତାଙ୍କୁ ବି ଛାଡ଼ିଲେନି ଆତଙ୍କୀ । ଏହି ଘଟଣାରେ ସାରା ଦେଶ ସମେତ କାଶ୍ମୀର ମଧ୍ୟ ଗୁମୁରି ଗୁମୁରି କାନ୍ଦିଲା । କାରଣ ଅତିଥି ଦେବୋ ଭବଃର ଭାବାର୍ଥ ବାଣ୍ଟୁଥିବା ଭୂସ୍ବର୍ଗ ହଠାତ୍ ଭୟ ସୃଷ୍ଟି କରିଥିଲା । ପର୍ଯ୍ୟଟକମାନେ ହୋଟେଲ୍ ଭିତରେ ଭୟଭୀତ ହୋଇ ରହିଥିଲେ । ମନରେ ଗୋଟିଏ ପ୍ରଶ୍ନ କେମିତି ଘରକୁ ସୁରକ୍ଷିତ ଅବସ୍ଥାରେ ପହଞ୍ଚିବେ ଆଉ ଠିକ୍ ସେତିକି ବେଳେ ମାନବିକତାର ଉଦାହରଣ ଦେଲେ କାଶ୍ମୀରବାସୀ ।
/kanak/media/media_files/2025/04/27/8Wd8OpJeScpiaJVUzZgE.jpg)
ଭୟଭୀତ ପର୍ଯ୍ୟଟକଙ୍କୁ ମାଗଣାରେ ଏୟାରପୋର୍ଟ ନେଇ ଛାଡିଲେ ଅଟୋ ଡ୍ରାଇଭର୍ । ପର୍ଯ୍ୟଟକଙ୍କୁ ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ଅଟୋ ଡ୍ରାଇଭର୍ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କଲେ । କାଶ୍ମୀରର ଲୋକ ପର୍ଯ୍ୟଟକଙ୍କ ରହିବା , ଖାଇବା , ଶୋଇବା ପାଇଁ ନିଜ ଘରର ଦୁଆର ଖୋଲିଦେଲେ । ଗାଡ଼ିରେ ଯିବା ଆସିବା କରୁଥିବା ଲୋକଙ୍କୁ ବିସ୍କୁଟ୍ ପ୍ୟାକେଟ୍ , ପାଣି ବୋତଲ ଏବଂ ସଫ୍ଟ ଡ୍ରିଙ୍କ୍ ବାଣ୍ଟି ମାନବିକତା ଦେଖାଇଲେ କାଶ୍ମୀରବାସୀ ।
/kanak/media/media_files/2025/04/27/ShX5GB6DxWpP1kYuMsmR.jpg)
ଏହାକୁ ନେଇ ମଧ୍ୟ ସୋସିଆଲ୍ ମିଡିଆରେ ଅନେକ ଯୁକ୍ତିତର୍କ ହେଲା । କିଏ ଏହାକୁ ନକାରାତ୍ମକ ଦୃଷ୍ଟିରେ ଦେଖିଲା ତ ଆଉ କିଏ ସକାରାତ୍ମକ ଦୃଷ୍ଟିରେ । କିନ୍ତୁ ଏଇଠି ଏବେ ପ୍ରଶ୍ନ ଉଠୁଛି ଯେ ଯେଉଁ ପର୍ଯ୍ୟଟକଙ୍କ ପଇସାରେ କାଶ୍ମୀରବାସୀଙ୍କ ଚୁଲି ଜଳେ ସେମାନେ କେବେ ନିଜ ଖାଇବା ଥାଳିକୁ ଲାତ ମାରିବ କି ? ଡାଲ୍ ହ୍ରଦକୁ ପର୍ଯ୍ୟଟକ ନ ଆସିଲେ କାହାର କ୍ଷତି ହେବ? କାଶ୍ମୀର ପ୍ରସିଦ୍ଧ ଚିନ୍ନାର ପଟ୍ଟା ସଲ୍ , କେସର , ଡ୍ରାଏ ଫ୍ରୁଟ୍ସ ବିକ୍ରି ନହେଲେ କାହାର କ୍ଷତି ହେବ ? ଏଭଳି ପ୍ରଶ୍ନ ଆସିଲେ ୨ ବିଲେଇଙ୍କ ମଧ୍ୟରେ ମାଙ୍କଡ଼ଙ୍କ ଲାଭ ହେଲା ଭଳି ଲାଗୁନି କି ?