ପହଲଗାମ୍ ଘାଟିରେ ଯେଉଁ ନିରୀହ ପର୍ଯ୍ୟଟକଙ୍କ ଚିତ୍କାର ଶୁଭିଲା ତାହା ସାରା ଦେଶର ଆତ୍ମାକୁ ଦୋହଲାଇ ଦେଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ସମସ୍ତେ ଘଟଣାକୁ ନିନ୍ଦା କରିବା ସହ ଆତଙ୍କୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛନ୍ତି । ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରିରେ ଶାରଦା ନଦୀ କୂଳରେ ଚାଲିଥିବା କାମର ନିରୀକ୍ଷଣ କରିବା ସମୟରେ ଜନତାଙ୍କୁ ସମ୍ବୋଧନ କରିଥିଲେ । ଇତ୍ୟ ଅବସରରେ ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ବର୍ଷିଥିଲେ ଯୋଗୀ ଆଦିତ୍ୟନାଥ । ସେ କହିଥିଲେ , ‘ଭାରତ କାହା ସହ ଲାଗେ ନାହିଁ , ତା’ସହ ଲାଗିଲେ କାହାକୁ ଛାଡ଼େନାହିଁ  । ଯିଏ ଯେଉଁ ଭାଷାରେ ବୁଝିବ ତାକୁ ସେ ଭାଷାରେ ଉତ୍ତର ମିଳିବ ।’ 

Advertisment
yogi ji
yogi ji Photograph: (google)

ଯୋଗୀ ଆଦିତ୍ୟନାଥ କହିଥିଲେ , ‘କାଶ୍ମୀରର ସବୁଜିମାଭରା ପାହାଡ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଯାଇଥିବା ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । କାପୁରୁଷ ଭଳି କାମ କରିଛନ୍ତି ଆତଙ୍କୀ । ସଭ୍ୟ ସମାଜରେ ଆତଙ୍କବାଦ , ଅରାଜକତାର କୌଣସି ସ୍ଥାନ ନାହିଁ । ଭାରତ ସରକାରର ସୁରକ୍ଷା ସେବା ଏବଂ ବିକାଶ ଉପରେ ଆଧାରିତ । କିନ୍ତୁ ଭାରତର ସୁରକ୍ଷାରେ ହସ୍ତକ୍ଷେପ କରିବାର ଦୁଃସାହସ କଲେ ଜିରୋ ଟୋଲେରାନ୍ସ ନୀତି ଆପଣାଇବାକୁ ଭାରତ ବାଧ୍ୟ ହେବ । ଯିଏ ଯେଉଁ ଭାଷାରେ ବୁଝିବ , ତାକୁ ସେ ଭାଷାରେ ଜବାବ୍ ଦେବ ଭାରତ । ଚିଡାଇଲେ ଚାପୁଡ଼ା ମାରିବ ଭାରତ ।’   


ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ନୂଆ ଭାରତ କାହାକୁ ଛାଡ଼େନାହିଁ , କିନ୍ତୁ ଭାରତ ସହ ଲାଗିଲେ ସେ କାହାକୁ ଛାଡ଼େନାହିଁ । ପ୍ରଧାନମନ୍ତ୍ରୀଙ୍କ ଏହି ମାର୍ଗକୁ ଆପଣାଇ ଉତ୍ତରପ୍ରଦେଶରେ ମାଫିଆରାଜ ଏବଂ ଅରାଜକତାକୁ ମୁକ୍ତ କରଯାଇଛି । ବିକାଶକୁ ପ୍ରାଥମିକତା ଦେଇ ରାଜ୍ୟ ଆଜି ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଆଗରେ ଆସି ଛିଡ଼ା ହୋଇଛି । ଆପଣଙ୍କୁ କହିରଖୁଛୁ ଯେ କାଶ୍ମୀରର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ପର୍ଯ୍ୟଟନ ସ୍ଥଳୀ ବେସରନରେ ମଙ୍ଗଳବାର ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୮ ଜଣ ନିରୀହ ଲୋକଙ୍କ ଜୀବନ ନେଇଥିଲେ ଆତଙ୍କୀ । ଏହି ଆକ୍ରମଣରେ ଅନେକ ସଧବାଙ୍କ ମୁଣ୍ଡରୁ ସିନ୍ଦୂର ଲିଭିଗଲା । ଅନେକ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ’ଭୋ ହୋଇ କାନ୍ଦୁଛନ୍ତି ପରିବାର ।